ଭୁବନେଶ୍ୱର (ଦ କୁଇଭର): ଆଉ କ’ଣ କଲେ ନବୀନ ଏନଡିଏ ଅଂଶ ବୋଲି ଜଣାପଡ଼ିବ? କ’ଣ ସଙ୍ଖ ଛାଡ଼ି ପଦ୍ମ ଧରିଦେଲେ ଜଣାପଡ଼ିବ? ନା ବିଜେଡି ବଦଳରେ ବିଜେପି ବୋଲି ଘୋଷଣା କଲେ ଜଣାପଡ଼ିବ? ୨୦୧୯ ପରଠାରୁ ନବୀନ ସରକାରଙ୍କ କାର୍ଯ୍ୟକଳାପକୁ ଯଦି ଦେଖିବା, ତେବେ ସବୁଥିରେ ବିଜେପି ପ୍ରତି ଥିବା ସମର୍ଥନ ବାରି ହୋଇପଡ଼ୁଛି । ସ୍ଥିତି ଏମିତି ହେଲାଣି ଯେ, ନବୀନ ବିଜେପିର ଏକ ଅଂଶ ବୋଲି ଚର୍ଚ୍ଚା ହେଲଣି । ଏତେ ପରେ ବି ନବୀନ ଏନଡିଏରେ ମିଶି ଯିବା ଭଲ ବୋଲି କେମିତି କହୁଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେ? ନବୀନ ଆଉ କ’ଣ କଲେ ଏନଡିଏରେ ମିଶିଲା ଭଳି ଲାଗିବ? ଏହି ପ୍ରଶ୍ନ ଏବେ କେନ୍ଦ୍ରମନ୍ତ୍ରୀଙ୍କ ରାମଦାସ ଅଠାୱଲେଙ୍କ ପ୍ରତି ଉଠିଲାଣି । ବିଜେଡି ବାଲା ବି କହିଲେଣି, ଆଉ କ’ଣ କରିବାକୁ ପଡ଼ିବ? ବିଜେପି ପ୍ରତ୍ୟେକ ପ୍ରସ୍ତାବରେ ତ ଆମେ ହାତ ଟେକିଲୁ । ଆଉ ପୁଣି କ’ଣ କରିବୁ?

ଆମେ ଏଠି ଏକଥା ଏଥିପାଇଁ ଆଲୋଚନାକୁ ଆଣିଲୁ, ନିକଟରେ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ନେତା ତଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ମିଶିବାକୁ ଅଫର ଦେଇଛନ୍ତି । ଏଠାରେ ବିଜେଡିର ଅର୍ଥ ନବୀନ ପଟ୍ଟନାୟକ । କାରଣ ଗତ ୨ଟା ନିର୍ବାଚନକୁ ଯଦି ଅନୁଶୀଳନ କରାଯିବ, ତେବେ ଏଠି କୌଣସି ନେତାଙ୍କର ଦମ୍ ନାହିଁ । ନବୀନ ହିଁ ଏକମାତ୍ର ବ୍ରାଣ୍ଡ । ଆଉ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀକୁ ନେଇ ନବୀନ ସରକାର ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାରେ ତିଷ୍ଠି ରହିଛି । କିନ୍ତୁ ଏନଡିଏରେ ମିଶିଲେ ଆହୁରି ଭଲ ହେବ ବୋଲି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ । ଯଦି ଆମେ ବିଜେପି ଓ ବିଜେଡିର ସମ୍ପର୍କକୁ ଦେଖିବା ତେବେ, ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ଖୋଲାଖୋଲି ବିଜେଡି ସମର୍ଥନ କଲା । ଉପରାଷ୍ଟ୍ରପତି ନିର୍ବାଚନରେ ବି ବିଜେଡି ସମର୍ଥନ ଘୋଷଣା କଲା । କେନ୍ଦ୍ରର ପ୍ରତି ନିଷ୍ପତ୍ତିରେ ମୁଣ୍ଡ ଟୁଙ୍ଗାରିଲା । ରାଜ୍ୟସଭା, ଲୋକସଭାରେ ବିଜେଡି ସାଂସଦ କେନ୍ଦ୍ରର ପ୍ରତି ବିଲ କୁ ଆଖିବୁଜା ସମର୍ଥନ କଲେ । ସେ ସିଏଏ ବିଲ୍ ହେଉ ବା କୃଷି ବିଲ୍ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେଉ ବା ତ୍ରିପୁଲ ତଲାକ ବିଲ୍ ହେଉ । ସବୁଥିରେ କେନ୍ଦ୍ରରେ ଏନଡିଏ ସରକାରଙ୍କୁ ବିଜେଡି ସମର୍ଥନ ଦେଇଛି । ଏହାସହ ବିଜେପି ସହିତ ବିଜେଡି ମିଶି ରହିଥିବାରୁ ଓଡ଼ିଶାରେ ସିବିଆଇ ଓ ଇଡି ମଧ୍ୟ ପଶୁନାହାନ୍ତି । ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତାମାନେ ବି ରାଜ୍ୟ ସରକାରଙ୍କୁ ଆଉ ସେଭଳି ଟାର୍ଗେଟ କରୁନାହାନ୍ତି । ଅନେକ ସମୟରେ କେନ୍ଦ୍ରୀୟ ବିଜେପି ନେତା ଓ ନବୀନ ପଟ୍ଟନାୟକ ଏକାଠି ନଜର ଆସିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି ପ୍ରାର୍ଥୀ ଅଶ୍ୱୀନି ବୈଷ୍ଣବଙ୍କୁ ସମର୍ଥନ କରି ରାଜ୍ୟସଭାକୁ ପଠାଇଥିଲା ବିଜେଡି । ଯିଏ ଏବେ କେନ୍ଦ୍ର ସରକାଙ୍କ ରେଳମନ୍ତ୍ରୀ ଅଛନ୍ତି । ରାଜ୍ୟସଭା ହେଉ କି ଲୋକସଭା, ସବୁଠି ବିଜେପି ସହ ରହିଛି ବିଜେଡି । ଏପରି ସ୍ଥଳରେ ଆଉ ଏନଡିଏରେ ବିଜେଡି କେମିତି ମିଶିବ? ତାହା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଲାଣି ।

Leave a Reply

Your email address will not be published. Required fields are marked *