ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର(ଦ କୁଇଭର): ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଗୃହରେ ଏନେଇ ଅବଗତ କରାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

କ୍ୟାବିନେଟ୍ ନିଷ୍ପତ୍ତି

ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ା ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନାଁରେ ୯ଏକର ୬୮୫ ଡେସିମିଲ୍ ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦରେ ୩୧କୋଟି ୯୭ଲକ୍ଷ ୬୨ହଜାର ୯୩୪ଟଙ୍କା ଛାଡ଼ କରିବା ପାଇଁ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଡିଆରଡିଏ କର୍ମଚାରୀମାନେ ଜିଲ୍ଲା ପରିଷଦରେ ମିଶ୍ରଣ ହେବା ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ପଂଚମ ଅର୍ଥ କମିଶନ ସୁପାରିଶ କରିଥିବା ପ୍ରବେଶ କର ପରିବର୍ତ୍ତେ ରାଜ୍ୟ ଜିଏସଟିରୁ କ୍ଷତିପୂରଣ ବାବଦରେ ଏହାର କାର୍ୟ୍ୟାନୁଷ୍ଠାନ ରିପୋର୍ଟର ପାରା ୬.୬କୁ କୋହଳ କରିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଡିଆରଡଇଏ କର୍ମଚାରୀମାନଙ୍କର ଜିଲ୍ଲା ପରିଷଦରେ ମିଶ୍ରଣ ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ବାବଦରେ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରୁ ହାରାହାରି ୭୦.୨୫କୋଟି ଟଙ୍କା ଅଧିକ ବ୍ୟୟବରାଦ କରିବାକୁ ପଡ଼ିବ ।

୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଏହା ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ୧୦୦ ଦିନ କାମ ଯୋଗାଉଛନ୍ତି ।

ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ପର୍ୟ୍ୟଟକ ଓ ଯାତ୍ରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣୀ ସୁବିଧା ବିଶେଷକରି ବରିଷ୍ଠ ନାଗରିକଙ୍କୁ ମୌଳିକ ସୁବିଧା ଦେବା ନିମନ୍ତେ ପୁରୀସ୍ଥିତ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ୟ୍ୟକାରୀ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ମେସର୍ସ ଶ୍ରୀଜୀକୃପା ପ୍ରୋଜେକ୍ଟ ଲିଃ ମୋଟ ୧୩୫.୬୦କୋଟି ଟଙ୍କାରେ ଏହି ଟେଣ୍ଡର କାର୍ୟ୍ୟ ନେଇଛି । ରାଜ୍ୟ କ୍ୟାବିନେଟ ଏହି ଟେଣ୍ଡରକୁ ମଞ୍ଜୁର କରିଛନ୍ତି । ୨୪ ମାସରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ମସିହାର ବାର୍ଷିକ ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪(୨୦୧୮ର ଓଡ଼ିଶା ଅଧିନିୟମ ୧୨)ର ଧାରା ୪୮ ଅନୁସାରେ ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବାର ବ୍ୟବସ୍ଥା ଅଛି । ତେଣୁ ରାଜ୍ୟ କ୍ୟାବିନେଟ ଆଜି ଏହି ବାର୍ଷିକ ରିପୋର୍ଟକୁ ଅନୁମୋଦନ କରିଛନ୍ତି ।

ଓଡ଼ିଶା ସଚିବାଳୟ କାର୍ୟ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୧୯୯୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । କନିଷ୍ଠ କାର୍ୟ୍ୟନିର୍ବାହୀ ସହାୟକର ମୂଳ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏହି ନିୟମର ୧୫(୧)ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ଏଣିକି ଏହି ପଦବୀ ପାଇଁ ଯୋଗ୍ୟତା କେବଳ ସ୍ନାତକ ନୁହେଁ ଏହାସହିତ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ସାମିଲ କରାଯାଇଛି ।

JJM- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍ ମଞ୍ଜୁରୀ । ୨୪ ମାସରେ ସବୁ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା (ନିଯୁକ୍ତ ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନୟମାବଳୀ-୨୦୧୨ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ।

ଏହାସହିତ ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନାରେ ମୋହର ବାଜିଛି। ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ବ୍ୟତୀତ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ରକ୍ଷଣବେକ୍ଷଣ ପାଇଁ ୨ କୋଟି ପଚାଶ ଲକ୍ଷ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

ସୌରଶକ୍ତି କେନ୍ଦ୍ରର ବିକାଶ ପାଇଁ ଖର୍ଚ୍ଚ ଅର୍ଥର ୧୫ ପ୍ରତିଶତ ସରକାର ଫେରାଇବେ । ଓଡ଼ିଶା ମୋବାଇଲ୍ ଟାୱାରା, ଅପ୍ଟିକାଲ୍ ଫାଇବର କେବୁଲ୍ ଏବଂ ଟେଲିକମ୍ ଭିତ୍ତିଭୂମି ନୀତି ୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି । ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ ୨୦୧୭ରେ ସଂଶୋଧନ କରାଯାଇ ବ୍ୟବସ୍ଥାର ସରଳୀକରଣ କରାଯିବ ।

ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୨ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହି ନିୟମ-୭ ଅନ୍ତର୍ଗତ ଉପନିୟମ ୪,୫ ଓ ୭ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଲିଖିତ ପରୀକ୍ଷା ଫଳ ଭିତ୍ତିରେ କନିଷ୍ଠ ଯନ୍ତ୍ରୀ ପଦବୀ ନିମନ୍ତେ ନିଯୁକ୍ତି ଓ ଚୟନ ପ୍ରକ୍ରିୟା ସମ୍ପାଦନ ହେବ ।

କୋରାପୁଟ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ୟ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୨ଟି ବ୍ଲକ ଅଧୀନରେ ଥିବା ୩୧ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୬୭ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୬୧,୯୦୨ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *