ସାରା ଓଡ଼ିଶାକୁ କନ୍ଦାଉଥିଲା, ଏବେ କାନ୍ଦୁଛି…

ଭୁବନେଶ୍ୱର (ଦ କୁଇଭର): ମହାନଦୀରେ ଜଳ ପ୍ରଳୟ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଛତିଶଗଡ଼ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଏବେ ଛତିଶଗଡ଼ର ସ୍ଥିତି ବେହାଲ । ଖରାଦିନେ ଯିଏ ହସୁଥିଲା, ବର୍ଷାଦିନେ ଏବେ କାନ୍ଦୁଛି । ହୀରାକୁଦ ଡ୍ୟାମରେ ଅଧିକ ଗେଟ୍ ଖୋଲିବାକୁ ଛତିଶଗଡ଼ ପକ୍ଷରୁ ଘନ ଘନ ଫୋନ୍ ଆସୁଥିବା ସୂଚନା ମିଳିଛି । ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ସରକାର ପୂର୍ବରୁ ତ ଫେଲ୍ ମାରିଥିଲେ । କିନ୍ତୁ ଏଥର ଛତିଶଗଡ଼କୁ କନ୍ଦେଇ ଦେଇଛନ୍ତି ଓଡ଼ିଶାର ଜଣେ ମାତ୍ର ଯନ୍ତ୍ରୀ । ଖରାଦିନେ ଯିଏ ମହାନଦୀରେ ଓଡ଼ିଶାକୁ ପାଣି ଟୋପାଏ ଛାଡେନି । ଏବେ ସେହି ଛତିଶଗଡ଼ ପାଣିରେ ଉବୁଡୁବୁ ହେଉଛି । ଆଉ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବାକୁ ବାରମ୍ବାର ଅନୁରୋଧ କରୁଛି ।

https://youtu.be/M9ZFrLjhILY

ମହାନଦୀକୁ ଓଡ଼ିଶାର ଜୀବନରେଖା କୁହାଯାଏ । ଯେଉଁ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରି ଖରାଦିନେ ଓଡ଼ିଶାକୁ ପାଣି ଟୋପାଏ ଛାଡ଼ୁନି ଛତିଶଗଡ଼ । ଯାହାଫଳରେ ଓଡ଼ିଶାର ଜୀବନରେଖା ଖରାଦିନେ ମରି ମରି ଯାଉଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କିନ୍ତୁ ବାସ୍ତବ ସମସ୍ୟାର ସମାଧାନ ବଦଳରେ କେବଳ ଉପର ଠାଉରିଆ କାମ କରୁଛନ୍ତି ସରକାର । ଏହାକୁ ଏକ ଭୋଟ୍ ପ୍ରସଙ୍ଗ ଭାବେ ବର୍ଷ ବର୍ଷ ବଞ୍ଚାଇ ରଖୁଛନ୍ତି । ସମାଧାନର ବାଟ ବାହାରିପାରୁନାହିଁ । ତେଣେ ଏହି ବିବାଦକୁ ମହାନଦୀ ଟ୍ରିବ୍ୟୁନାଲରେ ପକାଇଦେଇ ଆରାମରେ ବସିଛନ୍ତି ରାଜ୍ୟ ସରକାର । ଫଳରେ ଛତିଶଗଡ଼ କରୁଥିବା ମନମାନି ଚାଲୁ ରଖିଛି । କିନ୍ତୁ ଏଥର ପ୍ରକୃତି ସାଜିଛି ଦାଉ । ଯେଉଁ ପ୍ରକୃତିର ଅବଦାନ ପାଣିକୁ ଅଟକାଇ ସେ ତାର ମାଲିକାନା ସାବ୍ୟସ୍ତ କରୁଥିଲା ସେହି ପାଣି ଏଥର ଛତିଶଗଡ଼କୁ ବୁଡେଇଛି । ଛତିଶଗଡ଼ରେ ଅଧିକାଂଶ ଅଞ୍ଚଳ ଏବେ ପାଣି ଘେରରେ ରହିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଠାକାର ଲୋକେ ।

ଆଉ ଏପଟେ ବର୍ଷା ଜଳକୁ ଦୃଷ୍ଟିରେ ରଖି ହୀରାକୁଦର ୩୪ଟି ଗେଟ୍ ଖୋଲାଯାଇଛି । ଆହୁରି ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ପଡ଼ୁଛି । କିନ୍ତୁ ଅଧିକ ଗେଟ୍ ଖୋଲିଲେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯିବ ବୋଲି ହୀରାକୁଦ ଡ୍ୟାମ୍ ଏହାକୁ ଚାପିକି ରଖୁଛି । ଯେହେତୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ସେଥିପାଇଁ ମାତ୍ର ୩୪ଟି ଗେଟ୍ ଖୋଲାଯାଇଛି । କିନ୍ତୁ ସେପଟେ ଛତିଶଗଡ଼ ଯେଉଁ ମହାନଦୀର ପାଣିକୁ ନେଇ ତାର ମନମାନି ଦେଖାଉଥିଲା, ସେହି ଛତିଶଗଡ଼ ଏବେ ବୁଡ଼ି ବୁଡ଼ି ଯାଉଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି ଯିଏ ଆତ୍ମଗର୍ବ ବା ବେଆଇନ କାମ କରି ଚାଲିବ, ସେ ଦିନେ ନା ଦିନେ ତାର ପରିଣାମ ପାଇବ । ପ୍ରକୃତିକୁ ବାନ୍ଧିବା ପାଇଁ ଚେଷ୍ଟା କରୁଥିବା ଛତିଶଗଡ଼ ଏବେ ପ୍ରକୃତିର କରାଳ ରୂପ ଦେଖିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *