ସୁପ୍ରିମକୋର୍ଟଙ୍କ ତାଗିଦ୍: ଜାତୀୟ ପତାକା ବି ମାଗଣା

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ସୁପ୍ରିମକୋର୍ଟ ତାଗିଦ୍ କଲେ । ମାଗଣା ଯୋଜନାକୁ ନେଇ ଉଦବେଗ ପ୍ରକାଶ କଲେ । ତଥାପି ହେଜୁନାହାନ୍ତି ସରକାର । କେନ୍ଦ୍ର ହେଉ କି ରାଜ୍ୟ ସରକାର । ସମସ୍ତେ ନିଜ ନିଜ ଏଜେଣ୍ଡାରେ ବ୍ୟସ୍ତ । ଦେଶର ଅର୍ଥନୀତି ପଛେ ଚୂଲିକୁ ଯାଉ, ଦେଶ କାଙ୍ଗାଳ ହେଉ, ଏମାନଙ୍କୁ ଘାରିଛି ଗାଦି ଚିନ୍ତା । ସେଥିପାଇଁ ମାଗଣା ବାଣ୍ଟିବାରେ ବ୍ୟସ୍ତ । ଲୋକଙ୍କୁ ଖାଇବାକୁ ଦେବା ବା ଚାଷବାସରେ ରିହାତି ଦେବା, ତାହା ଠିକ୍ । ଗ୍ରହଣୀୟ ବି । ହେଲେ ଜାତୀୟ ପାତାକା ବାଣ୍ଟିବା ପଛରେ କି ରାଜନୀତି କିଛି ଜଣାପଡ଼ୁନି । କେନ୍ଦ୍ର ସରକାର ଘୋଷଣା କରିଥିଲେ ‘ହର ଘର ତ୍ରିରଙ୍ଗା’ ଯୋଜନା । ଅର୍ଥାତ୍ ସାରା ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କ ଘରେ ଉଡିବ ତ୍ରିରଙ୍ଗା । ନିଜେ ନିଜ ଘରେ ତ୍ରିରଙ୍ଗା କିଣି ଲଗାଇବାକୁ କହିଥିଲେ । କିନ୍ତୁ ଆମ ନବୀନ ସରକାର ଆଉ ଦି ପାଗ ଆଗକୁ ପଳେଇଲେ । କାଳେ କିଏ ଲୋକେ ତ୍ରିରଙ୍ଗା ଉଡ଼ାଇବେ ନ ଉଡାଇବେ । କେନ୍ଦ୍ରର କଥାକୁ କାଳେ କିଏ ନ ମାନିଲେ, ତାହା ରାଜ୍ୟ ଉପରେ ପ୍ରଭାବ ପଡ଼ିବ । ସେଥିପାଇଁ ସେ ମାଗଣା ତ୍ରିରଙ୍ଗା ବାଣ୍ଟିବା ଆରମ୍ଭ କଲେ ।

ମାଗଣା, ତାହା ପୁଣି ୫୦ ହଜାର, ଲକ୍ଷେ, ଦୁଇ ଏକ୍ଷ କି ୫ ଲକ୍ଷ ନୁହେଁ, ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ତିଆରି କରିଛନ୍ତି ୫୦ ଲକ୍ଷ ତ୍ରିରଙ୍ଗା । ପ୍ରଶ୍ନ ଉଠୁଛି, ୨୦ ଟଙ୍କା ଦେଇ ତ୍ରିରଙ୍ଗା କିଣିବାର ସକ୍ଷମ କ’ଣ ରାଜ୍ୟବାସୀଙ୍କର ନାହିଁ । ଯଦି ଅଛି ତାହେଲେ କାହିଁକି ମାଗଣା ତ୍ରିରଙ୍ଗା ବାଣ୍ଟୁଛନ୍ତି ସରକାର? ଏଭଳି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହେଲାଣି । ଇଏ ଏମିତି ଦାନୀ ସରକାର, ଲକ୍ଷେ ୨୦ ହଜାର ଟଙ୍କାର ଋଣ ସରକାର ମୁଣ୍ଡ ଉପରେ ଝୁଲୁଥିବା ବେଳେ ୩୦ ତ୍ରିରଙ୍ଗା ମାଗଣା ବାଣ୍ଟିଲେ । ଏହାର ମୂଲ୍ୟ ଦେବ କିଏ? ସରକାରଙ୍କର ଇଏ ମଗଣା ବଣ୍ଟା ଅଭିଯାନ କାହିଁକି? ଟଙ୍କିକିଆ ଚାଉଳ ଦେଲେ ଖାଇବା ପାଇଁ । ବାର୍ଦ୍ଧକ୍ୟ ସମୟରେ ବଞ୍ଚିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଦେଲେ, ତାହା ଠିକ୍ ଅଛି । ହେଲେ ହର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ମାଗଣା ଜାତୀୟ ପତାକା ଦେବାର ଆବଶ୍ୟକତା କ’ଣ? ଲୋକମାନେ କ’ଣ ୨୦ ଟଙ୍କା ଦେଇ ତ୍ରିରଙ୍ଗା କିଣିପାରିବେନି । ଏଥିରୁ ସ୍ପଷ୍ଟ ହେଉଛି, ୨୦ ଟଙ୍କା ଦେଇ ଜାତୀୟ ପତାକା କିଣିପାରିଲା ଭଳି ଲୋକଙ୍କୁ ଶସକ୍ତ କରିପାରିନାହାନ୍ତି ସରକାର । ଅବା ପୁଣି ଥରେ ଆମେ ମାଗଣା ବାଣ୍ଟିଲୁ ବୋଲି ବାହା ବାହା ନେବାପାଇଁ ଯୋଜନା କରୁଛନ୍ତି । ଏହି ୨ ଟାରୁ ଯାହା ବି କଲେ ତାହା ରାଜ୍ୟର ହିତ ପାଇଁ ଏହା ଖରାପ ।

ରାଜ୍ୟର କେବଳ ଅହିତ ହିଁ କରୁଛନ୍ତି ସରକାର । ଲୋକଙ୍କୁ ଚାଉଳ ମାଗଣା ଯୋଗାଇଦେବା, ବୃଦ୍ଧ ସମୟରେ ସାହାରା ପାଇଁ ଭତ୍ତା ଦେଇଦେବା, ତାହାକୁ ଆମେ କହୁନୁ ଯେ, ସରକାର ଭୁଲ୍ କରୁଛନ୍ତି । କିନ୍ତୁ ଜାତୀୟ ପତାକାକୁ ମାଗଣା ବାଣ୍ଟିବା ପଛରେ କ’ଣ ରହିଛି ଉଦ୍ଦେଶ୍ୟ? ଏହି ୩୦ ଲକ୍ଷ ପତାକା ସତରେ ବଣ୍ଟା ଯାଇଛି ନା ଏହା ଭିତରେ ପୁଣି କିଛି ଘୋଟାଲା ଅଛି । ଗୋଟିଏ ଜାତୀୟ ପାତାକାର ସର୍ବନିମ୍ନ ମୂଲ୍ୟ ଯଦି ୨୦ ଟଙ୍କା ଧରାଯାଏ, ତେବେ ସରକାର ୩୦ ଲକ୍ଷ ପତାକା ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କାହିଁକି ସରକାର ୬ କୋଟି ଟଙ୍କା ଖର୍ଚ୍ଚ କଲେ? ତାହାର ଉତ୍ତର କେବଳ ସରକାର ହିଁ ଦେଇପାରିବେ ।

Leave a Reply

Your email address will not be published. Required fields are marked *