Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆମେ କ’ଣ ଏତେ ନିର୍ଲଜ ?

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ଆମେ କ’ଣ ଏତେ ନିର୍ଲଜ? ଆମେ କ’ଣ ଭୁଲ ଠିକ୍ ପରଖିବାର ଶକ୍ତି ହରାଇଦେଲେଣି କି? ଆମେ ଆମର ଦାୟିତ୍ୱ କର୍ତ୍ତବ୍ୟକୁ ଦୂରେଇ ଦେଲେଣି କି? ଲୋକହସା ହେଲାଭଳି ସବୁକାମ ଆମେ କରୁଛୁ କି ? ଏଭଳି ଅନେକ ପ୍ରଶ୍ନ ଏବେ ଗଣମାଧ୍ୟମର କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଉଠିଲାଣି । ଯାହା ଖାଲି ଗଣତନ୍ତ୍ର ପାଇଁ ମାରାତ୍ମକ ନୁହେଁ ସାମାଜିକ ବ୍ୟବସ୍ଥା ପାଇଁ ବି ଭୟଙ୍କର । ଆମେ ନିଶ୍ଚିତ ଗଣମାଧ୍ୟମର କିଛି ଭୂମିକା ନିଭାଉଛୁ । ହଁ ଓଡ଼ିଶାର ତଥାକଥିତ ବଡ଼ ବଡ଼ ଗଣମାଧ୍ୟମ ଓ ସେମାନଙ୍କ ମାଲିକ ଭଳି ଆମେ ନ ହୋଇପାରୁ । ଅନ୍ୟଭାଷାରେ କହିବାକୁ ଗଲେ, ସେଭଳି ଆମେ ହେବାପାଇଁ ଚାହୁଁନୁ । କାରଣ ସେମାନେ ଜାଣଇଛନ୍ତି, ସେମାନେ କେତେ ଗଣମାଧ୍ୟମର ମାହାତ୍ମ୍ୟ ରଖିପାରୁଛନ୍ତି । ଓଡ଼ିଶାରେ ଗଣମାଧ୍ୟମର ପୁରୁଖା କହିଲେ, ସୌମ୍ୟରଞ୍ଜନ ପଟ୍ଟନାୟକ, ତଥାଗତ ଶତପଥୀ, ଡଃ ମନୋଜ ରଞ୍ଜନ ନାୟକ, ଅଚ୍ୟୁତ ସାମନ୍ତ ଓ ଭତ୍ତୃହରି ମହାତାବଙ୍କ ଭଳି ନାଁ ଆଗକୁ ଆସୁଛି । ଏମାନେ ଓଡ଼ିଶା ଗଣମାଧ୍ୟମର କାଳେ ମାଇଲଖୁଣ୍ଟ । ହେଲେ ଏମାନଙ୍କ ଗଣମାଧ୍ୟମ କରୁଛି କ’ଣ? ବର୍ତ୍ତମାନ ଓଡ଼ିଶାର ଗଣମାଧ୍ୟମକୁ ନେଇ ସମାଲୋଚନା ଏତେ ତୀବ୍ର ହୋଇଛି ଯେ, ଏହି ପ୍ରସଙ୍ଗ ଏବେ ରାସ୍ତାଘାଟକୁ ଆସିଲାଣି । ସୋମାଲୋଚନା ହେବା ବି ଅକାରଣ ନୁହେଁ ।

ଆମେ ଏଠି ଦେଖାଇବୁ ଖବର ସଂଗ୍ରହ କରିବା ନାଁରେ ଗଣମାଧ୍ୟମ କେତେ ତଳକୁ ଖସିଯାଉଛି । ଗୋଟିଏ ଅଭିନେତାଙ୍କ ପାରିବାରିକ ବିବାଦକୁ ନେଇ ଖବର ସଂଗ୍ରହ କରାଯାଇଛି । ଯାହା ଅତି ନିର୍ଲଜ ଭଳି ଲାଗୁଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ବାଲକୋନି ଉପରେ ଛିଡା ହୋଇ କହୁଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ବୁମ୍ ଉପରକୁ ଟେକି ବାଇଟ୍ ନେଉଛନ୍ତି । ପାରିବାରିକ ବିବାଦକୁ ନେଇ ଖବର ସଂଗ୍ରହ କରିବାକୁ ଏତେ ବ୍ୟସ୍ତ ଯେ, କିଏ ବାଡ଼ି ଦୂଆର ଦେଇ ପସିଲାଣି ତ ଆଉ କିଏ ପାଚେରୀ କୁଦିଲାଣି । ହଁ ଏଭଳି ନିର୍ଲଜ ଘଟଣାକୁ ସମସ୍ତ ଗଣମାଧ୍ୟମ ବନ୍ଧୁ ଯେ, ସମର୍ଥନ କରିଛନ୍ତି, ତାହା ନୁହେଁ । ଏଭଳି ଘଟଣାକୁ ପଛପଟୁ କେହି ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଭଳି ଘଟଣାକୁ ଗଣମାଧ୍ୟମର ସମ୍ପାଦକ, ମାଲିକ ବା ବରିଷ୍ଠମାନେ କିଭଳି ଗ୍ରହଣକରିଛନ୍ତି, ଆମେ ଜାଣିନୁ । କିନ୍ତୁ ଜନସାଧାରଣଙ୍କ ମତ ଏହାକୁ ତୀବ୍ର ବିରୋଧ କରୁଛି । ଯଦି ସାମ୍ବାଦିକତାର ଧର୍ମ ଦେଖିବା ତାହା ମଧ୍ୟ ଅନୁମୋଦିତ ହେଉନାହିଁ ।

ଓଡ଼ିଶାର ପ୍ରାୟ ସମସ୍ତ ଗଣମାଧ୍ୟମ ନିଶା ସେବନ କରୁଥିବା ଅଭିଯୋଗ ଥିବା ଜଣେ ଚଳଚିତ୍ର ଅଭିନେତାଙ୍କ ପଛପଟେ ବୁଲୁଥିଲେ । ଯାହାଙ୍କୁ କେତେକ ନିଶାଡି ବୋଲି ମଧ୍ୟ କହୁଥିଲେ । ଏଭଳି ଏକ ପ୍ରସଙ୍ଗ ଆଗରେ ଓଡ଼ିଶାର ଗଣମାଧ୍ୟମ ରାଜ୍ୟ ସ୍ୱାର୍ଥକୁ ନ୍ୟୁନ କରିଦେଇଛନ୍ତି । ଆମେ ଏଠି ଏଥିପାଇଁ ଏମଥା କହୁଛୁ, କାରଣ ଏବେ ବିଧାନସଭା ଚାଲିଛି । ବିଧାନସଭାରେ ତ ଯାହା ତାମସା ଚାଲିଛି, ତାହା ଭିନ୍ନ କଥା । କିନ୍ତୁ ଯେତିକି ସମୟ ବି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି, ସେହି ଆଲୋଚନା ବି ଖବର ଭିତରକୁ ଆସୁନାହିଁ । ବିଧାୟକମାନେ ଦରମା ଦାବି କରିବା ହେଉ ବା ରାଜ୍ୟର ଆଇନଶୃଙ୍ଖଳା କଥା ହେଉ, ତାହା ଉପରେ ତର୍ଜମା ହେଉନାହିଁ । ରାଜ୍ୟର ଆର୍ଥିକ ସ୍ଥିତି ଓ ବାସ୍ତବ ସାମାଜିକ ବିକାଶକୁ ବି କେହି ଦେଖୁନାହାନ୍ତି । ଆଜିର ଗଣମାଧ୍ୟମର ଖବର ପରିବେଷଣ ଟଙ୍କୁରୁଭୋଳ ଓ ବାବୁସାନଙ୍କ ଭଳି ଅତି ନଗନ୍ୟ ବ୍ୟକ୍ତିଙ୍କ ପାଖରେ ସୀମିତ ହୋଇଯାଇଛି । ଆମେ ଏଠାରେ ଜଣେ ସାମ୍ବାଦିକ ବନ୍ଧୁଙ୍କ ପ୍ରଶ୍ନ କୁ ଉଠାଉଛୁ । ସେ ସମ୍ପାଦକଙ୍କୁ ପ୍ରଶ୍ନ ପଚାରିଛନ୍ତି । ଯଦି ମାଦକ ଦ୍ରବ୍ୟ ପରୀକ୍ଷାରେ ଆଥଲେଟ୍ ମାନଙ୍କୁ ସୂଯୋଗ ଦିଆଯାଉନାହିଁ । ଆଉ ତାଙ୍କ ଖବର ପ୍ରସାରଣ କରାଯାଉନି । ତାହେଲେ ମଦୁଆ, ନିଶାଡି ଅଭିନେତାଙ୍କୁ ସୁପରଷ୍ଟାର କାହିଁକି କୁହାଯାଉଛି ବା ତାଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି ଦେଖାଯାଉଛି । ଇଏ ତ ଗୋଟିଏ ପ୍ରଶ୍ନ । କିନ୍ତୁ ଏଭଳି ଅନେକ ପ୍ରଶ୍ନ ଏବେ ଲୋକେ ପଚାରିଲେଣି, ଗଣମାଧ୍ୟମ ଏତେ ନିର୍ଲଜ କେମିତି ହୋଇପାରୁଛି, ଏତେ ତଳକୁ କେମିତି ଖସିପାରୁଛି? ଗଣମାଧ୍ୟମ ସହ ଜଡ଼ିତ କିଛି ଲୋକ କହୁଛନ୍ତି, ଏଭଳି ଖବର ଏବେ ଲୋକମାନେ ଚାହୁଁଛନ୍ତି । ସେମାନେ ମଧ୍ୟ ସାମ୍ବାଦିକତାର ଶୀର୍ଷରେ ଅଛନ୍ତି । ଗଣମାଧ୍ୟମ କେବଳ ଲୋକ ଯାହା ଚାହାନ୍ତି, ତାହା ଦେଖାନ୍ତିନି ।

