ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ପ୍ରହସନ କରୁଛନ୍ତି ଓଡ଼ିଶା ସରକାର । ବିବାଦର ସମାଧାନ ପାଇଁ ମାମଲା ଏବେ ମହାନଦୀ ଜଳ ଆୟୋଗଙ୍କ ନିକଟରେ ଅଛି । ତାର ଶୁଣାଣି କେବେ ହେଉଛି, ଆଉ କ’ଣ ହେଉଛି, ତାହା ତ ପ୍ରଶ୍ନବାଚୀ । ଆଉ ସେଠି ଓଡ଼ିଶାର ପକ୍ଷ କ’ଣ ରହୁଛି, ତାହାକୁ ନେଇ ରାଜ୍ୟବାସୀ ଅନ୍ଧାରରେ । ସରକାରଙ୍କ ଅପରାଗତା ପାଇଁ ଛତିଶଗଡ଼ ମହାନଦୀରେ ବ୍ୟାରେଜ୍ ପରେ ବ୍ୟାରେଜ୍ କରି ଖରାଦିନେ ଶୁଖିଲା କରୁଛି, ଆଉ ବର୍ଷା ଦିବେ ପାଣି ଛାଡ଼ିଦେଇ ଓଡ଼ିଶା ଲୋକଙ୍କୁ ବନ୍ୟାରେ ଭସାଉଛି । ଏ ସ୍ଥିତି ପାଇଁ ଓଡ଼ିଶା ସରକାର ଦାୟୀ, ବିଶେଷକରି ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କୁ ଦାୟୀ କରାଯିବ । କାରଣ ଛତିଶଗଡ଼ ଯେତେବେଳେ ବ୍ୟାରେଜ୍ ନିର୍ମାଣ କରୁଥିଲା, ସେତେବେଳେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଥିଲେ ସୁରେଶ ମହାପାତ୍ର । ଯାହାକୁ ନେଇ ମଝିରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ସେତେବେଳେକାର ଜଳ ସମ୍ପଦ ସଚିବ କହିଥିଲେ କିଛି ହେବ ନାହିଁ । ବ୍ୟାରେଜ୍ ଦ୍ୱାରା କିଛି ପ୍ରଭାବ ପଡ଼ିବନି । ଆଉ ଛତିଶଗଡ଼ ବ୍ୟାରେଜ କରିସାରିବା ପରେ ଏବେ ମହାନଦୀ ଓଡ଼ିଶାରେ ଶୁଖି ଯାଉଛି । ଆଉ ଯେତେବେଳେ ବର୍ଷା ହେଉଛି, ସେତେବେଳେ ଓଡ଼ିଶାରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । ଯାହା ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଦାୟୀ ରାଜ୍ୟ ସରକାର ।
ଯଦି ଆମେ ୨୦୦୮ର ସ୍ଥିତିକୁ ଅନୁଧ୍ୟାନ କରିବା, ତାହାଲେ ଜଣାପଡ଼ିଯିବ ଯେ, ମହାନଦୀର ଜଳଧାରଣ କ୍ଷମତା କେତେ । ୨୦୦୮ରେ ଯେତେବେଳେ ବନ୍ୟା ହୋଇଥିଲା ସେତେବେଳେ ମୁଣ୍ଡଳୀ ଠାରେ ୧୩ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଉଥିଲା । ସେଥିପାଇଁ କିଛି ଅଞ୍ଚଳରେ ବନ୍ୟା ହୋଇଥିଲା । କିନ୍ତୁ ଏବେ ଯାହା ଜଳସମ୍ପଦ ବିଭାଗର ତଥ୍ୟ କହୁଛି, ମୁଣ୍ଡଳୀରେ ସର୍ବାଧିକ ୧୧ ଲକ୍ଷ କ୍ୟୁସେକ ଜଳ ଅତିକ୍ରମ କରୁଛି । ତେଣୁ ଏହା କେଉଁ ଦୃଷ୍ଟିରୁ ବିପଦ ସଙ୍କେତ ହେବ । ଏହାର ଅର୍ଥ ଜଣାପଡ଼ୁଛି ରାଜ୍ୟ ସରକାର ନଦୀ ବନ୍ଧ ଉପରେ ଗୁରୁତ୍ୱ ଦେଇନାହାନ୍ତି । ଯଦି ଆମେ ଜଳସମ୍ପଦ ବିଭାଗର ନଦୀ ବନ୍ଧ ବିକାଶ ଯୋଜନା ଦେଖିବା ତେବେ ନଦୀ ବନ୍ଧ ମରାମତି ନାଁରେ ଶହ ଶହ କୋଟି ଟଙ୍କାର ବିଲ୍ ହେଉଛି । ଯଦି ସତରେ ନଦୀ ବନ୍ଧ ମରାମତି ହେଉଛି, ତେବେ ନଦୀ ବନ୍ଧ ଏତେ ଦୁର୍ବଳ ହେଉଛି କେମିତି? ଆଉ ମାତ୍ର ୧୧ ଲକ୍ଷ କ୍ୟୁସେକ ଜଳରେ ବନ୍ୟାଜନିତ ପରିସ୍ଥିତି ସୃଷ୍ଟି ହେଉଛି କେମିତି? ଏହା ହେଉଛି ଏକ ପ୍ରଶ୍ନବାଚୀ । ଦ୍ୱିତୀୟ ପ୍ରଶ୍ନ ହେଉଛି, ଯେତେବେଳେ ଆଲୋଚନା ମାଧ୍ୟମରେ ଛତିଶଗଡ଼ର ବ୍ୟାରେଜକୁ ବନ୍ଦ କରିବାର ସୁଯୋଗ ଥିଲା । ସେତେବେଳେ ରାଜ୍ୟ ସରକାର ଚୁପ୍ ରହିଲେ । ଆଉ ତା ପରେ ଯେତେବେଳେ ପାଣି ଅଭାବ ପଡ଼ିଲା, ସେତେବେଳେ ଚିତ୍କାର କଲେ ।
ସେତେବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର କହିଥିଲେ, ଏହାକୁ ନୂଆ ଆଇନ ମାଧ୍ୟମରେ ସମାଧାନ କରିବା । କିନ୍ତୁ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଗଲେ । ଆଉ ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ କହିଲେ । ଶେଷରେ ୨୦୧୮ ମସିହାରେ ଟ୍ରିବ୍ୟୁନାଲ ବି ହେଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ୪ ବର୍ଷ ବିତିଗଲାଣି । ହେଲେ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ । ଯାହା ଫଳରେ ଛତିଶଗଡ଼ ତାର ମନମାନି ଜାରି ରଖିଛି । ଆଉ ଛତିଶଗଡ଼ ଭଲ ଭାବେ ଜାଣିଛି ଯେ ହୀରାକୁଦ ଡ୍ୟାମ ଯେମିତି ହେଲେ ବି ଖୋଲାଯିବ । ନ ହେଲେ ହୀରାକୁଦର ବନ୍ଧର ଜଳଧାରଣ କ୍ଷମତା ଯେତେବେଳେ ଟପିଯିବ, ତାହା ଭାଙ୍ଗିଯିବ । ଆଉ ଏହାର ଫାଇଦା କିପରି ନେଇହେବ, ସେ ନେଇ ଯୋଜନା କରୁଛି ଛତିଶଗଡ଼ । କିନ୍ତୁ ଏପଟେ ଯଦି ଦେଖିବା ଓଡ଼ିଶା ସରକାର ସବୁ ଯାଗାରେ ବିକାଶର ଚିତ୍ର ଆଙ୍କୁଛନ୍ତି ଯେ, ବିକାଶର ମୁଳଦୂଆ ପାଣିକୁ ଭୁଲିଯାଇଛନ୍ତି । ବିବାଦ ଟ୍ରିବ୍ୟୁନାଲରେ ଥିବାବେଳେ ମୁଖ୍ୟ ଶାସନସଚିବସ୍ତରୀୟ ଆଲୋଚନା ହେଲେ, ଏହା କ’ଣ ଟ୍ରିବ୍ୟୁନାଲ ଉପରେ ହସ୍ତକ୍ଷେପ କଲା ଭଳି ହେବନି କି? ଏହି ଆଲୋଚନା ଦ୍ୱାରା କ’ଣ ସମାଧାନର ରାସ୍ତା ବାହାରିଯିବ? ଯଦି ବାହାର କରିଦେବେ, ତେବେ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ଅଛି କାହିଁକି ?