୭ରେ ଲଘୁଚାପ ! ୧୦ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଦ କୁଇଭର): ଆସନ୍ତା ୭ ଅଗଷ୍ଟ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ସ୍ୱାଭାବିକ ଅବସ୍ଥାନକୁ ଫେରୁଛି । ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ବଢ଼ିବ । ଏହି ଲଘୁଚାପ ପ୍ରଭାବରେ ୬ ରୁ ୧୦ ଯାଏଁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛି । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୬ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଆଦି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୭ ତାରିଖରେ ବର୍ଷାର ପରିମାଣ ବଢ଼ିବ । ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପଟେ ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୭ ଏବଂ ୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *