୬୫୦ କୋଟିରେ ଆଉ ଏକ କ୍ୟାନସର ହସ୍ପିଟାଲ

ନୂଆଦିଲ୍ଲୀ (ଦ କୁଇଭର): ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ପକ୍ଷରୁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଛି । ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ୟ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରଣାଳୟ ଅତିରିକ୍ତ ୧୦ ଏକର ପରିମିତ ଜମି ଯୋଗାଇବ।

ଓଡ଼ିଶା ସମେତ ସମଗ୍ର ଭାରତର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶା ତଥା ପୂର୍ବ ଭାରତର ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ପଦକ୍ଷେପ ନେଇଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ଉପକୃତ ହୋଇପାରିବେ ଓ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ବୋଲି ସେ କହିଛନ୍ତି ।

ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟଟା ମେମୋରିଆଲ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବା ଏହା ଏକ ଖୁସି ଖବର । ସରକାରଙ୍କ ଏହି ପଦକ୍ଷେପ ବେଶ୍ ସ୍ୱାଗତ ଯୋଗ୍ୟ । କିନ୍ତୁ ସରକାରଙ୍କ ଏହି ପଦକ୍ଷପ କେତେ ଦୂର କାର୍ଯ୍ୟକାରୀ ହେଉଛି ଆଉ ଏହି ହସ୍ପିଟାଲ ଲୋକଙ୍କ ପାଇଁ କେତେ ସହାୟକ ହେବ ତାହା ଦେଖିବାର ବିଷୟ

Leave a Reply

Your email address will not be published. Required fields are marked *