Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମୂଳଦୁଆ ହୁଗୁଳା: କ୍ଷମତାର ସ୍ୱପ୍ନ ଦେଖୁଛି ବିଜେପି

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ମୂଳଦୁଆକୁ ଭାଙ୍ଗି ଦେଇ ଏବେ କ୍ଷମତା ଦଖଲର ତୁଚ୍ଛା ସ୍ୱପ୍ନ ଦେଖୁଛି ରାଜ୍ୟ ବିଜେପି । ପତିଆରା ପାଇଁ ଦଳର ଜାତୀୟ ଢାଞ୍ଚାକୁ ଆଡ଼େଇ ନୂଆ ଢାଞ୍ଚା କରିଥିବାରୁ ଦଳର ସଙ୍ଗଠନ ହୁଗୁଳି ଯାଇଛି । ତେଣେ ବିଜେଡି ପ୍ରତି ଦଳୀୟ ନେତାଙ୍କ ଗୁପ୍ତ ପ୍ରେମ ଦଳୀୟ କର୍ମୀ ଓ ନେତାଙ୍କୁ ହତାଶ କରିଛି ଯାହା ସଂଗଠନକୁ ତଳୁ ଫମ୍ପା କରିଦେଇଛି । କର୍ମୀ ନୁହେଁ ନେତା ସର୍ବସ୍ୱ ହୋଇଯାଇଥିବାରୁ ଦଳ ନିଜ ଦମରେ କ୍ଷମତାକୁ ଆସିବା ସ୍ୱପ୍ନ । ହଁ ଯୋଡ଼ ତୋଡ଼ ବା ଅର୍ଥବଳରେ ଦଳଡିଆଁଙ୍କୁ ନେଇ କିଛି କରିବାର ସ୍ୱପ୍ନ ପୁରୁଖାମାନେ ଦେଖୁଥିଲେ ତାହା ଭିନ୍ନ କଥା । ଏକଥା ଆମେ କହୁନାହୁଁ ଖୋଦ ବିଜେପିର ଅନେକ ତୃଣମୂଳ କର୍ମୀ କହୁଛନ୍ତି ।

ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ପୁରୀ ଜିଲ୍ଲା ଗସ୍ତରେ ଆସି ଦଳର ପରାଜୟ ଉପରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ପରେ ଦଳର ଜଣେ ନେତା କହିଲେ, ଏଁ ଓଡ଼ିଶା ବିଜେପିର ଏ କି କଥା । ଜାତୀୟ ସାଙ୍ଗଠନିକ ଢାଞ୍ଚା ଗୋଟିଏ ଆଡ଼େ ଚାଲିଥିବା ବେଳେ ଓଡ଼ିଶାରେ ସଂଗଠନ ଢାଞ୍ଚା ବିପରିତ ମୁଖୀ । ଏଠିକା ମୁଖିଆ ମାନଙ୍କ ଇଚ୍ଛାରେ ହୋଇଥିବା ସଂଗଠନ ଦେଖି ଜାତୀୟ ପର୍ଯ୍ୟବେକ୍ଷକ ବି ଅବାକ । ଏକ ପ୍ରକାର କଂଗ୍ରେସ ଧାରାରେ ସଂଗଠନ ଢାଞ୍ଚା ଚାଲିଥିବାରୁ ପର୍ଯ୍ୟବେକ୍ଷକ ବିରକ୍ତି ପ୍ରକାଶ କରଥିଲେ । କାଳେ କହିଦେଲେ ଏମିତି ଚାଲିଲେ, ଦଳ ଏଠି କ୍ଷମତାକୁ ଆସିବା ସମ୍ଭବ ନୁହେଁ । ହେଲେ ଓଡ଼ିଶା ମୁଖିଆଙ୍କ ପାୱାର ଆଗରେ ସେ ବି ତୁନି ପଡ଼ିଗଲେ ।

ବାସ୍ତବ କଥା ଶୁଣି ଦଳର କର୍ମୀ ଓ ନୀୟ ନେତାମାନେ ଚିନ୍ତାରେ ପଡ଼ିଛନ୍ତି । ତଥାପି ପୁରୁଖାଙ୍କର ଚେତା ପଶୁନି । ଦଳର ବୁଥ ସ୍ତରୀୟ ନେତା ନାହାନ୍ତି । ବିଜେପିର ଜାତୀୟ ଢାଞ୍ଚା ଅନୁଯାୟୀ ଦଳର କର୍ମକର୍ତ୍ତା ସର୍ବସ୍ୱ । ସେଥିପାଇଁ ବୁଥ ସ୍ତରୀୟ ନେତା ଓ କର୍ମୀଙ୍କୁ ନେଇ ସଂଗଠନ ଚାଲିଥାଏ ଓ ଦଳ ଧିରେ ଧିରେ କ୍ଷମତା ଦଖଲ କରିଥାଏ । ମାତ୍ର ଏବେ ଓଡ଼ିଶାରେ ବିପରିତ ସ୍ଥିତି । ଏଠାରେ ଦଳ ବୁଥକୁ ଗୁରୁତ୍ୱ ନଦେଇ ଦେଇଛି ନିର୍ବାଚନ ମଣ୍ଡଳୀ ନେତା । ଫଳରେ ନେତାଙ୍କର ଜନତାଙ୍କ ସହ ସମ୍ପର୍କ ରହୁନାହିଁ । ଅନେକ ନିର୍ବାଚନ ମଣ୍ଡଳୀ ନେତା କେବଳ ରାଜ୍ୟ ପୁରୁଖାଙ୍କୁ ତେଲ ମାରି ବା ତୋଷାମଦି କରି ପତିଆରା ଦେଖାଉଛନ୍ତି । ବୁଥ ସ୍ତରୀୟ ନେତା ଓ କର୍ମୀ ନଥିବାରୁ ଲୋକଙ୍କ ସହ ଯୋଡ଼ି ହୋଇ ପାରୁନି ଦଳ । ଫଳର ଦଳର ସଂଗଠନ ତଳକୁ ଗଲାଣି ।

ସ୍ୱାଧୀ ଏକଥା ଜାଣିବା ପରେ ଯେତିକି ବିରକ୍ତି ହୋଇଥିଲେ, ସେତିକି ଚକିତ ହେଲେ । ଏଠି ଦଳର ଢାଞ୍ଚା ବଦଳି ଯାଇଥିବାରୁ ସେ ବି ନିଜକୁ ଏକ ପ୍ରକାର ଅଶହାୟ ମଣିଲେ । ସ୍ୱାଧୀଙ୍କ ସମୀକ୍ଷା ପରେ ଅନେକ ନେତା କହୁଥିଲେ, ପୁରୁଖାଙ୍କ ଭୂଲ ପାଇଁ ଭୋଗୁଛି ଦଳ । ସଂଗଠନର ମୂଳଦୁଆକୁ ଭାଙ୍ଗି ଦେଇ ଏବେ କ୍ଷମତାର ସ୍ୱପ୍ନ ଦେଖୁଛନ୍ତି ପୁରୁଖାମାନେ । ଦଳର କାଁ ଭାଁ କିଛି ନେତାଙ୍କୁ ବାଦ ଦେଲେ କାହାର ବି କର୍ମୀ ଓ ଲୋକଙ୍କ ସହ ସମ୍ପର୍କ ନାହିଁ । ଏଭଳି ସ୍ଥିତିରେ ଦଳ ତୃଣମୂଳରେ ବେଶ ସୁଦୃଢ଼ ଥିବା ବିଜେଡିକୁ କିପରି ଟକ୍କର ଦେବ ତାହା ସମୟ କହିବ ।

Exit mobile version