ସାମ୍ବାଦିକତାର ଅର୍ଥ ବୋଧ ହୁଏ ଏଇଆ, ଯାହା ସମସ୍ତେ ସହମତ ହେବେ, ଯାହା ବାସ୍ତବ ତାହା ଦେଖାଇବା, ଯାହା ସମୂହ ବିକାଶର ଚିନ୍ତା ରଖେ, ତାକୁ ଦେଖାଏ, ଯାହା ସରକାରଙ୍କ ଭୁଲ, ତାକୁ ଦେଖାଏ । କିଛି ଲୋକଙ୍କର ସ୍ଖଳିତ ମାନସିକତାକୁ ନେଇ ଲୋକେ ଚାହୁଁନ୍ତି ବୋଲି ଦର୍ଶାଇବା ନିଜର ଅଜ୍ଞାନତା ଛଡା କିଛି ନୁହେଁ ବୋଲି ବହୁ ବୁଦ୍ଧିଜୀବୀ ମାନେ କହୁଛନ୍ତି । ଗଣମାଧ୍ୟମ ଯେ ସର୍ବେସର୍ବା ତାହା ନୁହେଁ । ହେ ମୁରବି ମାନେ ଗଣମାଧ୍ୟମର ବାସ୍ତବତାକୁ ବୁଝନ୍ତୁ । ଆଉ ଉପହାସିତ ହେବାରୁ ବଞ୍ଚିତ ହୁଅନ୍ତୁ । ଅନ୍ୟଥା ଦିନ ଆସିବ ଗଣମାଧ୍ୟମ ଗୋଟିଏ କଳୁଷିତ ମାଧ୍ୟମ ହୋଇଯିବ । ଆଉ ସାମାଜିକ ଅଧୋପତ୍ତନ ପାଇଁ ଏହି ଗଣମାଧ୍ୟମ ହିଁ ଦାୟୀ ରହିବ ।

Exit mobile version