ବିରୋଧୀଙ୍କ ଦଳରେ ଲୀନ ହୋଇଯିବ କି କଂଗ୍ରେସ ?

କଟକ (ଦ କୁଇଭର): ଓଡ଼ିଶା କଂଗ୍ରେସ । ମୁହଁ ଫେରାଇ ଚାଲିଯାଉଛନ୍ତି ନେତା । ନିରାଶ ହୋଇପଡ଼ୁଛନ୍ତି କର୍ମୀ । ଦଳର ସଙ୍ଗଠନ ଭୁଷୁଡ଼ିଯାଉଛି । ଲାଗୁଛି ସତେ କି ବିଜେଡି ଓ ବିଜେପିରେ ଲୀନ ହୋଇଯିବ ଓଡ଼ିଶା କଂଗ୍ରେସ । କଂଗ୍ରେସ ଭଳି ଏକ ଜାତୀୟ ଦଳର ଦୁର୍ଗତି ଓଡ଼ିଶାର ଆଦୌ ଶୁଭଙ୍କର ନୁହେଁ । କିନ୍ତୁ କଂଗ୍ରେସିଆଙ୍କୁ ବୁଝେଇବ କିଏ? କଂଗ୍ରେସିଆ ମିଶି ଦଳକୁ ବୁଡ଼େଇଦେଇ ଅନ୍ୟ ଦଳକୁ ଡ଼େଇଁପଡ଼ିବାକୁ ପ୍ରସ୍ତୁତ । ୨୨ ବର୍ଷ ହେଲା କ୍ଷମତାରୁ ଦୂରେଇ ରହିଥିବାରୁ ଆଉ କ୍ଷମତା ପାଇଁ ମନୋବଳ ନାହିଁ । ସେଥିପାଇଁ ଧୀରେ ଧୀରେ ଦଳ ନିଶ୍ଚିନ୍ନ ହେବାରେ ଲାଗିଛି ।

ଏବେ ନଜର ପକାଇବା କଟକ କଂଗ୍ରେସର ରାଜନୀତି ଉପରେ । ପିସିସି ସଭାପତି ରେସରେ ଥିବା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିକଟରେ ଯେଉଁଭଳି ହାଇଡ୍ରାମା କଲେ, ତାହା ସମସ୍ତଙ୍କୁ ଜଣା । କଂଗ୍ରେସ ପ୍ରତି ତାଙ୍କର ଆଉ ମୋହ ନ ଥିବା ଏଥିରୁ ସ୍ପଷ୍ଟ ହୋଇଗଲା । ଏବେ କଟକର ଆଉ ଜଣେ ଟାଣୁଆ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କର ଦଳପ୍ରତି ମୋହ ଛାଡ଼ିଯାଇଛି ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ହେଲାଣି । ମହିଳା କଂଗ୍ରେସର କଥା ଉଠିଲେ, ପ୍ରଥମେ ବିଜୟଲକ୍ଷ୍ମୀଙ୍କ ନାଁ ସାମ୍ନାକୁ ଆସେ । ସେ କଟକ ହେଉ ବା ଭୁବନେଶ୍ୱର, ସବୁଠି ମହିଳା କଂଗ୍ରେସର ନେତୃତ୍ୱ ନେଉଥିଲେ । କିନ୍ତୁ ଏବେ ସେ ଦଳରୁ ଦୂରେଇ ଦୂରେଇ ଯାଉଥିବା ଚର୍ଚ୍ଚା ହେଲାଣି । ଦେଶରେ ବୁଡ଼ି ବୁଡ଼ି ଯାଉଥିବା କଂଗ୍ରେସ ପ୍ରତି ତାଙ୍କର ଆଉ ମୋହମାୟା ନଥିବା ତାଙ୍କରି ସମର୍ଥକମାନେ କୁହାକୁହି ହେଲେଣି ।

ବର୍ତ୍ତମାନ କଟକରେ ‘ଆମ କଟକ’ ନାମକ ଏକ ସାମାଜିକ ସଙ୍ଗଠନ ବେଶ୍ ସକ୍ରିୟ ହୋଇଛି । ଏହି ‘ଆମ କଟକ’ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଓ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ଯୋଗ ଦେଇଥିଲେ । ଯେଉଁଥିରେ ବିଜୟଲକ୍ଷ୍ମୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଅବଶ୍ୟ ସାମାଜିକ ସଙ୍ଗଠନର କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଦଳର ନେତା ଯୋଗଦେବା କୌଣସି ନୂଆ କଥା ନୁହେଁ । କିନ୍ତୁ ଯାହା କଟକ ରାଜନୀତିରେ ଚର୍ଚ୍ଚା ହେଉଛି, ଏହି ‘ଆମ କଟକ’ ସାମାଜିକ ସଙ୍ଗଠନ ପଛରେ କାଳେ ବିଜୟଲକ୍ଷ୍ମୀଙ୍କ ସମର୍ଥନ ରହିଛି । ଆଉ ତାଙ୍କର ଜଣେ ଖାସ୍ ସହଯୋଗୀ ଏହି ସଙ୍ଗଠନର ମଙ୍ଗ ଧରିଛନ୍ତି । ଏହାସହ ଏହାମଧ୍ୟ ଚର୍ଚ୍ଚା ହେଉଛି ଯେ, ବିଜୟଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସୁବାସ ଓ ସୌଭିକଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇଥିଲା ।

ତେଣୁ ଏଠାରେ ପ୍ରଶ୍ନ ଉଠୁଛି, କଂଗ୍ରେସରୁ ଦୂରଉଛନ୍ତି କି ବିଜୟଲକ୍ଷ୍ମୀ? ହାତ ଛାଡ଼ିବାକୁ ଭିତରେ ଚାଲିଛି କି ପ୍ଲାନ୍? କାହିଁକି କଂଗ୍ରେସ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି? କାହିଁକି ଧୀରେ ଧୀରେ ହାତ ଛାଡ଼ୁଛନ୍ତି ନେତା ଓ କର୍ମୀ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କଂଗ୍ରେସର ଅନେକ କାର୍ଯ୍ୟକ୍ରମରେ ସେ ଯୋଗ ଦେଉନଥିବା ଦେଖିବାକୁ ମିଳୁଛି । ତେବେ ଦେଖାଯାଉ କଟକ କଂଗ୍ରେସରେ ଆଗକୁ କ’ଣ ପରିବର୍ତ୍ତନ ହେଉଛି । ଆଉ ଓଡ଼ିଶା କଂଗ୍ରେସ କେତେ ଦୀର୍ଘଜୀବୀ ହେଉଛି?

Leave a Reply

Your email address will not be published. Required fields are marked *