ଚାଲୁଛି ବିଜେପି, ଉଡ଼ୁଛି ବିଜେଡି

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ଚାଲୁଛି ବିଜେପି, ଉଡ଼ୁଛି ବିଜେଡି । ରାଜନୀତିରେ ବି ସମାନ ସ୍ଥିତି । ପ୍ରବଳ ଜନସମର୍ଥନ ଅଛି ବୋଲି ଦାବି କରି ଫର ଫର ହୋଇ ଉଡ଼ୁଛି ବିଜେଡି । ଏପଟେ ଲୋକ ସମର୍ଥନ ନ ପାଇ ରାଜନୀତିରେ ବିକଳିଆ ସ୍ଥିତିରେ ଅଛି ବିଜେପି । ହାତ ଗୋଡ ବାଡେଇ ହେଉଛି, କେମିତି କ୍ଷମତା ଦଖଲ କରିବ । ଓଡ଼ିଶାରେ ବିଜେଡି ଓ ବିଜେପିର ରାନୈତିକ ସ୍ଥିତି ବନ୍ୟାଞ୍ଚଳ ପରିଦର୍ଶନରୁ ସ୍ପଷ୍ଟ ବାରି ହୋଇଯାଉଛି । ବନ୍ୟା କଣ ପାଇଁ ହେଲା ତାହା ଭିନ୍ନ କଥା । ଅଫିସରଙ୍କୁ ଭୁଲ ପାଇଁ ନା ରାଜନେତା ଓ ଅଫିସରଙ୍କ ଦୁର୍ନୀତି ପାଇଁ ଏ ବିଷମ ସ୍ଥିତି ଲୋକେ ଭୋଗିଲେ, ତାହା ତ ତର୍ଜମାର ବିଷୟ । କିନ୍ତୁ ଆମେ ଏଠି କହୁଛୁ, ବନ୍ୟା ପରର ସ୍ଥିତିକୁ ନେଇ ।

ବନ୍ୟା ହେଲା । ଘରଦ୍ୱାର ଭାଙ୍ଗିଗଲା । ଲୋକେ ହା ହତାଶରେ ପଡ଼ିଛନ୍ତି । ଏବେ ଆରମ୍ଭ ହେଲା ରାଜନୀତି । ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିଜେପିର ନେତା ମାନେ ବନ୍ୟାଞ୍ଚଳ ବୁଲିବାକୁ ବାହାରିଲେ । ସେ ନିଜେ ଗଲେ ଓ ବିଭିନ୍ନ ଟିମ୍ ଭିନ୍ନ ଭିନ୍ନ ଅଞ୍ଚଳକୁ ପଠାଇଲେ । ପାଣିରେ ପଶି ଫଟୋ ଉଠାଇଲେ । ଆଉ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ବି କଲେ । ଯେ, ଆମେ ବନ୍ୟାଞ୍ଚଳ ବୁଲିଲୁ । ଲୋକଙ୍କ ଦୁଃଖ ଦେଖିଲୁ । ଲୋକଙ୍କୁ ପଚାରି ବୁଝିଲୁ । କିଛି କିଛି ଯାଗାରେ ଦେଖିବାକୁ ମିଳୁଥିଲା ବିଜେପି ପକ୍ଷରୁ ବାଣ୍ଟାଯାଉଥିଲା ଖାଦ୍ୟ ସାମଗ୍ରୀ । ବିଜେପିର ନେତାମାନେ ପ୍ରାୟ ଜାଗାରେ ବୁଲୁଛନ୍ତି ।

ହେଲେ ଏବେପର୍ଯ୍ୟନ୍ତ ରାଜ୍ୟ ବିଜେପି କେନ୍ଦ୍ରକୁ ସହାୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରିନି କି ପ୍ରସ୍ତାବ ବି ଦେଇନି । କି କ’ଣ କରିଛି ତାହା ଜନସାଧାରଣ ଜାଣିନାହାନ୍ତି । ବିଜେପି ତାର ଲୋକପ୍ରିୟତା ପାଇଁ ଚାଲି ଚାଲି ବୁଲୁଛି । ଅବଶ୍ୟ ଏହାକୁ ବିଜେପି କହୁଛି, ଆମେ ଦରଦୀ । ଲୋକଙ୍କ ଅସୁବିଧା ସମୟରେ ଆମେ ଲୋକଙ୍କ ସହ ଅଛୁ । ଏହାକୁ ବି ଅସ୍ୱୀକାର କରାଯାଇପାରିବ ନାହିଁ । ଯଦି ଓଡ଼ିଶା ପ୍ରତି ବିଜେପିର ଅନୁଦାନ କୁ ଦେଖିବା, ତେବେ ଅନେକ କିଛି ଓଡ଼ିଶାକୁ ଦେଇଛି । ଏ ଦୃଷ୍ଟିରୁ ବିଜେପିର ଦାବି ବି ଠିକ୍ । କିନ୍ତୁ ବନ୍ୟା କ୍ଷେତ୍ରରେ ବିଜେପି ସେମିତି କିଛି କ୍ଷତିଗ୍ରସ୍ତଙ୍କ ପାଇଁ ଆଶ୍ୱାସନମୂଳକ ପଦକ୍ଷେପ ନେଇପାରିଲା ନାହିଁ । ହଁ ଏହା ରାଜ୍ୟର ଦାୟିତ୍ୱ ବୋଲି କହି ଦୂରେଇ ଯାଇପାରେ ବା ରାଜ୍ୟ ସରକାରଙ୍କୁ ସମାଲୋଚନା କରିପାରେ । ଏହା ତାର ଗଣତାନ୍ତ୍ରିକ ଅଧିକାର । ଆମେ ଯଦି ଅନ୍ୟ ରାଜ୍ୟର ବନ୍ୟା କଥା ଦେଖିବା ତେବେ କେନ୍ଦ୍ର ସରକାର ହେଲିକପ୍ଟର ନେଇ ବୁଲି ଆସନ୍ତି । ଆଉ ଏହା ପୂର୍ବରୁ ବି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ବୁଲି ଯାଇଛନ୍ତି । କିନ୍ତୁ ଏଥର ବନ୍ୟା ଖବର ବୋଧହୁଏ କେନ୍ଦ୍ରରେ ପହଞ୍ଚିନାହିଁ ।

ଏଠି ଆମେ ବିଜେଡିକୁ ଦେଖିବା, ସ୍ଥିତିକୁ ଯଦି ଭିତରୁ ପରଖାଯାଏ, ତେବେ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ବା ରାଜ୍ୟ ସରକାରୀ ଅଧିକାରୀମାନେ ନିଶ୍ଚିତ ଦାୟୀ । ଏହାକୁ ସରକାର ନୁହେଁ, ସରକାରୀ ଅଧିକାରୀ ନୁହେଁ ଖୋଦ୍ ମୁଖ୍ୟମନ୍ତ୍ରୀ ବି ଅସ୍ୱୀକାର କରିପାରିବେ ନାହିଁ । ହଁ ଗାଲୁ ମାରିବା ଭଳି କିଛି ଅଫିସର ଓ ନେତା କହିବେ, ଆମେ ଦାୟୀ ନୁହେଁ । ସେଟା ତାଙ୍କର ଗାଲୁଆମି ହେବ । ବନ୍ଧ ଉପରେ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ଯଦି ବନ୍ଧର ସ୍ଥିତି ଏଇଆ । ଏତିକି ପାଣିରେ ବନ୍ଧ ଭାଙ୍ଗିଯାଉଛି ।

ତାହେଲେ ବିଜେଡି ଭାଷାରେ ଏଥିପାଇଁ ଦାୟୀ, ଭଗବାନଙ୍କୁ କରାଯିବ, ନହେଲେ ନଇକୁ କରାଯିବ । ବନ୍ୟା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଧରି ବୁଲିଲେ । ୪ଟି ଜିଲ୍ଲା ବୁଲିଲେ, ଦେଖିଲେ । ସ୍ଥିତି ଅତି ଭୟଙ୍କର ଭଳି ଦେଖାଯାଉଥିଲା । ଆସିଲେ, ଘୋଷଣା କଲେ ଯେ, ତତକାଳ ରନ୍ଧା ଖାଦ୍ୟ ଦିଅ । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନ ଦେଖିଛନ୍ତି, ସେ ପର୍ଯ୍ୟନ୍ତ ରନ୍ଧାଖାଦ୍ୟର ଘୋଷଣା କରାଗଲା ନାହିଁ । ଯଦିଓ ଲୋକାମାନଙ୍କ ଘରଦ୍ୱାର ବୁଡ଼ିଗଲା ପରେ ଭୋକ ଉପାସରେ ରାସ୍ତାଘାଟରେ ଆସି ଆଶ୍ରୟ ନେଇଥିଲେ ।

ମୁଖ୍ୟମନ୍ତ୍ରୀ ଆକାଶରେ ଉଡ଼ିଲା ପରେ ଘୋଷଣା କରଗଲା ରନ୍ଧା ଖାଦ୍ୟ ଓ ବନ୍ୟା ଛାଡ଼ିବା ପରେ କ୍ଷୟକ୍ଷତିର ଆକଳନ କରାଯିବ । କାମରେ ତ କିଏ କେତେ ତ୍ରୁଟି କରୁଛି, ତାହା ଭିନ୍ନ କଥା । କିନ୍ତୁ ବିଜେଡି ପଛରେ ଯେଉଁ ଜନସମର୍ଥନ ରହିଛି । ଯେଉଁ ଜନସମର୍ଥନ କୁନେଇ ବାରମ୍ବାର ଶାସନ ଅକ୍ତିଆର କରି ରଖିଛି ବିଜେଡି । ସେହି ଜନସମର୍ଥନ ବଳରେ ସେ ଏବେ କ୍ଷମତାରେ ଉଡ଼ୁଛି । ଆଉ ଜନସମର୍ଥନ ନ ପାଇ ବିଜେପି ବିକଳ ହେଉଛି । ବନ୍ୟା ତାର ବିକଳ ସ୍ଥିତି ବିଜେପିର ସାଙ୍ଗଠନିକ କାୟାକୁ ଦର୍ଶାଇ ଦେଉଛି ।

Leave a Reply

Your email address will not be published. Required fields are marked *