ଅକ୍ଟୋବର ସୁଦ୍ଧା ଦେଶରେ ଉପଲବ୍ଧ ହେବ 5G ସେବା

ମୁମ୍ବାଇ (ଦ କୁଇଭର ବ୍ୟୁରୋ): ଖୁବଶୀଘ୍ର ମିଳିବ 5G ସେବା । ଦେଶରେ 5G ସେବା ଆରମ୍ଭ ପାଇଁ ରିଲାଏନ୍ସ ଜିଓର ପ୍ରସ୍ତୁତି ସରିଛି । ଯଦିଓ 5Gର ପ୍ଲାନ୍ ଓ ଟ୍ରାଏଲ୍ସକୁ ନେଇ କମ୍ପାନୀ ବିଶେଷ ସୂଚନା ଦେଉନି ତଥାପି ଅଗଷ୍ଟ ୧୫ରୁ ଜିଓ ଆରମ୍ଭ କରିପାରେ 5G ସେବା । ଏନେଇ ରିଲାଏନ୍ସ ଜିଓ ପକ୍ଷରୁ ସଂକେତ ଦିଆଯାଇଛି । ଅଗଷ୍ଟ ୧୫ରୁ ପୂରା ଦେଶରେ ଜିଓ 5G ସେବା ଆରମ୍ଭ କରିପାରେ । ଯାହାର ଇସାରା ଦେଇଛନ୍ତି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ । ସେ କହିଛନ୍ତି, ଆଜାଦୀ ଅମୃତ ମହୋତ୍ସବ ପୂରା ଦେଶରେ 5G ଆରମ୍ଭ ସହିତ ପାଳନ କରିବେ ।

ରୋଚକ କଥା ହେଉଛି ପୁଣି ଥରେ ଟେଲିକମ୍ ଦୁନିଆରେ ନିଜ ଦବବଦା ଜାହିର କରିବାକୁ ଯାଉଛି ରିଲିଆନ୍ସ ଜିଓ ଗ୍ରୁପ୍ । ରିଲିଆନ୍ସ ଜିଓ 5G ସ୍ପେକ୍ଟ୍ରମ ନିଲାମୀରେ ରିଲାଏନ୍ସ ଜିଓ ବିପୁଳ ୮୮ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ତା ଛଡ଼ା ଜିଓ ପାଖେ ଅତ୍ୟାଧୁନିକ ଟେକ୍ନୋଲୋଜି ରହିଛି ।

ଏକମାତ୍ର କମ୍ପାନୀ ଭାବେ କେବଳ ଜିଓ ନିକଟରେ ରହିଛି ୭୦୦ ମେଗାହର୍ଜ ଏୟାରୱେବ୍ସ । ଫଳରେ ଏହାଦ୍ୱାରା ଅନ୍ୟ ଟେଲିକମ୍ କମ୍ପାନୀ ଠାରୁ ଲାଭ ପାଇବ ରିଲାଏନ୍ସ ଜିଓ । ଦେଶରେ 5G ସ୍ପେକ୍ଟ୍ରମ ପାଇଁ ହୋଇଥିବା ନିଲାମୀରେ ୪ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ । ଜିଓ ସହ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ଅଡ୍ଡାନୀ ନେଟୱର୍କ ନିଲାମୀରେ ସାମିଲ୍ ଥିଲା । ପ୍ରାୟ ୧.୫ ଲକ୍ଷ କୋଟି ମୂଲ୍ୟର 5G ସ୍ପେକ୍ଟ୍ରମ କିଣିଛନ୍ତି ୪ଗୋଟି କମ୍ପାନୀ । ଆଉ ଦେଶରେ 5G ସେବା ଆରମ୍ଭ ହେଲେ ଆପଣ 4G ତୁଳନାରେ ଦ୍ରୁତ ଇଣ୍ଟରନେଟ୍ ପାଇବେ । 4G ତୁଳନାରେ 5Gରେ ଶହେ ଗୁଣ ଅଧିକ ସ୍ପିଡର ଇଣ୍ଟରନେଟ୍ ମିଳିବ । ଫଳରେ କେବଳ ଇଣ୍ଟରନେଟ୍ ନୁହେଁ ବରଂ କଲ୍ ଓ ନେଟୱର୍କ କନେକ୍ଟିଭିଟି ଉନ୍ନତ ହେବ ।

ତେବେ ଗତ କାଲି ସ୍ପେକ୍ଟ୍ରମ ବଣ୍ଟନ ପରେ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଅଗଷ୍ଟ ୧୦ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ ଏବଂ ଅକ୍ଟୋବର ସୁଦ୍ଧା ୫ ଜି ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *