ସମାଧାନ ହେବ କି LAC ବିବାଦ ? ମୋଦୀଙ୍କୁ ଭେଟିପାରନ୍ତି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ (ଦ କୁଇଭର): ଉଜ୍‌ବେକିସ୍ତାନରେ ସେପ୍ଟେମ୍ବର ମାସରେ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଉପରେ ବିଶ୍ୱବାସୀଙ୍କ ନଜର ରହିଛି । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆସିଥିବା ଖବର ଅନୁସାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତାମାସ ଉଜ୍‌ବେକିସ୍ତାନରେ ସଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି । ଯଦି ଏହା ହୁଏ, ତା’ହେଲେ ଏଭଳି ପରିସ୍ଥିତିରେ LAC ବିବାଦ ସମେତ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇପାରେ। ଏଥି ସହିତ ଜିନପିଙ୍ଗ ତାଙ୍କ ଋଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଭାରତ ଓ ଚୀନ ମଧ୍ୟରେ ଏଲଏସି ବିବାଦ ନେଇ ସରକାରୀଭାବେ ୧୫ରୁ ୧୬ଟି ପର‌୍ୟ୍ୟାୟରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ବହୁପକ୍ଷୀୟ ଓ ଦ୍ୱିପାକ୍ଷୀକ ବୈଠକ ନେଇ ଅନେକ ଥର ବିଦେଶ ଯାତ୍ରା ମଧ୍ୟ କରିସାରିଛନ୍ତି । ଅପରପକ୍ଷେ ସି ଜିନପିଙ୍ଗ ୨୦୨୦ ଜାନୁଆରୀ ପରଠାରୁ ଚୀନରୁ ବାହାରକୁ ଯାଇନାହାନ୍ତି । ମାତ୍ର ଶୁକ୍ରବାର ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରେ ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିପାରନ୍ତି ବୋଲି କୁହାଯାଇଛି । ତାଇୱାନକୁ ନେଇ ଆମେରିକା ସହିତ ବଢ଼ିଥିବା ଉତ୍ତେଜନା ମଧ୍ୟରେ ଆଞ୍ଚଳିକ ସୁରକ୍ଷା ବ୍ଲକ ଓ ପୁତିନ ସହିତ ଦ୍ୱିପାକ୍ଷୀକ ଆଲୋଚନା କରିବା ଆଶା କରାଯାଉଛି ।

ସାମ୍ପ୍ରତିକ ସମୟରେ ଚୀନ୍‌ର କାର୍ଯ୍ୟକଳାପ ଯୋଗୁଁ ଭାରତ ସହ ତିକ୍ତତା ମଧ୍ୟ ବୃଦ୍ଧି ପାଇଛି। ଡୋକଲାମ ଏବଂ ଗାଲୱାନ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ତେବେ ସମାଧାନ ଦିଗରେ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ଚାଲିଛି। ଏଥି ସହିତ ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ଥର ସାକ୍ଷାତ କରିଛନ୍ତି।

Leave a Reply

Your email address will not be published. Required fields are marked *