ଇରାକରେ ଶ୍ରୀଲଙ୍କା ସ୍ଥିତି, ସଂସଦ ମଧ୍ୟକୁ ଧସେଇ ପଶିଲେ ବିକ୍ଷୋଭକାରୀ

ବାଗଦାଦ(ଦ କୁଇଭର): ବିଶ୍ୱର ଅନେକ ଦେଶ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ସହ ଗତିକରୁଛି । ନିକଟରେ ଶ୍ରୀଲଙ୍କାରେ ଯାହା ଘଟିଥିଲା ତାହା ବିଶ୍ୱ ଦେଖିଲା । ଅର୍ଥନୈତିକ ସଂଙ୍କଟ ଯୋଗୁଁ ଦେଶର ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ବିକ୍ଷୋଭକାରୀମାନେ ରାଷ୍ଟ୍ରିୟ ଭବନ ଠାରୁ ସଂସଦ ଗୃହ ପର୍ଯ୍ୟନ୍ତ ସବୁଠି ବିକ୍ଷୋଭପ୍ରଦର୍ଶନ କରିଥିଲେ ।

ସମାନ ପରିସ୍ଥିତି ବର୍ତ୍ତମାନ ଆରବ ଦେଶରେ ଇରାକରେ ମଧ୍ୟ ଦେଖାଯାଉଛି । ଇରାକରେ ରାଜନୈତିକ ପରିସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ଇରାକର ରାଜଧାନୀ ବାଗଦାଦରେ ସଂସଦ ଭବନକୁ ବିକ୍ଷୋଭକାରୀମାନେ ଦଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମହମ୍ମଦ ଶିଆ ଅଲ-ସୁଦାନୀଙ୍କ ବିରୋଧରେ ଏହି ପ୍ରଦର୍ଶନ ଚାଲିଛି ।

ଅଧିକାଂଶ ବିକ୍ଷୋଭକାରୀ ହେଉଛନ୍ତି ଶିଆ ନେତା ମୁକ୍ତଦା ଅଲ-ସାଦର ସମର୍ଥକ। ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନକୁ ବିରୋଧ କରି ସଂସଦ ଭବନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହମ୍ମଦ ଅଲ ସୁଦାନୀଙ୍କୁ ଗଠବନ୍ଧନ ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଏହି ଅଶାନ୍ତି ସୃଷ୍ଟି ହୋଇଛି । ସୁଦାନୀ ଇରାନ ସମର୍ଥକ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ବୁଧବାର ରାତିରେ ପରିସ୍ଥିତି ଏପରି ହୋଇଥିଲା ଯେ, ବିକ୍ଷୋଭକାରୀମାନେ ସଂସଦ ମଧ୍ୟକୁ ପାଚେରୀ ଡେଇଁ ପ୍ରବେଶ କରିଥିଲେ । ଏପରି କି ସେମାନେ ସେନ୍ସଟିଭ ଗ୍ରୀନ ଜୋନ ଅତିକ୍ରମ କରିଥିଲେ । ଶିୟା ସମ୍ପ୍ରଦାୟର ମୌଲବୀ ମୁକ୍ତାଦା ସଦ୍ର ଏହି ବିକ୍ଷୋଭର ନେତୃତ୍ୱ ନେଉଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ମୁସ୍ତାଫା ଅଲ କାଦିମ ବିକ୍ଷୋଭକାରୀଙ୍କୁ ଗ୍ରୀନ ଜୋନ ବାହାରକୁ ଯିବା ପାଇଁ ଅନୁରୋଧ କରିଛନ୍ତି । ପରୋକ୍ଷରେ ଏହା ଦେଶ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଦେଶର ଅନେକ ଗୁପ୍ତ ତଥ୍ୟ ଏହି ଜୋନରେ ରହିଛି । ଆପଣମାନେ ସେ ସ୍ଥାନ ନ ଛାଡିଲେ ପୋଲିସ ଓ ଆର୍ମି ବାଧ୍ୟ ହୋଇ ଗୁଳି ଚାଳନା କରିବେ ବୋଲି କାଦିମ କହିଛନ୍ତି ।

Leave a Reply

Your email address will not be published. Required fields are marked *