ଦରଦୀ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ (ଦ କୁଇଭର): ରାଷ୍ଟ୍ରପତି ବଦଳିଲେ, ବଦଳିଯାଏ କ୍ଷମା ପ୍ରଦାନ । ଦେଶର ସର୍ବଶେଷ କୋର୍ଟର ବିଚାର ପ୍ରକ୍ରିୟାରେ ଆସିଥାଏ ତାରତମ୍ୟ । କିଏ କଠୋର ତ ଆଉ ଦରଦୀ ହୋଇଥିବାର ରେକର୍ଡ ରହିଛି । ଭାରତର ରାଷ୍ଟ୍ରପତିଙ୍କ ମଧ୍ୟରେ ମହିଳା ରାଷ୍ଟ୍ରପତି ବେଶ୍ ଦରଦୀ । ଏହା ପ୍ରମାଣିତ କରିଛି ରାଷ୍ଟ୍ରପତିଙ୍କ ଭିଟୋ ପାୱାର କାର୍ଯ୍ୟକାରିତାରୁ । ଅର୍ଥାତ ମର୍ସି ପିଟିସନ ଶୁଣାଣୀରୁ ଏକଥା ସ୍ପଷ୍ଟ ବାରି ହେଉଛି । ଦେଶ ଶାସନ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ମୋଟ ୪୪୩ଟି ଫାସୀ ଦଣ୍ଡାଦେଶ କୋହଳ ଆବେଦନର ଶୁଣାଣୀ ହୋଇଛି । ସେଥି ମଧ୍ୟରୁ ୧୩୭ଟି ଆବେଦନ ରଦ୍ଦ ହୋଇଥିବା ବେଳେ ୩୦୬ଟି କୋହଳ କରାଯାଇଛି ।

ଲ କମିସନଙ୍କ ରିପୋର୍ଟରୁ ଏପରି ତଥ୍ୟ ମିଳିଛି । ଏସବୁ ତଥ୍ୟକୁ ଅନୁଶୀଳନ କଲେ ରାଷ୍ଟ୍ରପତି ବଦଳିବା ସହ କ୍ଷମା ପ୍ରଦାନ କିପରି ବଦଳିଥାଏ ତାହା ବାରି ହୋଇ ପଡ଼ୁଛି ।

୧୯୫୦ ମସିହାରୁ ୨୦୨୨ ମଧ୍ୟରେ ଦେଶ ୧୫ଜଣ ରାଷ୍ଟ୍ରପତିଙ୍କୁ ଦେଖିଲାଣି । ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ରହିଥିବା ବେଳେ ୧୫ତମ ରାଷ୍ଟ୍ରପ୍ରତି ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେଉଛନ୍ତି ଦେଶର ମୁଖ୍ୟ । ଭାରତ ସମ୍ବିଧାନର ଧାରା ୭୨ ଅନୁଯାୟୀ କୌଣସି ଅପରାଧୀଙ୍କୁ ରାଷ୍ଟ୍ରପତି ହିଁ କ୍ଷମା ଦେଇ ପାରିବେ । ଏହି କ୍ଷମତାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ।

ପ୍ରାୟ ସମସ୍ତ ରାଷ୍ଟ୍ରପତି ଏହି କ୍ଷମତାର ଉପଯୋଗ କରିଥିବା ରେକର୍ଡ କହୁଛି । ପ୍ରଥମ ୨୪ବର୍ଷ ଅର୍ଥାତ ୧୯୫୦ରୁ ୧୯୭୪ ମଧ୍ୟରେ ମୋଟ ଆବେଦନର ୯୩.୮% ଶୁଣାଣୀ ହୋଇଥିଲା । ଏହାପରେ ଅର୍ଥାତ ୧୯୭୪ରୁ ୨୦୨୨ ମଧ୍ୟରେ ମାତ୍ର ୬.୨% ଶୁଣାଣୀ କରାଯାଇଛି । ଗତ ୫୦ବର୍ଷର କ୍ଷମାପ୍ରଦାନ ରେକର୍ଡକୁ ଦେଖିଲେ ଭାରତର ମହିଳା ରାଷ୍ଟ୍ରପତି ହିଁ ସର୍ବାଧିକ କ୍ଷମା ପ୍ରଦାନ କରିଥିବା ରେକର୍ଡ କହୁଛି ।

ଯାହା ରେକର୍ଡ କହୁଛି, ସର୍ବାଧିକ ୧୮୧ଟି ଫାସୀ ଦଣ୍ଡାଦେଶ କୋହଳ ପାଇଁ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ନିକଟକୁ ଆବେଦନ ଆସିଥିଲା । ସେଥିମଧ୍ୟରୁ ସେ ୧୮୦ଟି ଦଣ୍ଡ କୋହଳ କରିଥିଲେ । ଏହାପରେ ଆଉ କେହି ଏତେ ସଂଖ୍ୟକ ଅପରାଧୀଙ୍କୁ କ୍ଷମା କରିନାହାନ୍ତି । ଦେଶର ୧୫ତମ ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ ସର୍ବାଧିକ କ୍ଷମା ପ୍ରଦାନ କରିଥିବା ରେକର୍ଡ କହୁଛି । ପ୍ରଥମ ରାଷ୍ଟ୍ରପତି ଓ ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ବାଦ ଦେଲେ ମୋଟ ୧୩ଜଣ ରାଷ୍ଟ୍ରପତିଙ୍କ ମଧ୍ୟରୁ ସବୁଠୁ ଦରଦୀ ହେଉଛନ୍ତି ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ । ସେ ୩୯ଟି ଆବେଦନରୁ ୩୪ଟିରେ କ୍ଷମା ପ୍ରଦାନ କରିଛନ୍ତି । ଯଦି ଏସବୁ ରେକର୍ଡକୁ ଦେଖିବା ତେବେ ଅଧିକାଂଶ ରାଷ୍ଟ୍ରପତି କୋର୍ଟଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି । ତେଣୁ ପ୍ରତିଭା ସିଂ ପାଟିଲଙ୍କୁ ଦରଦୀ ମହିଳା ରାଷ୍ଟ୍ରପତି ଭାବେ କୁହାଯାଏ । ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଦରଦୀ ଥିବାରୁ ଅନେକ ରାଜକ୍ଷମା ଦେଇଥିଲେ, ତେଣୁ ଏହାକୁ ନେଇ ଅନେକ ପ୍ରା୍ନ ମଧ୍ୟ ଉଠିଥିଲା । କିନ୍ତୁ ଏବେ ପୁଣି ଜଣେ ମହିଳା ଦେଶର ସର୍ବୋଚ୍ଚ ପଦବୀରେ ବସିଛନ୍ତି । ସେ ବି ପ୍ରତିଭା ସିଂ ପାଟିଲଙ୍କ ଭଳି ହେବେ କି? ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *