ନୌସେନାକୁ ହସ୍ତାନ୍ତର ହେଲା ସ୍ୱଦେଶୀ ଯୁଦ୍ଧପୋତ INS‘ବିକ୍ରାନ୍ତ’

ନୂଆଦିଲ୍ଲୀ(ଦ କୁଇଭର ବ୍ୟୁରୋ): ଭାରତୀୟ ନୌସେନାକୁ ହସ୍ତାନ୍ତର ହେଲା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତର ପ୍ରଥମ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ । କୋଚିନ ସିପୟାର୍ଡ ଲିମିଟେଡ (CSL) ପକ୍ଷରୁ ଗୁରୁବାରଦିନ ଏହାକୁ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିମାନବାହୀ ଯୁଦ୍ଧପୋତକୁ ଆସନ୍ତା ଅଗଷ୍ଟ ୧୫, ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ନୌସେନାରେ ସାମିଲ ହେବା ପରେ ଏହାକୁ କୁହାଯିବ ‘ଆଇଏନଏସ ବିକ୍ରାନ୍ତ’ । କେରଳରେ କୋଚିରେ ଏହି ଅତ୍ୟାଧୁନିକ ବିମାନବାହକ ଯୁଦ୍ଧ ଜାହାଜକୁ ନିର୍ମାଣ କରାଯାଇଛି ।

ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାବେଳେ ୪ର୍ଥ ସାମୁଦ୍ରିକ ପରୀକ୍ଷଣ ଗତ ଜୁଲାଇ ୧୦ରେ ସମାପ୍ତ ହୋଇଥିଲା ।ଭାରତୀୟ ନୌସେନାର ଡାଇରୋକ୍ଟରେଟ୍ ଅଫ ନାଭାଲ ଡିଜାଇନ ପକ୍ଷରୁ ଏହି ଯୁଦ୍ଧପୋତର ଡିଜାଇନ୍ କରାଯାଇଛି । ଏହା ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା ଓ ଓଜନ ପ୍ରାୟ ୪୫ ହଜାର ମେଟ୍ରିକ ଟନ । ପ୍ରାୟ ୨୩ ହଜାର କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧୫୦୦ ଟନ ଓଜନର ସ୍ବତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି । ଏହି ବିମାନବାହୀ ଯୁଦ୍ଧପୋତ ଏତେବଡ଼ ଯେ ଏହାର ଡେକରେ ଦୁଇଟି ଫୁଟବଲ ପଡ଼ିଆ ରହିପାରିବ । ଏଥିରେ ଏକାସମୟରେ ୧୭୦୦ କର୍ମଚାରୀ ରହିପାରିବେ ।

ତେବେ ନିର୍ମାଣକାରୀ ସଂସ୍ଥା CSL ହେଉଛି ଭାରତୀୟ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଏକ ନିର୍ମାଣକାରୀ କମ୍ପାନୀ । ଏହି ଜାହାଜରେ ବର୍ତ୍ତମାନ ସମୟର ସାମରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାଧିକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ନିର୍ମାଣ କରାଯାଇଛି । ଏହାର ନାମକରଣ ମଧ୍ୟ ଭାରତୀୟ ନୌସେନାରେ ପୂର୍ବରୁ ସେବା ଯୋଗାଇ ସାରିଥିବା ପ୍ରଥମ ବିମାନ ବାହକ ଯୁଦ୍ଧପୋତ INS ବିକ୍ରାନ୍ତ’ ନାମରେ ନାମିତ କରାଯାଇଛି । ତେବେ ପ୍ରଥମ ବିକ୍ରାନ୍ତ ଋଷ ଠାରୁ ଭାରତ କିଣିଥିବା ବେଳେ ଏହି ଜାହାଜଟି ସମ୍ପୂର୍ଣ୍ଣ ସ୍ବେଦଶୀ ଜ୍ଞାନକୌଶଳରେ ନର୍ମିତ ହୋଇଛି ।

Leave a Reply

Your email address will not be published. Required fields are marked *