ସକ୍ରିୟ ହେଉଛି ଲଘୁଚାପ ! ଜାରି ରହିପାରେ ବର୍ଷା

ଭୁବନେଶ୍ୱର (ଦ କୁଇଭର): ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୭ରୁ ପୁଣି ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଜିଠୁ ବର୍ଷାର ପରିମାଣ ବଢିବ, ଆସନ୍ତା କାଲିଠୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯିବ । ୬ ରୁ ୧୦ ଯାଏଁ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ୮ ଏବଂ ୯ ତାରିଖ ମଧ୍ୟରେ କିଛ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି (୨୦ସେମି) । ସପ୍ତାହକ ମଧ୍ୟରେ ୨ଟି ଲଘୁଚାପ ଉପକୂଳ ମୁହାଁ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ବର୍ତ୍ତମାନ ମୌସୁମୀ ନିମ୍ନ ଚାପ ରେଖା ଓଡ଼ିଶା ନିକଟବର୍ତ୍ତୀ ଅଞ୍ଚଳ ଦୀଘା ଦେଇ ଗତି କରୁଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ ତାରିଖରେ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପ୍ରଭାବରେ ରାଜ୍ୟରେ ଆଜିଠୁ ୧୦ ତାରିଖ ପର୍ୟ୍ୟନ୍ତ ଲାଗି ରହିବ ବର୍ଷା ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଯାହାର ପ୍ରଭାବରେ ୧୭ ତାରିଖ ପର୍ୟ୍ୟନ୍ତ ଭଲ ବର୍ଷା ହେବ। ଲଘୁଚାପ ଆସିଲେ ମୌସୁମୀ ସକ୍ରିୟ ହୁଏ । ତେଣୁ ଅଗଷ୍ଟ ମାସରେ ଭଲ ବର୍ଷା ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଓ ମହାନଦୀ ଅବବାହିକାରେ ବର୍ଷା ଅଧିକ ରହିବା ନେଇ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଭିତରେ ଓ ଉପକୂଳରେ ପବନର ବେଗ ୪୫ ରୁ ୫୫ କିମି ଘଣ୍ଟା ପ୍ରତି ରହିବ । ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ୭ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି ।

Leave a Reply

Your email address will not be published. Required fields are marked *