ଚତୁର୍ଥ ରାଉଣ୍ଡରେ ବି ଆଗରେ ଋଷି ସୁନକ

ଲଣ୍ଡନ (ଦ କୁଇଭର): କିଏ ହେବ ପରବର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ? ବୋରିସ୍ ଜନସନଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଛି ରେସ୍ । ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଇସ୍ତଫା ପରେ ଏବେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭୋଟିଂ ଜାରି ରହିଛି । ଏହି ରେସ୍ରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଭାରତୀୟ ମୂଳ ବ୍ରିଟିଶ ନେତା ଋଷି ସୁନକଙ୍କ ବ୍ରିଟେନ୍ରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

ଏଥିସହିତ ସେ କଞ୍ଜରଭେଟିଭ୍ ପାର୍ଟିର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ଜଣାପଡ଼ୁଛି । କାରଣ ୪ର୍ଥ ରାଉଣ୍ଡରେ ମଧ୍ୟ ଋଷି ସୁନକ ନିଜର ବିରୋଧୀଙ୍କୁ ପଛରେ ପକାଇଛନ୍ତି । ତାଙ୍କୁ ମୋଟ ୧୧୮ ଖଣ୍ଡ ଭୋଟ ମିଳିଛି । କେମି ବେଡନେଚୋଙ୍କୁ ମାତ୍ର ୫୯ ଖଣ୍ଡ ଭୋଟ ମିଳିବା ପରେ ସେ ଏହି ଦୌଡ଼ରୁ ବାହାରି ଯାଇଛନ୍ତି ।

ତୃତୀୟ ରାଉଣ୍ଡରେ ଋଷିଙ୍କୁ ମିଳିଥିଲା ୧୧୫ ଭୋଟ । ୪ର୍ଥ ରାଉଣ୍ଡରେ ସେ ଏହାଠାରୁ ଅଧିକ ଭୋଟ ପାଇଛନ୍ତି । ଅନ୍ୟପଟେ ବ୍ରିଟିଶ୍ ବାଣିଜ୍ୟ ମନ୍ତ୍ରୀ ପେନୀ ମୋରଡାଉଣ୍ଟ ୯୨ ଭୋଟ ପାଇ ଦ୍ୱିତୀୟରେ ଅଛନ୍ତି । ତାଙ୍କ ପଛରେ ୮୬ ଖଣ୍ଡ ଭୋଟ ବୈଦେଶିକ ବ୍ୟାପାର ସଚିବ ଲିଜ୍ ଟ୍ରସ୍ ୮୬ ଭୋଟ୍ ପାଇଛନ୍ତି । ପୂର୍ବରୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ରାଉଣ୍ଟ ଭୋଟିଂରେ ମଧ୍ୟ ସୁନକ ଆଗରେ ରହିଥିଲେ । ବୋରିସ ଜନସନ ଅବଶ୍ୟ ଏବେ ଇଂଲଣ୍ଡର କାମଚଳା ପ୍ରଧାନମନ୍ତ୍ରୀ ଭାବେ ପଦବୀରେ ରହିଛନ୍ତି । ନୂତନ ପ୍ରଧାନମନ୍ତ୍ରୀ ଚୟନ ହେବା ପର୍ୟ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟ କରିବେ ।

Leave a Reply

Your email address will not be published. Required fields are marked *