କଟକ (ଦ କୁଇଭର ବ୍ୟୁରୋ): ଉଛୁଳିଲାଣି ହୀରାକୁଦ । ଭୟଙ୍କର ହେଲାଣି ମହାନଦୀ । ଉପରମୁଣ୍ଡରୁ ତଳ ପର୍ଯ୍ୟନ୍ତ ସବୁଠି ବିପଦ ସୃଷ୍ଟି କଲାଣି । ତଳମୁଣ୍ଡରେ ଗାଁ ଠୁ ରାସ୍ତାଘାଟ ସବୁଠି ବୁଡ଼େଇ ଚାଲିଲାଣି । କେଉଁଠି ଶାଖା ନଦୀରେ ବନ୍ଧ ଭାଙ୍ଗିଲାଣି ତ ଆଉ କେଉଁଠି ଗାଁ ଗଣ୍ଡାକୁ ଆତଙ୍କିତ କଲାଣି । କେବଳ ଏକିତି ନୁହେଁ, ଆହୁରି ଆସୁଛି ପାଣି । ମୋଟାମୋଟି କହିବାକୁ ଗଲେ, ଏଥର ମହାନଦୀରେ ଆସିବାକୁ ଯାଉଛି ବଡ଼ ବନ୍ୟା । ଏହି ବନ୍ୟା ପ୍ରାକୃତିକ ନା ଅଫିସରଙ୍କ ଅବଦାନ ତାହା ତ ଭିନ୍ନ ପ୍ରସଙ୍ଗ । ବହୁ ବର୍ଷ ପରେ ଲୋକେ ପୁଣି ଗୋଟିଏ ଭୟଙ୍କର ବନ୍ୟା ଦେଖିବାକୁ ଯାଉଛନ୍ତି । ଆଜି ହୀରାକୁଦରେ ୩୬ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ପରେ ଅନେକ ଶାଖା ନଦୀର ବନ୍ୟାପାଣି ମହାନଦୀରେ ମିଶୁଛି । ଆଜି ମୁଣ୍ଡଳୀ ନିକଟରେ ଅପରାହ୍ଣ ୩ଟା ସୁଦ୍ଧା ୧୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯାହା ବିପଦ ସଙ୍କେତ ଦେଇସାରିଲାଣି ।

ଏବେ ଆହୁରି ୪ଟି ଗେଟ୍ ଖୋଲାଯିବ । ତାହା ଖୋଲିଲେ ମୁଣ୍ଡଳୀ ନିକଟରେ ଜଳ ପ୍ରାୟ ୧୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ସେପଟେ ପୁଣି ଲଘୁଚାପ । ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗୁରବାର ହେଉଛି ଅମାବାସ୍ୟା । ସମୁଦ୍ର ଫୁଲି ରହିବ । ପାଣି ଟାଣିବନି । ଉପରେ ଯଦି ୪୦ଟି ଗେଟ୍ ଖୋଲାଯାଏ, ତଳଅଞ୍ଚଳରେ ତାଣ୍ଡବ କରିବ ମହାନଦୀ ପାଣି । ମହାନଦୀ ପାଣିର ବିଭୀଷିକା ବୈଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆତଙ୍କ ସୃଷ୍ଟି କରୁଛି । ତଳମୁଣ୍ଡରେ ସମୁଦ୍ର ପାଣି ଟାଣିବନି, ଉପରେ ବର୍ଷା । ଏହାସହ ହୀରାକୁଦର ୪୦ଟି ଗେଟ୍ ଖୋଲିଲେ ମହାନଦୀର ସ୍ଥିତି କେତେ ଭୟଙ୍କର ହେବ, ତାହା ବି ଆକଳନ କରାଯାଇପାରୁନାହିଁ ।

ଏଥର ବନ୍ୟା ମନୁଷ୍ୟକୃତ ବା ସରକାରଙ୍କ ଅବଦାନ ବୋଲି କୁହାଯାଉଛି । ୩ ଦିନ ତଳେ ହୀରାକୁଦର ମୁଖ୍ୟଯନ୍ତ୍ରୀ ବେଶ୍ ବାହାସ୍ଫୋଟ ମାରିଥିଲେ । ଆମେ ଗେଟ୍ ଖୋଲିବୁନି । ଛତିଶଗଡ଼ ପଛେ ବୁଡ଼ିଯାଉ । ମାତ୍ର କେଇଘଣ୍ଟା ପରେ ସ୍ଥିତି ଓଲଟିଗଲା । ହୀରାକୁଦର ଜଳ ଧାରଣର କ୍ଷମତା ନାହିଁ ବୋଲି ଜଣାପଡ଼ିଗଲା । କେଇ ଘଣ୍ଟା ପୂର୍ବରୁ ଯଦି ଖୋଲାଯାଇପାରିଥାନ୍ତା, ହୁଏତ ପାଣି ଅତିକ୍ରମ କରିଯାଇପାରିଥାନ୍ତା । ମୁଖ୍ୟଯନ୍ତ୍ରୀଙ୍କ ଜିଦ୍ ଓ ବୈଷୟିକ କମିଟିର ଅଦୂରଦର୍ଷିତା ପାଇଁ ଗେଟ୍ କୁ ବନ୍ଦ କରି ରଖାଗଲା । ଧୀରେ ଧୀରେ ଖୋଲାଗଲା ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାକୁ ଯଦି ଅନୁଧ୍ୟାନ କରାଯାଇଥାନ୍ତା, ତେବେ ଡ୍ୟାମ୍ କର୍ତ୍ତୃପକ୍ଷ ଖୋଲିପାରିଥାନ୍ତେ । ଯାହା ବନ୍ୟା ପରିସ୍ଥିତି ଟାଳିପାରିଥାନ୍ତା । କିନ୍ତୁ ତାହା କଲେ ନାହିଁ । ଅର୍ଥାତ୍ ପାଣିକୁ ଚାପି ରଖିଲେ, ଏବେ ହୀରାକୁଦ ଉଛୁଳିଲାଣି । ଓଡ଼ିଶା ପାଖରେ ଆଉ ରାସ୍ତା ହିଁ ନାହିଁ । ଆଜି ସୁଦ୍ଧା ୪୦ଟି ଗେଟ୍ ଖୋଲାଯିବ । ଯଦି ଉପରମୁଣ୍ଡରେ ବର୍ଷା ହେଲା, ହୁଏତ ଆହୁରି ୬ଟି ଗେଟ୍ ଖୋଲିବାକୁ ବାଧ୍ୟ ହୋଇପାରେ ଓଡ଼ିଶା । ଆଉ ଏହା ହେଲେ ତଳମୁଣ୍ଡର ସ୍ଥିତି କ’ଣ ହେବ, ଆଉ ଏଥିପାଇଁ କିଏ ଦାୟୀ ରହିବ ତାହା ସରକାର ହିଁ ନିଷ୍ପତ୍ତି ନିଅନ୍ତୁ ।

Leave a Reply

Your email address will not be published. Required fields are marked *