ଉପରାଷ୍ଟ୍ରପତି ନିର୍ବାଚନ ପରେ ରଣନୀତି ବଦଳାଇବ ବିଜେପି

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ୨୦୨୪ ନିର୍ବାଚନ ବେଶି ଦିନ ବି ନାହିଁ । ଆଉ ୨ ବର୍ଷରୁ କମ୍ ରହିଲା । ବିଜେଡି ଷଷ୍ଠ ଥର ପାଇଁ ସରକାର ଗଢିବାକୁ ଯେତିକି ଯୋଜନା କରିଛି, ଏପର୍ଯ୍ୟନ୍ତ ଅନ୍ୟ କାହାର ସେତିକି ତତ୍ପରତା ନାହିଁ । ୨୦୧୯ ନିର୍ବାଚନ ପଣଠାରୁ ବିଜେପି ବିଜେଡି ପାଖରେ ଆତ୍ମସମର୍ପଣ କରିଦେଇଛି । ମୋଦୀଙ୍କର ଅନେକ କିଛି ଅଭିଯାନରେ ବିଜେଡିର ସମର୍ଥନ ନେବାକୁ ବିଜେପି ତାର ଲଙ୍ଗୁଡ଼ଜକା ରାଜନୀତି କରୁଛି ।

ନିଜ କର୍ମୀଙ୍କୁ ଦଳିଚକଟି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ଦେଉଛି । ବିଜେପି କର୍ମୀ ଏବେ ହତାଶ ଭିତରେ ଅଛନ୍ତି । କେହି କେହି ତ କହିଲେଣି, ବିଜେପିରେ ଆସି ଭୁଲ କରିଛନ୍ତି । ଲୋକେ ଏବେ ଭ୍ରମରେ ଯେ, ବିଜେପି ଏବେ ବିରୋଧୀ ଦଳ ହେବ ନା ଲାଙ୍ଗୁଡ ଜାକି ବିଜେଡିର ପାଳିତ କୁୁକୁର ହେବ । ବିଜେପିର ଅନେକ ସମର୍ଥକ ଅତି କଟୁ ଭାଷାରେ ସମାଲୋଚନା କରୁଛନ୍ତି, ଦଳର ମୁଖିଆମାନଙ୍କୁ । ଏକଥାର ସୂଚନା ଯେ, ବିଜେପିର ମୁଖିଆମାନଙ୍କ ପାଖରେ ନାହିଁ, ତାହା ନୁହେଁ । ସବୁ ଟିକନିକ୍ ଖବର ମୁଖିଆମାନେ ରଖୁଛନ୍ତି । ହେଲେ କାଳେ ଉପରୁ ନିର୍ଦ୍ଦେଶ ଅଛି, ବିଜେଡିକୁ ବିରୋଧ କରନାହିଁ ।

କାରଣ ମୋଦୀ ଆଉ ଅମିତ ଶାହାଙ୍କ ଅନେକ ଅଭିଯାନରେ ସେମାନଙ୍କ ସହଯୋଗ ଲୋଡା । ବିଜେଡି ବି ସମର୍ଥନ କରୁଛି । ସେ ସିଏଏଏ ବିଲ୍ ହେଉ ବା କାଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ ହେଉ ବା ତ୍ରିପୁଲ ତଲାକରେ ବି ବିରୋଧ କରିନଥିଲା । ସବୁଥିରେ ବିଜେପିକୁ ସମର୍ଥନ କରିଛି ବିଜେଡି । ଆଉ କୃଷି ବିଲ୍ ପ୍ରସଙ୍ଗରେ ନିରବ ରହିଯାଇଥିଲା । ଏବେ ରାଷ୍ଟ୍ରପତି ନିର୍ବାଚନରେ ହୃଦୟଖୋଲା ସମର୍ଥନ କଲା ବିଜେଡି । ଆଉ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି ।

