ତାଇୱାନ୍ ସୀମାରେ ମିଶାଇଲ୍ ମାଡ଼କଲା ଚାଇନା

ବେଜିଂ (ଦ କୁଇଭର ବ୍ୟୁରୋ): ତାଇୱାନ୍ ସୀମାରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ କରୁଛି ଚୀନ । ସୂଚନାନୁସାରେ ତାଇୱାନକୁ ନେଇ ତିକ୍ତତା ବଢୁଥିବା ବେଳେ ଚାଇନା ତାଇୱାନ ସୀମାରେ DF-୧୫ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଜଣାପଡିଛି । ଚୀନ୍ ତାଇୱାନକୁ ସମୁଦ୍ରରେ ଘେରି ଯୁଦ୍ଧ ଅଭ୍ୟାସ କରୁଛି ଏବଂ ଚୀନ୍ ର ଏହି ପଦକ୍ଷେପକୁ ତାଇୱାନ ଆଞ୍ଚଳିକ ଶାନ୍ତି ପ୍ରତି ବିପଦ ବୋଲି କହିଛି ।

ତାଇୱାନକୁ ଉଚିତ ଶିକ୍ଷା ଦେବାକୁ ଚୀନ୍ ର ସେନା ତାଇୱାନର ସୀମା ପାଖରେ ଘେରାବନ୍ଦୀ କରିଛି ଓ ୪ରୁ ୭ ଅଗଷ୍ଟରେ ସାମରିକ ଅଭ୍ୟାସ ଆରମ୍ଭ କରିବାର ଘୋଷଣା କରିଛି। ଜଣେ ପିଏଲଏ ମୁଖପାତ୍ର କହିଛନ୍ତି ଯେ ତାଇୱାନ ଚାରିପାଖରେ ମିଳିତ ସାମରିକ ଅପରେସନ ଆରମ୍ଭ କରିଛି। କେବଳ ଏତିକି ନୁହେଁ, ଚୀନ୍ ସାମୁଦ୍ରିକ ଅଞ୍ଚଳରେ ପାରମ୍ପାରିକ କ୍ଷେପଣାସ୍ତ୍ର ଗୁଳି ପରୀକ୍ଷା ଆରମ୍ଭ କରିଛି । ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡ଼ାଣ କରିଛି ଚାଇନାର ୨୭ଟି ଯୁଦ୍ଧ ବିମାନ।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଚୀନ୍ ଆଜି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଅନ୍ୟପକ୍ଷରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ଚୀନ୍ର ଯୁଦ୍ଧ ଅଭ୍ୟାସ ଯୋଗୁଁ ତାଇୱାନ ଗୁରୁବାର ବିମାନ ଉଡ଼ାଣ ବାତିଲ କରିଛି। ଅନ୍ୟପଟେ ଚୀନ୍ ର ବୈଦେଶିକ ମନ୍ତ୍ରାଳୟ ଗୁରୁବାର କହିଛି ଯେ କମ୍ୱୋଡ଼ିଆରେ ଏସିଆନ୍ କାର୍ୟ୍ୟକର୍ମକୁ ନେଇ ଜାପାନ୍ ସହ ଆୟୋଜିତ ବୈଠକରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ ୟି ଯୋଗ ଦେବେ ନାହିଁ । ଏହି ବୈଠକକୁ ବାତିଲ୍ କରାଯାଇଛି । ଏକ ନିୟମିତ ଗଣମାଧ୍ୟମ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ତାଇୱାନକୁ ନେଇ ଜି୭ର ବିବୃତ୍ତିକୁ ନେଇ ଚୀନ୍ ଅସନ୍ତୋଷ ବ୍ୟକ୍ତ କରିଛି ।

Leave a Reply

Your email address will not be published. Required fields are marked *