ସଉଦା ବୋହୁଛନ୍ତି ପିଲା, ପ୍ରଧାନ ଶିକ୍ଷକ ଏତେ ଦାୟିତ୍ୱହୀନ କାହିଁକି ?

ବାଲେଶ୍ଵର(ଦ କୁଇଭର ବ୍ୟୁରୋ): ସ୍କୁଲ ପିଲାଙ୍କୁ ପାଠ ନ ପଢାଇ ଦୋକାନକୁ ପଠାଇଛନ୍ତି ସାର୍ । ସେ ପୁଣି ଖୋଦ୍ ପ୍ରଧାନ ଶିକ୍ଷକ ବା ହେଡ୍ ସାର୍ । କ୍ଲାସ ଚାଲିଥିବା ସମୟରେ ଏଭଳି କାମ କରାଇଛନ୍ତି । ଯେଉଁଠି ସ୍କୁଲ ପିଲାଙ୍କୁ ପାଠ ପଢିବା ଛଡା କୌଣସି କାମ କରିବାକୁ ବାରଣ କରୁଛନ୍ତି ସରକାର । ସେଠି ପ୍ରଧାନ ଶିକ୍ଷକ ଏଭଳି ଆସ୍ପର୍ଦ୍ଧା କଲେ କିପରି ? ପ୍ରଧାନ ଶିକ୍ଷକଙ୍କ ଏତେ ସାହସ ହେଲା କେମିତି ? ବିଦ୍ୟାଳୟ ଭିତରେ ନୁହେଁ ଏହି ପ୍ରଧାନ ଶିକ୍ଷକ ପିଲାଟିକୁ ହତା ବାହାରେ ଥିବା ଦୋକାନକୁ ସଉଦା ଆଣିବାକୁ ପଠାଇଦେଲେ ।

ଏଭଳି ଏକ ନିନ୍ଦନୀୟ କାର୍ଯ୍ୟର ଭିଡିଓ ଆମ ହାତରେ ଲାଗିଛି । ବାଲେଶ୍ଵର ଜିଲ୍ଲା ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନ ସଦାନନ୍ଦ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଜଣେ ତୃତୀୟଶ୍ରେଣୀ ଛାତ୍ରଙ୍କୁ ସ୍ଥାନୀୟ ଦୋକାନରୁ ମଧ୍ୟାନ୍ନ ଭୋଜନ ସଉଦା ଆଣିବାକୁ ପଠାଇଥିଲେ। ପିଲାଟି ଦିନ ପ୍ରାୟ ଏଗାରଟା ସମୟରେ ବିଦ୍ୟାଳୟର ବାହାରେ ସଉଦା ଦୋକାନରୁ ସଉଦା ନେଇ ବିଦ୍ୟାଳୟକୁ ଯାଉଥିବା ବେଳେ ଜଣେ ଗ୍ରାମବାସୀ ଏହି ଭିଡିଓଟି ଉଠାଇ ଥିଲେ। ପରେ ସେ ପିଲାଟିକୁ ପଚାରିବାରୁ ପିଲାଟି ପ୍ରଧାନ ଶିକ୍ଷକ ତାଙ୍କୁ ପ୍ରତ୍ୟେକ ଦିନ ସଉଦା ଆଣିବାକୁ ପଠାନ୍ତି ବୋଲି କହିଥିଲେ।

ତେବେ ଖାଲି ଏହି ଘଟଣା ନୁହେଁ ବିଦ୍ୟାଳୟର ପାଇଖାନା ସଫା କରିବା ସହିତ ଅନ୍ୟାନ୍ୟ ବହୁ କାର୍ୟ୍ୟ ଯାହା କୁନି କୁନି ପିଲା ମାନେ କରିବା କଥା ନୁହେଁ ତାହା ପ୍ରଧାନ ଶିକ୍ଷକ କରାଉ ଥିବା ବିଦ୍ୟାଳୟର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ପ୍ରଧାନ ଶିକ୍ଷକ ନିଜେ ସ୍ବୀକାର କରିଥିବା ବେଳେ ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସମ୍ପର୍କ ରେ ତଦନ୍ତ କରିବେ ବୋଲି ଫୋନ ଯୋଗେ କହିଛନ୍ତି ।

ସବୁ ଜାଗାରେ ପିଲାଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ସଚେତନତା କରାଯାଉଛି । ପିଲାମାନେ କିଭଳି ଭଲ ପାଠ ପଢିବେ, ସେ ନେଇ ଅନେକ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ସରକାରଙ୍କ କଡ଼ା ନିର୍ଦ୍ଦଶନାମା ମଧ୍ୟ ଅଛି । ବିଡିଓ ଏବଂ ଡିଇଓମାନେ ବାରମ୍ବାର ସ୍କୁଲକୁ ଲେଖିି ପଠାଉଛନ୍ତି ଯେ ପିଲାଙ୍କୁ କିଛି ଅନ୍ୟକାମରେ ନିଯୁକ୍ତ ନକରିବା ପାଇଁ । ତଥାପି ଏଠି ଖୋଦ୍ ପ୍ରଧାନ ଶିକ୍ଷକ ଏପରି କିପରି କରୁଛନ୍ତି ? ତାହା ଏବେ ବଡ଼ ପ୍ରଶ୍ନବାଚୀ ।

Leave a Reply

Your email address will not be published. Required fields are marked *