ଜାଳିଦେଲେ ୨୫୯.୪୪ କୋଟି ଟଙ୍କାର ସମ୍ପତ୍ତି: କିଏ କରିବ ଭରଣା ?

ନୂଆଦିଲ୍ଲୀ (ଦ କୁଇଭର): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜାଳିଦେଲେ ୨୫୯ କୋଟି ଟଙ୍କାର ରାଜସ୍ବ ସମ୍ପତ୍ତି । କେନ୍ଦ୍ର ରେଳ ମନ୍ତ୍ରଣାଳୟ ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ହେତୁ ଚଳିତ ବର୍ଷ ଭାରତୀୟ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅନ୍ୟାନ୍ୟ ଗତିବିଧି ଯୋଗୁଁ ରେଳବାଇ ୨୦୧୯ ରୁ ୨୦୨୧ ମଧ୍ୟରେ ୧,୧୧୭ ଟଙ୍କା କ୍ଷତି ସହିଛି ।

ପ୍ରଶ୍ନ ଉଠୁଛି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଏବଂ ଧାରଣା ତ ଦିଆଯାଇ ପାରିଥାନ୍ତା ? ତାହେଲେ ହିଂସାକାଣ୍ଡ କାହିଁକି? କେଉଁ ଉଦ୍ଦେଶ୍ୟରେ ଏବଂ କାହା ଇଙ୍ଗିତରେ ଏଭଭି କରିଥିଲେ ଉପଦ୍ରବୀ ? ଆଉ ଏବେ ଭରଣା କରିବ କିଏ ?

ଲୋକସଭାର ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଚଳିତ ବର୍ଷ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ଆନ୍ଦୋଳନ ହେତୁ ଭାରତୀୟ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଛି। ସେ ଆହୁରି ସୂଚନା ଦେଇଛନ୍ତି ଯେ ଟ୍ରେନ୍ ବାତିଲ ହେତୁ ରେଳବାଇ ଚଳିତ ବର୍ଷ ଜୁନ୍ ୧୪ ରୁ ୩୦, ମଧ୍ୟରେ ଯାତ୍ରୀମାନଙ୍କୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରିଛି। ରେଳବାଇ ୨୦୧୯ ରେ ୧ ୧୫୧ କୋଟି, ୨୦୨୦ ରେ ୪ ୯୦୪ କୋଟି ଏବଂ ୨୦୨୧ ରେ ୬୨ କୋଟି କ୍ଷତି ସହିଛି ।

ତଥ୍ୟ ଅନୁଯାୟୀ, ରେଳ ସମ୍ପତ୍ତିର କ୍ଷତି ବିରୁଦ୍ଧରେ ୨୦୧୯ ରେ ମୋଟ ୯୫ ମାମଲା, ୨୦୨୦ ରେ ୩୦ ଏବଂ ୨୦୨୧ ରେ ୩୪ ଟି ମାମଲା ରୁଜୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ସମସ୍ତ କ୍ଷୟକ୍ଷତି ମାମଲାରେ ମାମଲା ରୁଜୁ ହୋଇଛି ଏବଂ ଦୋଷୀମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଗିରଫ କରାଯିବା ସହ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ମାମଲାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ”

ସେ କହିଛନ୍ତି ଯେ ରେଳବାଇ ପୋଲିସ୍ ଫୋର୍ସ (ଆରପିଏଫ୍), ରାଜ୍ୟ ପୋଲିସ ଏବଂ ସରକାରୀ ରେଳ ପୋଲିସ ଅପରାଧକୁ ରୋକିବା, ମାମଲା ପଞ୍ଜିକରଣ କରିବା, ରେଳ ପରିସର ତଥା ଚଳନ୍ତା ଟ୍ରେନରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟମିତ ସମନ୍ୱୟ ରକ୍ଷା କରୁଛନ୍ତି।
ବିହାର-ତେଲେଙ୍ଗାନାରେ ସବୁଠାରୁ ବଡ କ୍ଷତି ।

କ୍ଷୟକ୍ଷତିର ଆକଳନ ପାଇଁ ଏପର୍ୟ୍ୟନ୍ତ କୌଣସି ପୁନରୁଦ୍ଧାର କରାଯାଇ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଚଳିତ ବର୍ଷ ଜୁନ୍ ପର୍ୟ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ବିହାର ଏବଂ ତେଲେଙ୍ଗାନା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *