ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ: ସୃଷ୍ଟି ହୋଇଛି ୩୭୫ ସଂକ୍ରାମକ ରୋଗ, ୨୧୮ ରୋଗ ବିପଜ୍ଜନକ…

ଲଣ୍ଡନ (ଦ କୁଇଭର ବ୍ୟୁରୋ): କୋଭିଡ-୧୯ର ସଂଙ୍କଟ ସାରା ବିଶ୍ୱରୁ ଥମିନଥିବା ବେଳେ ଏବେ ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହେଲେଣି ଏହାରି ଭିତରେ ସଂକ୍ରାମକ ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉଦବେଗଜନକ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମାନବ ସଂକ୍ରାମକ ରୋଗ ମଧ୍ୟରୁ ୫୮% ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ।

ୟୁରୋପର କିଛି ଅଂଶ ଉତ୍ତପ୍ତ ସହର ପାଲଟିଥିବା ବେଳେ ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି । ଏହି ସମୟରେ, ଆମେରିକା ଅତ୍ୟଧିକ ଜଙ୍ଗଲ ହୁ ହୁ ହୋଇ ଜଳୁଛି ଫଳରେ ଶହ ଶହ ଏକର ଜମି ପୋଡି ପାଉଁଶ ହେଉଛି ଯେଉଁଥି ପାଇଁ ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଛନ୍ତି । ଏହି ସବୁ ଘଟଣା ଜଳୁବାୟୁ ପରିବର୍ତ୍ତନ ଯୋଗୁଁ ଘଟୁଥିବା ଜଣାପଡିଛି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ୩୭୫ଟି ସଂକ୍ରମଣ ରୋଗର ସୃଷ୍ଟି ହୋଇଛି । ସେଥିମଧ୍ୟରୁ ୨୧୮ଟି ରୋଗ ବିପଜ୍ଜନକ ବୋଲି ଏକ ସର୍ଭେ ରିପୋଟରୁ ପ୍ରକାଶ ପାଇଛି । ନେଚର ପତ୍ରିକାରେ ଏହା ପ୍ରକାଶିତ ହୋଇଛି । ମାନବ ସଂକ୍ରାମକ ରୋଗ ମଧ୍ୟରୁ ୫୮% ଜଳବାୟୁ ପରିବର୍ତ୍ତନ ସହିତ ଜଡିତ । ୱିକ୍ସୋନ୍ସିନ୍ ମେଡିସିନ୍ ବିଶ୍ୱ ବିଦ୍ୟାଳୟର ଗ୍ଲୋବାଲ ହେଲଥ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଜେନାଥନ୍ ପାଟଜ୍ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ସହିତ ବିଭିନ୍ନ ରୋଗ ଯୋଗୁ ସଙ୍କଟ ସୃଷ୍ଟି ହେବାରେ ଲାଗିଛି ।

ସେହିପରି ରୋଗର ଲକ୍ଷଣ ପ୍ରକାଶରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି । ରିପୋର୍ଟରେ କୁହାଯାଇଛି ଜଳବାୟୁ ପରିବର୍ତ୍ତନ ଯୋଗୁଁ ୯ ଟି ରୋଗ କମ୍ ବିପଦ ଜନକ ହୋଇଛି । ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ ମାନବ ରୋଗ ସମ୍ବନ୍ଧୀୟ ରୋଗ ଉପରେ ପ୍ରଭାବ ପକାଇପାରେ ବୋଲି ଚିନ୍ତା କଲେଣି ବିଶେଷଜ୍ଞ ।

‘ଇଣ୍ଟରଗଭରମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ-୨୦୨୨ର ରିପୋର୍ଟ ଅନୁସାରେ ମଣିଷ ଦ୍ୱାରା ଯେଉଁ ସ୍ଥିତି ବିଶ୍ୱରେ ସୃଷ୍ଟି ହେଉଛି ତାହା ପରିବେଶର ସନ୍ତୁଳନକୁ ବିଗାଡୁଛି । ତେବେ ଏହାକୁ ପୂରଣ କରିବା ବର୍ତ୍ତମାନ ସମ୍ଭବ ନୁହେଁ । କେବଳ ଏତିକି ନୁହେଁ ଆମ ପାଣିପାଗ, ଜଳବାୟୁ ପରିବର୍ତ୍ତନ ସହ ଜଡିତ । ଏହା ହେବା ଦ୍ୱାରା ଖାଦ୍ୟ ଉତ୍ପାଦନରେ ମଧ୍ୟ ବିଶେଷ ପ୍ରଭାବ ପଡୁଛି । କୃଷି, ଜଙ୍ଗଲ, ମତ୍ସ୍ୟଚାଷ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏହା ଦ୍ୱାରା ଖାଦ୍ୟ ସୁରକ୍ଷା ବି ହୋଇପାରୁନାହିଁ ’ । ମାନସିକ ତଥା ଶାରିରୀକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । କେବଳ ଏତିକି ନୁହେଁ ସଂକ୍ରାମକ ରୋଗ କ୍ଷେତ୍ରରେ ଏହା ସହଯୋଗ କରିଛି ।

ସବୁଜ ଗ୍ୟାସ ସ୍ତର ବଢିବାର ପ୍ରମୁଖ କାରଣ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଲ ଓ ମିଥେନର ସ୍ଥର ବଢିବା । ଏହା ହେବା ଦ୍ୱାରା ବାୟୁମଣ୍ଡଳରେ ସବୁଜ ଗ୍ୟାସ ବଢୁଛି ଏବଂ ପରିବେଶର ସନ୍ତୁଳନ ବିଗୁଡୁଛି । ଏହି ଗ୍ୟାସ ସୂର୍ୟ୍ୟଙ୍କ ପାଖରୁ ଆସୁଥିବା ଉତ୍ତାପକୁ ନିଜେ ଗ୍ରହଣକରି ପୃଥିବୀକୁ ଦରକାର ଉତ୍ତାପ ପ୍ରଦାନ କରିଥାଏ । ଜଳବାୟୁରେ ପରିବର୍ତ୍ତନ ଫଳରେ ସିଧାସଳଖ ଉତ୍ତାପ ଲୋକଙ୍କ ଚିନ୍ତା ବଢାଉଛି । ସୂର୍ୟ୍ୟଙ୍କ ଉତ୍ତାପ ପୃଥିବୀରେ ପହଞ୍ଚିବା ପରେ ତାହା ସ୍ୱାଭାବିକ ଠାରୁ ଅଧିକ ଗରମ ସୃଷ୍ଟି କରି ପୃଥିବୀର ତାପମାତ୍ରା ବଢାଉଛି ।

ଯଦି ଆମେ ପରିବେଶକୁ ସନ୍ତୁଳିତ ତଥା ଜଳବାୟୁକୁ ପରିବର୍ତ୍ତନକୁ ରୋକିବା ପାଇଁ ଚାହୁଁଛେ ତେବେ ଆମେ ନିଜେ ନିଜକୁ ପରିବର୍ତ୍ତନ କରିବା ଦରକାର । ବିଶେଷ କରି ଏଥିପାଇଁ ଦାୟୀ ଥିବା କାରଣ ଯେପରି ଗଛକାଟିବା ବନ୍ଦ କରିବା, ଶିଳ୍ପାୟନ ପାଇଁ ଜଙ୍ଗଲ ନଷ୍ଟକୁ ବନ୍ଦ କରିବା, କଂକ୍ରିଟ ଜଙ୍ଗଲରୁ କ୍ଷାନ୍ତ ରହିବା ତେବେ ଆମେ ବଞ୍ଚିବା ସହ ଆମ ପରିବେଶକୁ ବଞ୍ଚାଇପାରିବା । ଯେଉଁ ଖାଦ୍ୟ ସୁରକ୍ଷାର ସଙ୍କଟ ବି ସୃଷ୍ଟି ହୋଇଛି ତାହା ବି ଆଉ ହେବ ନାହିଁ ।

Leave a Reply

Your email address will not be published. Required fields are marked *