ନୂଆଦିଲ୍ଲୀ (ଦ କୁଇଭର): କ୍ଷମତାରୁ ଦୂରେଇ ଯିବା ପରେ ବିକଳ ହୋଇପଡ଼ିଛି କଂଗ୍ରେସ । ବାଚଳାମି କରୁଛି । ସମ୍ବିଧାନକୁ ଦଳିମକଚି ଦେଇ ସାମ୍ବିଧାନିକ ପଦ ପଦବୀକୁ ଅମର୍ଯ୍ୟଦା ପ୍ରଦର୍ଶନ କରୁଛି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏକପ୍ରକାର ରାଷ୍ଟ୍ରଦ୍ରୋହ କରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନସୂଚକ ଶବ୍ଦ ବ୍ୟବହାର କରି ରାଷ୍ଟ୍ରଦ୍ରୋହରେ ସାମିଲ ହୋଇଛନ୍ତି । ଆଉ ତାଙ୍କ ପ୍ରତି ଏପଯର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ନ ନେଇ କଂଗ୍ରେସ ବି ଏ ରାଷ୍ଟ୍ରଦ୍ରୋହକୁ ସମର୍ଥନ କରୁଛି । ସଂସଦ ଭଳି ପବିତ୍ର ଗୃହରେ କଂଗ୍ରେସ ସାଂସଦଙ୍କର ଏଭଳି ଔଦ୍ଧତ୍ୟକୁ ଦେଶବାସୀ କେବେ ବି ଗ୍ରହଣ କରିପାରୁନାହାନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅସମ୍ମାନସୂଚକ ପଦ କହି ସମ୍ବିଧାନକୁ ଯେତିକି ସେ ଅପମାନିତ କରିଛନ୍ତି । କଂଗ୍ରେସ ଆଦିବାସୀ ବିରୋଧୀ, ମହିଳା ବିରୋଧୀର ଓ ଦଳିତ ବିରୋଧୀ ଅଭିମୁଖ୍ୟକୁ ପଦାରେ ପକାଇଛି । ଏଥିପାଇଁ ଦେଶ କେବେ କ୍ଷମା ଦେବନାହିଁ । ଭାରତ ଇତିହାସରେ କଂଗ୍ରେସର ଏହି ବଡ଼ ଭୁଲ ଏକ କଣ୍ଟା ହୋଇ ରହିଯିବ ।

ଅଧୀର ରଞ୍ଜନ ଚୌଧୁରୀ ଗତକାଲି ସାଂସଦରେ କହିବା ବେଳେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ସେ ତାଙ୍କ ଉକ୍ତିକୁ ପ୍ରତ୍ୟାହାର କରିନାହାନ୍ତି । କଂଗ୍ରେସ ଦଳ ବି ଏ ପ୍ରସଙ୍ଗରେ ନିରବ ରହିଛି । ଏହାକୁ ନେଇ ସଂସଦ ତ ଉଠୁଛି ପଡ଼ୁଛି, ରାଜରାସ୍ତାରେ ବି ବିରୋଧ ହେଲାଣି । ପଲ୍ଲୀ ଠୁ ଦିଲ୍ଲୀ, ସବୁଠି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଧାସନସଭା ଠୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ସବୁଠି କଂଗ୍ରେସର ଏହି ଔଦ୍ଧତ୍ୟାମିକୁ ନେଇ ରାଜନୀତି ଜୋରଦାର ହୋଇଛି । କଂଗ୍ରେସର ଏପରି ହୀନ ରାଜନୀତିକୁ ସମସ୍ତେ ନିନ୍ଦା କରୁଛନ୍ତି । ସେ ଭୁଲିଯାଇଛନ୍ତି ଯେ, ରାଷ୍ଟ୍ରପତି ହିଁ ଦେଶର ପ୍ରଥମ ନାଗରିକ । ତାଙ୍କୁ ଅପମାନ କରିବା ଯାହା ସମ୍ବିଧାନକୁ ଅପମାନ କରିବା ସମାନ ।

ଅନ୍ୟପଟେ ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିବା ସହ କଂଗ୍ରେସ ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି ବୋଲି ବିଜେପି କହିଛି । ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପତ୍ନୀ ଭାବରେ ସମ୍ବୋଧନ କରିବା ଭାରତର ପ୍ରତିଟି ଆଦର୍ଶ ଏବଂ ସଂସ୍କାର ବିରୁଦ୍ଧ । ଏପରି ସମ୍ବୋଧନ ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା ପ୍ରତି ଗୁଠାରଘାତ । ଏହା ଜାଣିବା ସତ୍ତେ୍ୱ ଜଣେ ପୁରୁଷ କଂଗ୍ରେସ ନେତା ଏହି ଘୃଣ୍ୟ କାମ କରିଛନ୍ତି । ଇରାନୀ କଂଗ୍ରେସକୁ ଏକ ଆଦିବାସୀ, ଗରିବ ଏବଂ ମହିଳା ବିରୋଧୀ ଦଳ ବୋଲି ବର୍ଣ୍ଣନା କରିଛନ୍ତି । ସେପଟେ ସଂସଦ ବାହାରେ କିଛି ସମୟ ପାଇଁ ସୋନିଆ ଗାନ୍ଧୀ ଓ ସ୍ମୃତି ଇରାନୀ ସାମ୍ନାସାମ୍ନି ହୋଇଛନ୍ତି । କଂଗ୍ରେସର ଏହି ଔଦ୍ଧତ୍ୟାମିକୁ ସାରା ଦେଶବାସୀ କେବେ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *