ଏମାନେ ଓଡ଼ିଶା ବାସୀ ତ ?

ଭୁବନେଶ୍ୱର(ଦ କୁଇଭର ବ୍ୟୁରୋ): ଏମାନେ କ’ଣ ଓଡ଼ିଶାବାସୀ ? ଏମାନେ ଯଦି ଓଡ଼ିଶାବାସୀ, ଏମାନଙ୍କର କ’ଣ ଟିକେ ଦରଦ ନାହିଁ ? ମାନବିକତା ହରାଇ ବସିଲେ କି ଏମାନେ ? ବନ୍ୟାର ପ୍ରଳୟରେ ତଳମୁଣ୍ଡରେ ଲୋକେ ଭାସିଲେଣି । ଘରେ ପାଣି ପଶିଲାଣି । ଲୋକେ ଖାଇବା ପିଇବା ପାଇଁ ଆଉଟୁ ପାଉଟୁ ହେଉଛନ୍ତି । ଦିନରାତି ଉଜାଗର ରହି ପିଲା ଛୁଆଙ୍କୁ ଧରି ବନ୍ଧ ବାଡ଼ରେ ପଡ଼ିଛନ୍ତି । ସଂସାର ଉଚ୍ଛନ୍ନ ହୋଇଗଲାଣି । କିନ୍ତୁ ଏମାନେ ସେଇ ବନ୍ୟା ପାଣିର ମଉଜ ନେଉଛନ୍ତି । ସତେ ଯେମିତି ବନ୍ୟା ମେଳା ଲାଗିଛି । କିଏ ନରାଜ ପାଖଷର ବନ୍ୟା ପାଣି ଦେଖୁଛି ତ ଆଉ କିଏ ମୁଣ୍ଡଳୀ ପାଖରେ ବନ୍ୟାପାଣି ଦେଖୁଛନ୍ତି । ଏପରିକି କଟକ ଜୋବ୍ରା ନିକଟରେ ବି ବନ୍ୟା ପାଣି ଦେଖିବାକୁ ପ୍ରବଳ ଭିଡ଼ । ଏମାନେ ବନ୍ୟାପାଣି ଦେଖିବାକୁ ଏତେ ବ୍ୟସ୍ତ ଯେ, ରାସ୍ତା ବି ଜାମ୍ କରିଦେଉଛନ୍ତି । ଆମ୍ବୁଲାନ୍ସ ଯିବାକୁ ବି ବାଟ ଛାଡ଼ୁନାହାନ୍ତି । ସତେ ଯେମିତି ବନ୍ୟାର ମେଳା ଲାଗିଛି ।

ଗୋଟିଏ ପଟେ ମହାନଦୀରେ ବନ୍ୟା ହେବାଫଳରେ ଅନେକ ଗାଁ ପାଣି ଘେରରେ ରହିଛି । ଲୋକମାନେ ଖାଇବା ପିଇବା ବି ଠିକ୍ ସେ କରିପାରୁନାହାନ୍ତି । ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କିନ୍ତୁ ଏପେଟ ବନ୍ୟା ଜଳକୁ ଉପଭୋଗ କରୁଛନ୍ତି ସହର ବାସୀ । ନିଜ ସପରିବାର ସହ ବନ୍ୟା ପାଣି ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏହାସହ ବନ୍ୟା ଜଳ ଦେଖି ବେଶ୍ ଖୁସି ପକଟ ମଧ୍ୟ କରୁଛନ୍ତି । ମୁଣ୍ଡଳୀ ଓ ନରାଜ ବ୍ରିଜ୍ ଉପରେ ଯେମିତି ମେଳା ଚାଲିଛି । ସହରୀ ଲୋକଙ୍କ ପାଇଁ ଏହା ଉପଭୋଗର ଦୃଶ୍ୟ ହୋଇପାରେ । କିନ୍ତୁ ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ଏହା ଏକପ୍ରକାର ଅଭିଶାପ । ଲୋକମାନେ ବନ୍ୟା ଜଳ ଦେଖନ୍ତୁ, କାହାକୁ ମନା ନାହିଁ । କିନ୍ତୁ ଏହି ବନ୍ୟା ଜଳ ଦେଖିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ଉପୁଜିବା, ଅତ୍ୟନ୍ତ ଦୁଃଖର ବିଷୟ ।

ଏହି ବନ୍ୟା ପାଣି ଯେପରି ସହରୀ ଲୋକଙ୍କ ପାଇଁ ଖୁସିର ପର୍ବ ପାଲଟିଛି । କିଏ ବନ୍ୟାଜଳ ଦେଖୁଛି ତ ଆଉ କିଏ ବନ୍ୟା ପାଣି ସହ ସେଲଫି ଉଠାଉଛି । ଏପରିକି ଜୀବନକୁ ବାଜି ଲଗାଇ ବନ୍ୟା ଜଳ ଦେଖିବାକୁ ଲୋକ ଭିଡ଼ ଜମାଉଛନ୍ତି । ଆଉ ଏହାଦ୍ୱାରା ଶହ ଶହ ଗାଡି ମୋଟର ଏକାଠି ହେବା ଫଳରେ ଟ୍ରାଫିକ୍ ଜାମ୍ ବି ଅଣାୟତ ହୋଇଛି । ଆଉ ଏଥିରେ ଫସିଯାଇଛି ଆମ୍ବୁଲାନ୍ସ । କିନ୍ତୁ ଲୋକେ ବନ୍ୟା ଜଳ ଦେଖିବାରେ ବ୍ୟସ୍ତ । ବ୍ରିଜ୍ ଉପରେ ପିଲା ଠୁ ବୁଢା ସମସ୍ତେ ବିପଦପୂର୍ଣ୍ଣ ସ୍ଥିତିରେ ବନ୍ୟାଜଳ ଦେଖୁଛନ୍ତି । ଲାଗୁଛି ଯେମିତି କୌଣସି ମେଳା ଚାଲିଛି । ଏମାନଙ୍କୁ ଦେଖି ମନରେ ପ୍ରଶ୍ନ ଉଠୁଛି, ଏମାନେ ଓଡ଼ିଶା ବାସୀ ତ ?

Leave a Reply

Your email address will not be published. Required fields are marked *