ବନ୍ଧାହେଲେ ପଶ୍ଚିମବଙ୍ଗର ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ

କୋଲକାତା(ଦ କୁଇଭର): ଗିରଫ ହେଲେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଙ୍କୁ ଆଜି ଇଡି ଗିରଫ କରିଥିବା ସୂଚନାମିଳିଛି । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଚାଲିଥିଲା ଛାନଭିନ୍ । ଇଡି ରେଡ୍ ବେଳେ ମିଳିଲା ନଗଦ ୨୦ କୋଟି ଟଙ୍କା । ୨୬ ଘଣ୍ଟାର ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଗତକାଲି ଅର୍ଥାତ ଶୁକ୍ରବାର ଦିନ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଉପରେ ଇଡି ରେଡ୍ କରିଥିଲା। ପାର୍ଥା ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଇଡି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଇଡି ମଧ୍ୟ ଅର୍ପିତାଙ୍କୁ ଗିରଫ କରିଛି। କୁହାଯାଉଛି ଯେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗତ କିଛି ଘଣ୍ଟା ଧରି ପଚରାଉଚରା କରାଯାଉଥିଲା, ଯେଉଁଥିରେ ଇଡି ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା, ଯାହା ମନ୍ତ୍ରୀ ଉତ୍ତର ଦେଇପାରିନଥିଲେ। ଏହା ପରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଏହି ମାମଲାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ସୂଚନାମିଳିଛି ।

ଶିକ୍ଷକ ନିଯୁକ୍ତି ସ୍କାମ କଣ ?
ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା ଏହି ସମ୍ପୂର୍ଣ୍ଣ କାର୍ୟ୍ୟ ଶିକ୍ଷକ ନିଯୁକ୍ତି ସ୍କାମ ସହିତ ଜଡିତ। ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ବା ଏସଏସସିରେ ହୋଇଥିବା ନିଯୁକ୍ତି କେଳେଙ୍କାରି ୨୦୧୪ରୁ ୨୦୧୬ ମଧ୍ୟରେ ହୋଇଥିଲା । କମ ମାର୍କ ରଖିଥିବା ପ୍ରାର୍ଥୀମାନେ ଲାଞ୍ଚ ଦେଇ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା ।

ଅର୍ପିତା ମୁଖାର୍ଜୀ ହେଉଛନ୍ତି ପାର୍ଥଙ୍କ ଘନିଷ୍ଠ ସହଯୋଗୀ। ସେ ୨୦୧୯ ଓ ୨୦୨୦ରେ ପାର୍ଥଙ୍କ ଦୁର୍ଗା ପୂଜା କମିଟିର ପ୍ରଚାର ପ୍ରସାର କରିଥିଲେ। ଏଥିସହ ଅନେକ ସମୟରେ ପାର୍ଥ ଓ ତାଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ। ଏହି କାରଣରୁ ଇଡି କାଲି ଅର୍ପିତାଙ୍କ ଠିକଣାରେ ରେଡ୍ କରିଥିଲେ। ଏହି ସମୟରେ ସେଠାରୁ ନଗଦ ୨୦ କୋଟି ଟଙ୍କା ମିଳିଛି। ଏହି ଟଙ୍କା ଶିକ୍ଷା ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ମିଳିଥିବା ଇଡି ସନ୍ଦେହ କରୁଛି। ଏଥିସହ ଅର୍ପିତାଙ୍କ ଠିକଣାରୁ ୨୦ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *