Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମୁଢି, ଚୁଡ଼ା ଉପରେ GST: ନବୀନ କୁହନ୍ତୁ, ଠିକ୍ ନା ଭୁଲ୍

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ମୁଢି, ଚୁଡ଼ା ଓ ଖଇ ଉପରେ ଲାଗିଲା ଜିଏସଟି । ଯାହାକୁ ନେଇ ବେଶ୍ ବିଳବିଳେଇ ହେଲେ ବିଜେଡି ବାଲା । ଏପଟେ ଜିଏସଟି କାଉନସିଲ ମିଟିଂରେ ହଁ ମାରିଦେଇ ସେପଟେ ବିରୋଧ କଲେ । କେନ୍ଦ୍ର ସରକାରଙ୍କ ଏହି ନିୟମ ଠିକ୍ ନୁହେଁ ବୋଲି କହିଲେ । ଭାଗ ନେଇ ଏବେ ନଖରାମି ଆରମ୍ଭ କଲେଣି । ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତେ ଚୁପ୍ ଅଛନ୍ତି । ପୁଣି ଉଠିବ ସେହି ପ୍ରସଙ୍ଗ । କାହିଁକି ମୁଢି, ଚୁଡ଼ା ଉପରେ ଲାଗିବ ଜିଏସଟି? ଯଦି ଏହି ଜିଏସଟିକୁ ବିଜେଡି ଚାହୁଁନାହିଁ, ତେବେ ପ୍ରଥମ ପ୍ରଶ୍ନ ହେଉଛି, ଜିଏସଟି କାଉନସିଲ ମିଟିଂରେ ଏହାକୁ କାହିଁକି ବିରୋଧ କଲେନି? ଯଦି ବିରୋଧ କଲେନି, କୌଣସି ଚାପରେ ରହିଲେ, ତାହେଲେ ଏବେ ନବୀନ ବାବୁ ବିରୋଧ କରନ୍ତୁ । ମୁଢି, ଚୁଡା ଓ ଖଇ ଉପରେ ଲାଗିଥିବା ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ଲେଖନ୍ତୁ । କାରଣ ଓଡ଼ିଶାର ସକାଳ ଜଳଖିଆ ଭାବେ ବେଶ୍ ପରିଚିତ ମୁଢି, ଚୂଡ଼ା ଓ ଖଇ । ଓଡ଼ିଶାରେ ଏହାର ବହୁଳ ବ୍ୟବହାର ହୁଏ । ଗରିବଙ୍କ ଏହା ହେଉଛି ପ୍ରମୁଖ ଖାଦ୍ୟ । ତେଣୁ ଗରିବଙ୍କ ଉପରେ ଏଭଳି କର ବୋଝକୁ ରାଜ୍ୟ ସରକାର ହଟାଇବା ପାଇଁ ଚେଷ୍ଟା କରିବା ଉଚିତ୍ ।

ଆଉ ଏହି ମୁଢି, ଚୂଡା ଓ ଖଇ ଉପରେ ରାଜ୍ୟ ସରକାର ତାଙ୍କର ଭାଗ ନ ନେଇ ଦେଶରେ ଏକ ମୁଖ୍ୟମନ୍ତ୍ରୀ ସ୍ତରୀୟ ବିରୋଧ କରାଯାଉ । ଆଉ ନବୀନ ବାବୁ ଏହାର ନେତୃତ୍ୱ ନେଇ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ । କାରଣ ବିଭିନ୍ନ ପ୍ରସଙ୍ଗରେ ଦେଖାଯାଇଛି, ନବୀନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖନ୍ତି । ଏପରିକି ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସମର୍ଥନ କରିବା ପାଇଁ ସବୁ ରାଜ୍ୟକୁ ନିବେଦନ କରିଥିଲେ । ଯେଉଁଟା ନବୀନଙ୍କ ଏକ ଭଲ ପଦକ୍ଷେପ । ତେଣୁ ଗରିବଙ୍କ ଉପରେ ଯେଉଁ ଟିକସ ବୋଝ ପଡ଼ିଛି, ସେ ଟିକସ ବୋଝକୁ ମୁକ୍ତ କରିବା ପାଇଁ ସେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ । ଆଉ ସବୁ ରାଜ୍ୟ ଏହାକୁ ବିରୋଧ କରନ୍ତୁ । ଯଦିଓ ଜିଏସଟି କାଉନସିଲ ମିଟିଂରେ ଏହାକୁ ବିରୋଧ କରିନାହାନ୍ତି, ଏବେ ତାକୁ ବିରୋଧ କରନ୍ତୁ ।

ଯଦି ବିଜେଡି ବାଲା କହୁଛନ୍ତି ଏହି ଜିଏସଟି ଭୁଲ, ତେବେ ଏହା ଏକ ମୁଖ୍ୟମନ୍ତ୍ରୀସ୍ତରୀୟ ବିରୋଧ ହେଉ, ଆଉ ଯଦି ଏହା ଠିକ୍, ତେବେ ନବୀନ ବାବୁ ହିଁ କୁହନ୍ତୁ, ଏହି ଜିଏସଟି ଲାଗୁ ହୋଇ ଠିକ୍ ହୋଇଛି । ବିଜେଡି ବାଲା ବି ଏହା ମାନନ୍ତୁ । ନହେଲେ ସବୁବେଳେ କେନ୍ଦ୍ରକୁ ଦୋଷ ଦେଇଦେଲେ ସଂସ୍କାର ଆସିଯିବନି । ଅନ୍ୟପଟେ ଦେଖିବାକୁ ଗଲେ, କୌଣସି ଖୋଲା ମୁଢି, ଚୁଡାରେ ଟିକସ ନାହିଁ । ଜିଏସଟି ତାହା ଉପରେ ଲାଗୁ ହୋଇଛି, ଯେଉଁଟା ମଲ୍ ଓ ଦୋକାନ ମାନଙ୍କରେ ବ୍ରାଣ୍ଡ ନାଁରେ ବିକ୍ରି ହେଉଛି । ଆଉ ବ୍ରାଣ୍ଡ ନାଁ ଦେଇ ବିକୁଥିବା ଲୋକମାନେ, ୨୦ ଟଙ୍କାର ମୁଢିକୁ ୧୦୦ ଟଙ୍କାରେ ବିକ୍ରିକରୁଛନ୍ତି । ସେଥିପାଇଁ ଜିଏସଟି ଲାଗୁ କରିବା ବି ଆବଶ୍ୟକ । ଜିଏସଟି ଲାଗୁ ହେଲେ ସେମାନଙ୍କର ଦର ମଧ୍ୟ ନିୟନ୍ତ୍ରିତ ରହିବ । ଯଦି ସରକାର ଓ ବିଜେଡିବାଲା ଏହା ଭାବୁଛନ୍ତି, ତେବେ ନବୀନ ବାବୁ ଏହାକୁ ଏକ ମୁଖ୍ୟମନ୍ତ୍ରୀସ୍ତରୀୟ ବିରୋଧ କରନ୍ତୁ ।

GST on Puffed Rice, Naveen Patnaik Views Matters | ମୁଢି ଚୁଡ଼ା ଉପରେ ଜିଏସଟି: ନବୀନ କୁହନ୍ତୁ ଠିକ୍ ନା ଭୁଲ୍

Exit mobile version