ସତ୍ୟବାଦୀ (ଦ କୁଇଭର): ଜନତା ଦଳ ହେଉ କି କଂଗ୍ରେସ ବା ଏବେକାର ବିଜେଡିର ୨୨ ବର୍ଷର ଶାସନ । ଦେଶ ସ୍ୱାଧୀନ ହେବା ପରଠାରୁ ସମସ୍ତେ କହୁଛନ୍ତି, ଆମେ ବିକାଶ କରୁଛୁ । ଆଉ ସବୁଠୁ ଅଧିକ ବିକାଶ କରିଥିବା ଦାବି କରୁଛି ନବୀନ ସରକାର । ଏ ସରକାରଙ୍କ ବିକାଶ ଦାବିକୁ ଆଙ୍ଗୁଳି ଉଠାଇ ପ୍ରଶ୍ନ କରୁଛି ରାଜ୍ୟର ଅନେକ ସ୍ଥିତି । ଏପରିକି ତାଙ୍କରି ଦଳର ବିଧାୟକ ବନ୍ୟା ପାଣିରେ ପଶି ତାଙ୍କରି ସରକାରଙ୍କ ବିକାଶ ଉପରେ ଉଠିଥିବା ଗାଁର ସ୍ଥିତିକୁ ଦେଖି ଏହାର ଉତ୍ତର ଖୋଜୁଛନ୍ତି । ବିକାଶ ପ୍ରତି ପ୍ରଶ୍ନ ଉଠାଉଥିବା ଏହି ସ୍ଥିତି ଆଗରେ ବିଜେଡିର ସତ୍ୟବାଦୀ ବିଧାୟକ କେତେ ଅସହାୟ ମଣୁଛନ୍ତି । ତାହା ଏହି ଦୃଶ୍ୟ ହିଁ ସ୍ପଷ୍ଟ କରୁଛି ।

ବିଜେପି ହେଉ କି ବିଜେଡି । ସମସ୍ତଙ୍କର ଗୋଟିଏ ନାରା, ଆମେ ବିକାଶ କରୁଛୁ । ଏବେ ଯଦି ମୋଦୀ ସରକାରଙ୍କ କଥା ଦେଖିବା ତେବେ ଦୀର୍ଘ ୮ ବର୍ଷ ଧରି ଅନେକ ବିକାଶ କରିଛନ୍ତି ଓ କରୁଥିବା ଦାବି କରୁଛନ୍ତି । ଏପେଟ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ମଧ୍ୟ ୨୨ ବର୍ଷ ହେଲାଣି ରାଜ୍ୟରେ ବିକାଶ କରୁଛି ବୋଲି କହୁଛନ୍ତି । ପ୍ରତ୍ୟେକ ବାର୍ତ୍ତାରେ ବିକାଶ ଦାବି କରୁଛନ୍ତି । ବେଶ୍ ହୁରି ବି ପକାଉଛନ୍ତି । ହେଲେ ୟାଙ୍କ ବିକାଶର ଦାବି କେତେ ଯଥାର୍ଥ, ଆସନ୍ତୁ ଦେଖିବା । ଇଏ ହେଉଛି ବନ୍ୟା ହେବା ପରେ ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ବନ୍ୟାରେ ବୁଡିଯିବା ପରେ ଗାଁକୁ ଯାଇଥିଲେ ବିଧାୟକ । ଦେଖିଥିଲେ ଲୋକଙ୍କ ଦୂରାବସ୍ଥା । ମନେ ପଡ଼ିଯାଇଥିଲା ତାଙ୍କର ଗତବର୍ଷ ଏହି ବନ୍ୟା ସ୍ଥିତି ସମୟରେ ଦେଇଥିବା ପ୍ରତିଶ୍ରୁତି । ଗତବର୍ଷ ବନ୍ୟା ସମୟରେ ସେ ଏହି ଯାଗାକୁ ଯାଇ କହିଥିଲେ, ଆସନ୍ତା ବର୍ଷେ ଭିତରେ ସବୁ କଚା ଘରକୁ ପକ୍କା ଘରରେ ପରିଣତ କରିଦେବୁ । ଏବର୍ଷ ବନ୍ୟା ଆସିଲା । ବନ୍ୟାପାଣି ଗାଁ ଭିତରେ ପଶିଲା । କଚ୍ଚା ଘର ଅବସ୍ତା ସାଙ୍ଘାତିକ । କିନ୍ତୁ ପକ୍କା ଘର କରିପାରିଲେନି । ବିଧାୟକ ବନ୍ୟାପାଣିରେ ଯାଇ ଗାଁର ସ୍ଥିତି ଦେଖିଲେ । ଆଉ ନିଜେ ନିଜକୁ ପ୍ରଶ୍ନ କଲେ, ବିକାଶ ଏଠି ହୋଇପାରିନାହିଁ । ନବୀନ ସରକାରଙ୍କ ବିକାଶ ଏଠି ଛୁଇଁନି । ତା ପରେ ସେ ସେଠାରୁ ନିରବରେ ପଳାଇଥିଲେ । ଅବଶ୍ୟ ସେ ନିଜର ପତିଆରା ରଖିବାକୁ ନାନା ବାହାସ୍ଫୋଟ ମାରିଥିଲେ । କିନ୍ତୁ ବାସ୍ତବତା ସେ ନିଜେ ବୁଝିଥିଲେ ଯେ, ତାଙ୍କ ସରକାର କିଭଳି ଏଠି ଅକର୍ମା ପାଲଟି ଯାଇଛନ୍ତି ।

କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ଏବେ ଟିକେ ନଜର ପକାଇବା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନିର୍ବାଚନ ମଣ୍ଡଳୀ ଗୋପ୍ ଅଞ୍ଚଳରେ । ସେଠି ସ୍ଥିତି ଯାହା, ନକହିବା ଭଲ । ଯେଉଁଠି ଲୋକମାନେ ସ୍ୱାଧୀନତା ବେଳେ କଚା ଘରେ ରହୁଥିଲେ, ଆଜି ବି କଚା ଘରେ ରହୁଛନ୍ତି । ଏହା ଭିତରେ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଲୋକଙ୍କ ପକ୍କା ଘର ଦେଇଥିବା ଦାବି କରୁଛନ୍ତି । ଆଉ ଏହାର ତାଲିକା ଏତେ ଲମ୍ବା ଯେ, ଗଣି ବି ହେବନାହିଁ । ହେଲେ ସେ ସବୁ ତାଲିକା ଭିତରେ ଏସବୁ ନାହାନ୍ତି । କେବଳ ଏହି ଅଞ୍ଚଳ ନୁହେଁ । ଏମିତି ଅନେକ ଗାଁରେ ଆଜି ବି ବିକାଶର ପାଦଚିହ୍ନ ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *