ମହଙ୍ଗା ପଡ଼ିଲା କି ବିଜେଡି ସମ୍ପର୍କ ?

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ କଲା । ତାଙ୍କ ପୁଅ କୁ ବି ଅରେଷ୍ଟ କଲା । ଘର ଠୁ ଅଫିସ ସବୁଠି ତଲାସି କରୁଛି । ମହିମାଙ୍କୁ ପୂରା କଲବଲ କରିସାରିଲାଣି ସିବିଆଇ । ହେଲେ ହଠାତ୍ ଏ ସିବିଆଇ ରେଡ କାହିଁକି? ତାଙ୍କ ସହିତ ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ବ୍ୟବସାୟିକ ସମ୍ପର୍କ ତିଆରି ହୋଇଛି । ମହିମା ମିଶ୍ରଙ୍କ କମ୍ପାନୀରେ କାଳେ ବିଜେଡି ନେତାଙ୍କ ସମ୍ପର୍କୀୟ ବଡ଼ ବଡ଼ ମେସିନ ନିୟୋଜିତ କରି କାମ କରୁଛନ୍ତି । ତାଙ୍କର ଏହି ବ୍ୟବସାୟିକ ପତିଆରା ପାଇଁ ପ୍ରତିପକ୍ଷ କାମ କରିବାକୁ ସୁଯୋଗ ପାଉନାହିଁ । ପ୍ରତିପକ୍ଷ ପଛରେ କାଳେ ଦିଲ୍ଲୀରୁ ସମର୍ଥନ ଅଛି । ଏକଥା ସବୁ ଏବେ ପାରାଦୀପରୁ ଭୁବନେଶ୍ୱର ସବୁଠି ଘୂରି ବୁଲୁଛି । ବିଜେଡି ନେତାଙ୍କ ସମ୍ପର୍କ ତାଙ୍କ ପାଇଁ ମହଙ୍ଗା ହୋଇଥିବା ପାରାଦୀପରେ ଜୋର ଚର୍ଚ୍ଚା । ସେଥିପାଇଁ ଏବେ ସିବିଆଇ ଖୋଳତାଡ କରୁଛି । ହେଲେ କିଏ ସେହି ବିଜେଡି ନେତା? କ’ଣ ତାଙ୍କର ସମ୍ପର୍କ? ସେ ନେତାଙ୍କର ସମର୍ଥନ କିପରି ମହିମା ମିଶ୍ରଙ୍କ ପଛରେ ରହିଛି? ଏହା ପ୍ରତିପକ୍ଷକୁ କିଭଳି ଅକଳରେ ପକାଉଛି, ତାହା ଏବେ ବଡ଼ ପ୍ରସଙ୍ଗ ହୋଇ ଛିଡା ହୋଇଛି ।

ପାରାଦୀପରେ ଶିଳ୍ପପତି ମହିମା ମିଶ୍ରଙ୍କ ବେଶ୍ ଦବଦବା ରହିଛି । କାରଣ ସେ ହେଉଛନ୍ତି ଓଡ଼ିଶା ଷ୍ଟେଭଡରସ ଲିମିଟେଡର ପ୍ରତିଷ୍ଠାତା । ଯେଉଁ ସଂସ୍ଥା ପାରାଦୀପ ବନ୍ଦରରେ ଜାହାଜରୁ ମାଲ ଅନଲୋଡିଂ କରିବାର ଟେଣ୍ଡର ନେଇଥାଏ । ଏପରିକି ଟ୍ରକ୍, ଡମ୍ଫର ଓ ଶ୍ରମିକଙ୍କ ୟୁନିୟନ ମହିମାଙ୍କ ଇଙ୍ଗିତରେ ଚାଲେ । କିନ୍ତୁ ହଠାତ୍ ୨୦୧୫ ମସିହା ପରଠାରୁ ବଦଳିଯାଏ ଷ୍ଟିଭେଡରିଂ ଚିତ୍ର । ତାପରେ ପାରାଦୀପକୁ ପ୍ରବେଶ କରେ ସିୱେଜ୍ ନାମକ ଏକ ବାହାର କମ୍ପାନୀ । ଯାହା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କର ସମ୍ପର୍କୀୟଙ୍କର ବୋଲି କୁହାଯାଏ । ତା ପରଠାରୁ ପାରାଦୀପର ସବୁ ଟେଣ୍ଡର ଓଏସଏଲ ପାଖରୁ ସିୱେଜ୍ ପାଖକୁ ଚାଲିଯାଏ । ଯାହାପରେ ଆରମ୍ଭ ହୁଏ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଦୀର୍ଘଦିନ ଧରି ଏହି ବିବାଦ ଲାଗି ରହେ । ଏହାକୁ ନେଇ ସିୱେଜର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ମୁଣ୍ଡ ମଧ୍ୟ ଗଡ଼ିଛି । କିନ୍ତୁ ବିବାଦ ଥମିନାହିଁ ।

ସେପଟେ ବର୍ତ୍ତମାନ ମହିମା ମିଶ୍ରଙ୍କ ପଛରେ ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ସମର୍ଥନ ଥିବାରୁ ବତ୍ତର୍ମାନ ସବୁ ଟେଣ୍ଡର ଓଏସଏଲ ହାତେଇ ନିଏ । ଏପରିକି ଉପକୂଳ ଜିଲ୍ଲାରେ ଉକ୍ତ ବିଜେଡି ନେତାଙ୍କ ସମ୍ପର୍କୀୟଙ୍କ ୬ରୁ ୭ଟି ଗାଡି ମହିମା ମିଶ୍ରଙ୍କ କମ୍ପାନୀରେ ଲାଗିଛି । ଯାହାର ଦାମ୍ ୬ରୁ ୭ କୋଟି ଟଙ୍କା । ସେହି ଗାଡ଼ି ଲାଗିବା ଦ୍ୱାରା ଓଏସଏଲର ବ୍ୟବସାୟ ବୃଦ୍ଧି ପାଉଛି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରତିପକ୍ଷ ଗୋଷ୍ଠୀ । କିନ୍ତୁ କିଏ ସେହି ବିଜେଡି ନେତା? କେଉଁ ବିଜେଡି ନେତାଙ୍କ ଛତ୍ରଛାୟାରେ ମହିମା ମିଶ୍ର ଆଗକୁ ବଢି ଚାଲିଛନ୍ତି, ତାହା ଏବେ ସିବିଆଇ ଖୋଳତାଡ କରୁଛି । କୁହାଯାଉଛି ସେ ବି ବିଜେଡି ନେତା କାଳେ ସିବିଆଇ ସ୍କାନରରେ ଅଛନ୍ତି । କୌଣସି ମୁହୂର୍ତ୍ତରେ ଏହାର ପର୍ଦ୍ଦାଫାସ କରିପାରେ ସିବିଆଇ । ତେବେ ଦେଖିବାକୁ ବାକି ରହିଲା, ଏହି ମାମଲାରେ ସିବିଆର ତଦନ୍ତ କେଉଁ ଦିଗକୁ ଗତି କରୁଛି ।

Leave a Reply

Your email address will not be published. Required fields are marked *