ଏକାଠି ବଞ୍ଚୁଛନ୍ତି ଗାଇ-ମଣିଷ

ଯାଜପୁର (ଦ କୁଇଭର): ନମ୍ବର ୱାନ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ବିଡ଼ମ୍ବନା । ଗାଇ ଯେଉଁଠି, ମଣିଷ ସେଇଠି । ଗୋଟିଏ ଯାଗାରେ ଖାଉଛନ୍ତି । ଗୋଟିଏ ଯାଗାରେ ସୋଉଛନ୍ତି । ଏଭଳି ଦୟନୀୟ ଚିତ୍ର ସମ୍ପଦଭରା ଜିଲ୍ଲା ଯାଜପୁରରୁ ଆସିଛି । ଯାହାକୁ ଦେଖିଲେ ଆପଣ ବି କହିବେ, ବାହା ବାହାରେ ସରକାର । ବାହା ବାହା ତମ ବ୍ୟବସ୍ଥା ।ଗରିବଙ୍କ ବିକାଶ ପାଇଁ ସରକାରଙ୍କ ବହୁ ଯୋଜନା ଅଛି । ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ସରକାର ବାରମ୍ବାର ଘୋଷଣା କରୁଛନ୍ତି । ରାଜ୍ୟରେ କେହି ଯେପରି ଖାଦ୍ୟଭାବରେ ରହିବେନି, ସେକଥା ବି ସରକାର କହୁଛନ୍ତି । କିନ୍ତୁ ଏ ସବ ଯୋଜନା ଯେମିତି ଆସି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗାଁର ଶ୍ରୀଧର ମଲ୍ଲିକଙ୍କ ପାଖରେ ବନ୍ଦ ହୋଇଯାଇଛି ।

ଇଏ ହେଉଛି ସେଇ ଜିଲ୍ଲା, ଯେଉଁ ଜିଲ୍ଲାର ଜଣେ ବିଧାୟକ ହେଉଛନ୍ତି ରାଜ୍ୟସରକାରଙ୍କ ହର୍ତ୍ତାକର୍ତ୍ତା ଦୈବ ବିଧାତାଙ୍କ ଠାରୁ କିଛିକମ୍ ନୁହେଁ ବୋଲି ଚର୍ଚ୍ଚା ହେଉଛି । ସାରା ରାଜ୍ୟର ବିକାଶକୁ ସେ ମୁଣ୍ଡାଇଛନ୍ତି । ହେଲେ ଦୀପ ତଳ ଅନ୍ଧାର ଭଳି ତାଙ୍କ ଜିଲ୍ଲାର ଇଏ ହେଉଛି ସ୍ଥିତି । ସରକାରଙ୍କ ପକ୍କା ଘର ଯୋଜନା ଯେମିତି ତାଙ୍କ ପାଇଁ ସାତସପନ । ସେଥିରେ ବି ସେ ସାମିଲ ହୋଇପାରି ନାହାନ୍ତି । ଖାଲି ସେତିକି ନୁହେଁ, ସେ ଏହାବି କହୁଛନ୍ତି, ଦିନକୁ ଦି ଓଳି ଖାଇବା ବି ସେମାନଙ୍କ ପାଇଁ କଷ୍ଟ ହୋଇପଡ଼ୁଛି । ଏ ଚିତ୍ର ହିଁ ବୟାନ କରୁଛି, କେତେ ଦୟନୀୟଭାବେ ଜୀବନ ଅତିବାହିତ କରୁଛନ୍ତି । ଖରାଦିନେ କଷ୍ଟେମଷ୍ଟେ ଚଳିଯାଉଥିବା ବେଳେ ବର୍ଷା ଦିନେ ସ୍ଥିତି ଅସମ୍ଭାଳ ହୋଇପଡୁଛି । ଘର କହିଲେ, ଖଣ୍ଡିଏ ଭଙ୍ଗା ଚାଳ ଛପର । ଦିନରେ ସୁର୍ଯ୍ୟ ଦେଖାଯାଉଥିବା ବେଳେ ରାତିରେ ଜହ୍ନ ଦେଖାଯାଉଛି । ଗୋଟିଏ ପାଖରେ ଚଳୁଥିବାବେଳେ ଅନ୍ୟପାଖରେ ଗାଇ ବନ୍ଧାହୋଇଛି । ଲାଗୁଛି, ଗାଇ ଓ ମଣିଷ ଏକାଠି ବଞ୍ଚୁଛନ୍ତି ।

ଏହି ଦୟନୀୟ ଚିତ୍ର ଦେଖିବା ପରେ ପ୍ରଶ୍ନ ଉଠୁଛି, କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା? ଯେଉଁଠି ଦିନକୁ ୪ଶହ ଟଙ୍କାର ମଜୁରି ସହିତ ଜଣେ ଖାଇବାର ରୋଜଗାର ଦେଇଥାଏ ।ଏହାସହ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାସକୁ ୫ କିଲୋ ଚାଉଳ ବି ପର୍ଯ୍ୟାପ୍ତ ହେଉନି, ସେକଥା ବି ଏଠି ଜଣାପଡ଼ିଯାଉଛି । ଖାଲି ସେତିକି ନୁହେଁ, ସେମାନେ କିପରି ନିଯୁକ୍ତି ପାଇବେ ଓ ସେମାନଙ୍କ ଆୟ ବୃଦ୍ଧିହେବ, ସେଥିପାଇଁ ମଧ୍ୟ କୌଣସି ଯୋଜନା ନାହିଁ । ନା ସରପଞ୍ଚଙ୍କ ପାଖରେ ଖବର ଅଛି । ନା ସେମାନଙ୍କୁ କୌଣସି ଯୋଜନାରେ ସାମିଲ କରିବା ପାଇଁ କୌଣସି ଆଗ୍ରହ ଦେଖାଉଛନ୍ତି । ମହିଳାଜଣଙ୍କ ବ୍ଲକ ଅଫିସକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ଶେଷରେ ତାଙ୍କ ନାଁ ତାଲିକାରେ ନାହିଁ ବୋଲି କହି ଘଉଡ଼ାଇ ଦିଆଯାଉଛି । ଆମେ କହୁନୁ ରାଜ୍ୟ ସରକାର ବିକାଶ କରୁନାହାନ୍ତି । ବିକାଶର ଅନେକ ତାଲିକା ସବୁ ନେତା ଓ ଅଫିସରମାନେ ଗାଇବୁଲୁଛନ୍ତି । ହେଲେ ଏଠି କାହିଁକି ବିକାଶ ପହଞ୍ଚୁନି । ଏହାର ଉତ୍ତର ସରକାରୀ ବାବୁ ଓ ନେତାମାନେ ଦେଇପାରିବେ କି? ନମ୍ବର ୱାନ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଗାଇ ଓ ମଣିଷ ଏକାଠି ବଞ୍ଚିବା କେତେ ଦୂର ଗ୍ରହଣୀୟ, ତାହାଖୋଦ୍ ସରକାର ହିଁ କହିପାରିବେ ।

Leave a Reply

Your email address will not be published. Required fields are marked *