ରାଜ୍ୟରେ ୫ରୁ ପୁଣି ବର୍ଷା, ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଚେତାବନୀ

(ଦ କୁଇଭର ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ । ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ହୋଇଛି । ହିମାଳୟ ପାଦ ଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ । ଘୂର୍ଣ୍ଣିବଳୟ ପୂର୍ବରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଏହା ପ୍ରଭାବରେ ଅଗଷ୍ଟ ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ରହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୬ ତାରିଖରେ ବର୍ଷାର ପରିମାଣ ବଢ଼ିବ । ୫ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୪ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି ହୋଇଛି । ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ୧୪ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । କଟକରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ଥିବାବେଳେ ବୌଦ୍ଧରେ ୩୬ ଡିଗ୍ରୀ, ଚାନ୍ଦବାଲିରେ ୩୫.୭ ଡିଗ୍ରୀ, ଭୁବନେଶ୍ୱର ରେ ୩୫.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଆଗାମୀ ୩ ଦିନ ଯାଏ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ଅଧିକ ରହିବ । ଏହାପରେ ତାପମାତ୍ରା ହ୍ରାସ ପାଇବ ।

Leave a Reply

Your email address will not be published. Required fields are marked *