Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମଦ: ଲୋକେ ଛାଡ଼ୁଛନ୍ତି, ସରକାର ପିଆଉଛନ୍ତି

ଯାଜପୁର (ଦ କୁଇଭର): ମଦ । ଲୋକେ ଚାହୁଁଛନ୍ତି ଛାଡ଼ିବାକୁ । ସରକାର ଚାହୁଁଛନ୍ତି ପିଆଇବାକୁ । ସେଥିପାଇଁ ଲୋକଙ୍କ ବିରୋଧ ସତ୍ତେ୍ୱ ଗାଁ ଗହଳିରେ ଖୋଲି ଦେଉଛନ୍ତି ମଦ ଦୋକାନ । ସହର ହେଉ କି ଗାଁ । ଏପରିକି ପଡ଼ା ଗାଁରେ ବି ଖୋଲିଲାଣି ମଦ ଦୋକାନ । ଆଉ ଦି ପାଦ ଆଗକୁ ଚାଲିଗଲେଣି ସରକାର । ଛୋଟ ଛୋଟ ଗାଁ ପାଖ ସହରରେ ବି ମଦ ବାର୍ ଖୋଲିବାକୁ ଅନୁମତି ଦେଇ ଦେଲେଣି । ତାର ଅର୍ଥ ଆଗରୁ ଦୋକାନରୁ ମଦ ନେଇ ପିଉଥିଲେ । ଏବେ ଖୋଲାଖୋଲି ବାରରେ ବସି ପିଇବେ । ଆଉ ମଦ ଦୋକାନ ଓ ବାର୍ ଦ୍ୱାରା ବାସ୍ତବ ସ୍ଥିତି କ’ଣ ହେଉଛି, ତାହା ସରକାର ଜାଣୁନାହାନ୍ତି । ରାଜ୍ୟ ସରକାରଙ୍କୁ କେବଳ ଘାରିଛି ରାଜସ୍ୱ ଆଦାୟ ନିଶା । କିପରି ଲୋକଙ୍କୁ ମଦୁଆ କରି ତହବିଲ ଭରିବେ । ଲୋକେ ପଛେ ମଦୁଆ ହୁଅନ୍ତୁ, ଘର ପଛେ ଉଜୁଡ଼ିଯାଉ, ପିଲା ପଛେ ପାଠ ପଢା ଛାଡ଼ି ଅପରାଧୀ ହୁଅନ୍ତୁ, ଭବିଷ୍ୟତ ତାଙ୍କର ଅନ୍ଧକାର ହୋଇଯାଉ, ସରକାର କିନ୍ତୁ ମଦ ବିକି ଟଙ୍କା ରୋଜଗାର କରୁଛନ୍ତି ।

ବର୍ତ୍ତମାନ ଗାଁ ଗହଳିରେ ଥିବା ମଦ ଦୋକାନକୁ ଲୋକେ ବିରୋଧ କଲେଣି । ଲୋକମାନେ କହିଲେଣି ଆମ ଗାଁ ପାଖରେ ମଦ ଦୋକନ ବନ୍ଦ କରିଦିଅ । ନହେଲେ ଆମେ ବର୍ବାଦ ହୋଇଯିବୁ । ଖଟିବା ବାହାନାରେ ଲୋକମାନେ ଏବେ ମଦ ପିଉଛନ୍ତି, ସେମାନଙ୍କର ଦିନକର ମଜୁରୀ ବି ମଦରେ ସାରିଦେଉଛନ୍ତି । ସେପଟେ ସେମାନଙ୍କ ପରିବାର ଓପାସରେ ସୋଉଛି । ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଉଛି । ତେଣୁ ଗାଁରେ ମଦ ଦୋକାନଙ୍କୁ ବନ୍ଦ କରିବାକୁ ଲୋକେମାନେ ଦାବି କଲେଣି ।

Odisha Government Opening More Liquor Shop in Rural Village | ମଦ: ଲୋକେ ଛାଡ଼ୁଛନ୍ତି, ସରକାର ପିଆଉଛନ୍ତି

ଲୋକେ ପଛେ ମରନ୍ତୁ, କିନ୍ତୁ ସରକାରଙ୍କୁ ରାଜସ୍ୱ ଦରକାର । ଓଡ଼ିଶାରେ ଏମିତି କୌଣସି ବି ଗୋଟିଏ ଗାଁ ନାହିଁ, ଯେଉଁଠି ମଦ ଦୋକାନ ନାହିଁ । ସେ ଚୋରା ହେଉ କି ସ୍ୱୀକୃତିପ୍ରାପ୍ତ, ପ୍ରତି ଗାଁରେ ଏବେ ମଦ ଦୋକାନ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଦ ଦୋକାନ ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧି ମଧ୍ୟରେ ନ ରହିବାର ନିୟମ ରହିଛି । କିନ୍ତୁ ଯାଜପୁର ଜିଲ୍ଲା ଜେନାପୁର ମଧୁପୁର ଗଡରେ ସ୍କୁଲ ଓ କଲେଜର ୨୦୦ ମିଟର ଭିତରେ ମଦ ଦୋକାନ ରହିଛି । ଯେଉଁବାଟ ଦେଇ ପ୍ରତିଦିନ ବିଭିନ୍ନ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ତେଣୁ ଏହାଦ୍ୱାରା ଦେଶର ଆଗାମୀ ଭବିଷ୍ୟତମାନଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ, ତାହା ଏବେ ଚିନ୍ତାର ବିଷୟ । ତେଣୁ ଲୋକେ ଏବେ ଏକଥା ବି କହିଲେଣି, ସରକାର ଆମେ ଗଢିଛୁ । ତେଣୁ ଆମେ କିପରି ଭଲରେ ରହିବୁ, ସେ ପଦକ୍ଷେପ ବି ସରକାର ନେବା ଉଚିତ୍ । ରାଜ୍ୟ ସରକାରଙ୍କ ଏହି ପ୍ରାୟୋଜିତ ମଦ ଦୋକାନ ଯୋଗୁଁ ସାଧାରଣ ପରିବାର କିପରି ଉଜୁଡି ଯାଉଛି, ତାହାକୁ ଥରେ ରାଜ୍ୟ ସରକାର ଦେଖନ୍ତୁ ।

Exit mobile version