(ଦ କୁଇଭର ବ୍ୟୁରୋ): ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଯାହାକୁ ନେଇ ଏବେଠୁ ଚାଲିଲାଣି କଶରତ । ସବୁ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ଚଲାଇଛନ୍ତି ଷ୍ଟ୍ରାଟେଜି । ହେଲେ ଏହାରି ଭିତରେ ଆଉ ନଜର ଆସୁନାହାନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ । ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁରରୁ ସୁନୀଲ ଜାଖଡଙ୍କୁ ପରାସ୍ତ କରିଥିଲେ ସନ୍ନି ଦେଓଲ । ଲୋକସଭା ନିର୍ବାଚନ ବେଳେ ସବୁବେଳେ ସେ ଚର୍ଚ୍ଚା ରହିଆସୁଥିଲେ । ହେଲେ ଏବେ କିଛି ଦିନ ହେବ ତାଙ୍କ ଅନୁପସ୍ଥିତିକୁ ନେଇ ଉଠିଛି ଅନେକ ପ୍ରଶ୍ନ । ନା ତାଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ନା ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏପରିକି ନିକଟରେ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ମଧ୍ୟ ସେ ବିଜେପିର ଷ୍ଟାର୍ ପ୍ରଚାରକ ମାନଙ୍କ ମଧ୍ୟରେ ନଜର ଆସିନଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ୨୦୨୦ ସେପ୍ଟେମ୍ବର ପରଠାରୁ ତାଙ୍କ ସଂସଦୀୟ କ୍ଷେତ୍ର ଗୁରୁଦାସପୁର ଗସ୍ତ ମଧ୍ୟ କରିନାହାନ୍ତି । ତେବେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ବିଜେପି ସାଂସଦ ସନ୍ନି ଦେଓଲ? ଶେଷ ହୋଇଗଲା କି ତାଙ୍କ ରାଜନୈତିକ କ୍ୟାରିୟର? କାହିଁକି ବିଜେପିର ଷ୍ଟାର୍ ପ୍ରଚାରକରେ ସେ ନଜର ଆସିନଥିଲେ? ୨୦୨୪ ନିର୍ବାଚନ ପାଇଁ ଚାଲିଛି କି ତାଙ୍କର ଆଉ କିଛି ଷ୍ଟ୍ରାଟେଜି? ନା ରାଜନୀତି ଠାରୁ ଦୂରଉଛନ୍ତି ସନ୍ନି ଦେଓଲ? ନା ହେବିୱେଟ୍ ନେତାଙ୍କ ଆଗରେ ଫିକା ପଡିଯାଇଛନ୍ତି ସନ୍ନି ଦେଓଲ ? ତାଙ୍କ ବାପାଙ୍କ ଭଳି ଶେଷ ହୋଇଯିବ କି ତାଙ୍କ ରାଜନୈତିକ କ୍ୟାରିୟର ? ତାଙ୍କ ଅନୁପସ୍ଥିତିକୁ ନେଇ ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେଲାଣି ।

ସନ୍ନି ଦେଓଲ ମାର୍ଚ୍ଚ ୩୧ରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଯେଉଁ ଫଟୋର ବିଜେପି ସାଂସଦ ସନ୍ନି ଦେଓଲ ଲେଖିଥିଲେ, ଆଜି ଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲି । ଏହି ସମୟରେ ଧାରିୱାଲ ଉଲେନ୍ ମିଲ୍ କର୍ମଚାରୀଙ୍କ ପ୍ରାୟ ୩୯ ମାସର ବକେୟା ଦରମା ଜାରି କରିବା ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା ହେଲା । କେନ୍ଦ୍ରମନ୍ତ୍ରୀ ଏହି ଦାବିକୁ ଶୀଘ୍ର ପୂରଣ କରିବାକୁ ଆଶ୍ୱାସନା ଦେଲେ । କୌଣସି ପ୍ରକାରର ରାଜନୈତିକ କାର୍ଯ୍ୟକଳାପର ଏହା ଥିଲା ତାଙ୍କ ଶେଷ ଟୁଇଟ୍ । ଯଦିଓ ଏହାପରେ ତାଙ୍କର ଅଧିକାଂଶ ଟୁଇଟ ଚଳଚ୍ଚିତ୍ର ଏବଂ ପର୍ବପର୍ବାଣୀକୁ ନେଇ ଆସିଥିଲା, ହେଲେ ରାଜନୈତିକ ଟୁଇଟ ଆଦୌ ଦେଖିବାକୁ ମିଳୁନାହିଁ । ଯଦିଓ ବିଜେପି କହିଥିଲା ଯେ, ସନ୍ନି ଦେଓଲ ପ୍ରଚାରର ଶେଷ ପର୍ଯ୍ୟାୟରେ ଉପସ୍ଥିତ ରହିବେ, କିନ୍ତୁ ସେ ଆସି ନଥିଲେ । ପଠାନକୋଟରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ମଧ୍ୟ ସେ ନଜର ଆସିନଥିଲେ । ଏଥିରୁ ଜଣାପଡ଼ୁଛି ଯେ, ସନ୍ନି ଦେଓଲ ଧିରେ ଧିରେ ରାଜନୀତିରୁ ଦୂରେଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *