ଜଙ୍ଗଲ ଆଇନର ଜଙ୍ଗଲୀ ଶାସନ

କେନ୍ଦ୍ରାପଡା (ଦ କୁଇଭର): କେନ୍ଦ୍ରାପଡାର ଭିତରକନିକା ହେଉଛି ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ । ଆଉ ସବୁଠୁ ବଡ କଥା ହେଉଛି ଏହା ଏକ ଜୈବ ବିବିଧତାର କେନ୍ଦ୍ର । ଏଠି ବନ୍ୟପ୍ରାଣିଙ୍କ ସୁରକ୍ଷା ଯେତିକି ଜରୁରୀ, ଗଛମାନଙ୍କ ସୁରକ୍ଷା ମଧ୍ୟ ସେତିକି ଜରୁରୀ । ଏସିଆର ପ୍ରମୁଖ ହେନ୍ତାଳ ବଣ ଏଠାରେ ଅଛି । କିନ୍ତୁ ବର୍ତ୍ତମାନ ଏହି ହେନ୍ତାଳ ବଣର ସୁରକ୍ଷା ମଧ୍ୟ ପ୍ରଶ୍ନ ଘେରକୁ ଆସିଲାଣି । ଏଠି ବାଂଲାଦେଶୀଙ୍କ ଅନୁପ୍ରବେଶ ନିଶ୍ଚିତ ହେଉଛି । ଏହାକୁ ସରକାରୀ ଅଧିକାରୀମାନେ ରେକର୍ଡଭୁକ୍ତ କରନ୍ତୁ କି ନ କରନ୍ତୁ, ବାଂଲାଦେଶୀ ଏହି ବାଟ ଦେଇ ଓଡିଶାକୁ ପଶୁଛନ୍ତି ।
ଆଉ ବାଂଲାଦେଶୀଙ୍କ ପ୍ରଥମ ବସା ହେଉଛି ଭିତରକନିକା ଅଭୟାରଣ୍ୟ ।

ସେମାନେ ତାଙ୍କର ଘର କରିବା ଆଉ ସେଠି ନିଜର ଜୀବିକା ତିଆରି କରିବା ପାଇଁ ପ୍ରଥମେ ଭିତରକନିଆ ଅଭୟାରଣ୍ୟକୁ ଧ୍ୱଂସ କରୁଛନ୍ତି । ବଣକୁ କାଟି ପଦା କରିଦେଉଛନ୍ତି । ବନ୍ୟଜନ୍ତୁଙ୍କୁ ମାରୁଛନ୍ତି । ଆଉ ଏ ସବୁ କାରବାର ପଛରେ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କର ସମର୍ଥନ ରହିଛି । କାରଣ ସେମାନେ ଯାହା ବି ଗଛ କାଟୁଛନ୍ତି ବା ବନ୍ୟପ୍ରାଣୀ ମାରୁଛନ୍ତି, ତାର ଭାଗ ବନବିଭାଗ ଅଧିକାରୀମାନଙ୍କ ପାଖକୁ ଯାଉଛି ଯାହା ଅଭିଯୋଗ ହେଉଛି । ସେଥିପାଇଁ ଏହି ସବୁ ସୁରକ୍ଷା ସେମାନଙ୍କୁ ଦିଆଯାଉଛି ।

ଆଉ ଏହି ବାଂଲାଦେଶୀଙ୍କ ପଛରେ ରାଜନେତା ମାନଙ୍କର ମଧ୍ୟ ସମର୍ଥନ ଅଛି । ଯେହେତୁ ଶିକ୍ଷିତ ଆଉ ମୂଳ ବାସିନ୍ଦାମାନେ ଭୋଟ ଦେବାରେ ତର୍ଜମା ଓ ବିଚାରବିମର୍ଶ କରନ୍ତି, ସେଥିପାଇଁ ସେମାନଙ୍କଠାରୁ ଭୋଟ ପାଇବା ପାଇଁ ତାଙ୍କୁ ପ୍ରଲୋଭିତ କରିବା ପାଇଁ ଟଙ୍କା ଦେବା ନେତାମାନଙ୍କ ପାଖରେ ଅସମ୍ଭବ ହେଇପଡୁଛି । ତେଣୁ ନେତାମାନେ ଏଭଳି ବାଂଲାଦେଶୀମାନଙ୍କୁ ବିଭିନ୍ନ ପରିଚୟ ପତ୍ର ଦେଇ, ତାଙ୍କୁ ସୁରକ୍ଷା ଦେଇ ଭୋଟ ପାଉଛନ୍ତି । ଏମାନେ ନେତା ହେଉଛନ୍ତି କିନ୍ତୁ ଓଡିଶାକୁ ସର୍ବନାଶ କରୁଛନ୍ତି । କେନ୍ଦ୍ରାପଡାର ମୂଳବାସିନ୍ଦା ସେମାନେ ଯେତେବେଳେ ଏହାକୁ ଅବରୋଧ କରୁଛନ୍ତି । ଭିତରକନିକା ସୁରକ୍ଷା ପାଇଁ କିଛି ସଙ୍ଗଠନ ଯେତେବେଳେ ସ୍ୱର ଉତ୍ତଳନ କରୁଛନ୍ତି, ସେତେବେଳେ ବନ ବିଭାଗର ଅଧିକାରୀ ମାନେ ଜଙ୍ଗଲ ଆଇନ ଦେଖାଇ ଜଙ୍ଗଲୀ ଶାସନ କରୁଛନ୍ତି । ସେମାନେ ବିରୋଧ କରୁଥିବା ଲୋକମାନଙ୍କୁ ଧମକ ବି ଦେଉଛନ୍ତି ।

ଯାହା ଖାଲି ଭିତରକନିକା ଅଭୟାରଣ୍ୟ ପାଇଁ ନୁହେଁ ବରଂ କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ବଡ ବିପଦ ସୃଷ୍ଟି କରିବ । ହେଲେ ଏହି ସରକାରୀ କର୍ମଚାରୀମାନେ ୨ ବଷ. ୪ ବର୍ଷ ପରେ ବଦଳି ହୋଇଯିବେ, କେନ୍ଦ୍ରାପଡାର ଭବିଷ୍ୟତ ସହିତ ଏମାନଙ୍କର ଭାବାତ୍ମକ ସମ୍ପର୍କ ନାହିଁ । ଜିଲ୍ଲା ବୁଡି ଯାଉ, ରାଜ୍ୟ ଭାସିଯାଉ, ଏମାନେ କେବଳ ତାଙ୍କ କମିଶନ ଚିନ୍ତାରେ ଅଛନ୍ତି । କମିଶନ ନେଇ ସେଠୁ ବଦଳି ହୋଇଗଲା ପରେ ଯାହା ଅବସ୍ଥା ହେଉଛି ହେଉ । ଅଭୟାରଣ୍ୟ ପଛେ ଧ୍ୱଂସ ହୋଇଯାଉ, ସରକାରୀ ବାବୁମାନେ ନିଜ ଚିନ୍ତାରେ ବ୍ୟସ୍ତ ।

Leave a Reply

Your email address will not be published. Required fields are marked *