ଉଣା ଅଧିକେ ବିଜେପିର ସବୁ ଅଭିଯାନରେ ବିଜେଡି ସାମିଲ ହୋଇ ସାରିଛି । ପ୍ରତିବଦଳରେ ବିଜେପି ନବୀନ ସରକାରଙ୍କ ଦୁର୍ନିତିଗ୍ରସ୍ତ ମନ୍ତ୍ରୀ ଓ ଅଫିସରଙ୍କ ବିରୋଧରେ ଚାଲିଥିବା ସିବିଆଇ ଓ ଇଡିର ତଦନ୍ତକୁ କାଳେ ହାତ ମାରି ରଖିଛି । ଭିତିରି ବୁଝାମଣା ଯୋଗୁଁ ଏଭଳି କାମ ଚାଲିଛି । ବିଜେପିର ପ୍ରାୟ ସବୁ କାମ ସରିଗଲାଣି । ଏବେ ବିଜେପି ଓଡ଼ିଶା ଦଖଲ ପାଇଁ କାର୍ଯ୍ୟ ଆରମ୍ଭ କରିବ । ଗତ ୨ ବର୍ଷ ଧରି ଓଡ଼ିଶାରେ ଶାସନ କରିବାର କଥା ବି ପାଟିରେ ଧରୁନଥିଲା ବିଜେପି । ଆଉ ଏବେ କିଛି ନେତା କହିବା ଆରମ୍ଭ କଲେଣି ।

ବିଜେପିର ଭିତିରି ମହଲରୁ ଯାହା ସୂଚନା ମିଳୁଛି, ଏବେ ବିଜେପି ତାର ରଣନୀତି ବଦଳାଇବ । ଆଗ ଇଡି ପସିବ, ତାପରେ ଆସିବ ସିବିଆଇ । ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବିଜେପି ଖୋଲାଖୋଲି ବିରୋଧ ନକେଲ ମଧ୍ୟ ଅପରାଜିତାଙ୍କ ମାଧ୍ୟମରେ ବିରୋଧ କରୁଛି । ଦଳ ଅପରାଜିତାଙ୍କ ଅଭିଯାନକୁ ସମର୍ଥନ କରିଗଲେ ବିଜେଡି ପାଇଁ, ତାହା ମହଙ୍ଗା ହୋଇଯିବ । ବିଜେପିର ଆଉ ଏକ ରଣନୀତି ହେବ ଅସନ୍ତୁଷ୍ଟଙ୍କୁ ଚୌକି ଦେବା ।

ବିଜେଡିର ଅସନ୍ତୁଷ୍ଟଙ୍କୁ ଡାକି ବିଜେପିରେ ଚୌକି ଦେବ । ତେଣେ ସରକାରୀ ଦୁର୍ନୀତିକୁ ପର୍ଦ୍ଦାଫାସ କରିବ । ଏହା କଲେ ବିଜେଡି ବିଜେପିକୁ ବିରୋଧ କରିବାକୁ ବି ରାସ୍ତା ନଥିବ । ବିଜେଡି ନିଜର ଭୋଟ୍ ବ୍ୟାଙ୍କକୁ ସୁରକ୍ଷା ପାଇଁ ମିଶନ ଶକ୍ତି ଯୋଜନାକୁ ଆୟୁଦ୍ଦ କରିଛି । ଏହାକୁ କାଉଣ୍ଟର କରିବାକୁ ବିଜେପି ବି ମହିଳା କାର୍ଡ ଖୁବଶୀଘ୍ର ଆରମ୍ଭ କରିବ । ଆଉ ତାର ନେତୃତ୍ୱ ନେଇପାରନ୍ତି ଅପରାଜିତା । ଏମିତି କିଛି ଭିତିରି ଯୋଜନା ଚାଲିଛି । ଅପେକ୍ଷା ଅଛି, ଉପରାଷ୍ଟ୍ରପତି ନିର୍ବାଚନ । ଯଦି ବିଜେପି ହଠାତ୍ ଆକ୍ରମଣାତ୍ମକ ଭଙ୍ଗୀକୁ ଆସେ, ତେବେ ଏହା ବିଜେଡି ପାଇଁ ମହଙ୍ଗା ହୋଇପାରେ । ତେବେ ଦେଖିବାକୁ ବାକି ରହିଲା, ବିଜେପି ଆକ୍ରମଣ କରିବ ନା ଲାଙ୍ଗୁଡ ଜାକି ଉଠବସ୍ ହେବ ।

Leave a Reply

Your email address will not be published. Required fields are marked *