ବିଜେପି ବିଧାୟକ ଗିରଫ

ହାଇଦ୍ରାବାଦ (ଦ କୁଇଭର): ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ନୂପୁର ଶର୍ମାଙ୍କ ବିଦାୟୀୟ ଟିପ୍ପଣୀକୁ ନେଇ ନିକଟ ଅତୀତରେ ଦେଶରେ ଯାହାସବୁ ଘଟିଛି ତାହା ସମସ୍ତଙ୍କୁ ଜଣା । ଏବେ ସେହି ଭୁଲକୁ ଦୋହରାଇଛନ୍ତି ତେଲେଙ୍ଗାନାର ଆଉ ଜଣେ ବିଜେପି ନେତା । ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହ ଗିରଫ ହୋଇଛନ୍ତି । ଆଜି ତାଙ୍କୁ ଉଠାଇ ନେଇଛି ପୋଲିସ । ବିଧାୟକଙ୍କ ବିରୁଦ୍ଧରେ ଆଇପିସିର ୨୯୫(ଏ), ୧୫୩(ଏ) ଏବଂ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ତେବେ ଗିରଫ ପରେ ବିଜେପି ମଧ୍ୟ ବିଧାୟକ ଟି ରାଜାଙ୍କୁ ଦଳରୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।

ତାଙ୍କ ବିରୋଧରେ ବହୁ ସଂଖ୍ୟକ ମୁସଲମାନ ଯୁବକ ଗତକାଲି ରାତିରେ ହାଇଦ୍ରାବାଦସ୍ଥିତ କମିଶନରଙ୍କ କାର୍ୟ୍ୟାଳୟ ବାହାରେ ଏକତ୍ରିତ ହୋଇ ‘ସର ତନ ସେ ଜୁଦା’ର ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଟି ରାଜାଙ୍କୁ ପୁଲିସ ଗିରଫ କରିବା ସହ ବିଜେପି ତାଙ୍କୁ ଦଳରୁ ହଟାଇ ଦେଇଛି। ଦଳରୁ ନିଲମ୍ବିତ କରିବା ସହ ତାଙ୍କୁ କାହିଁକି ବହିଷ୍କାର କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପାର୍ଟି ତାଙ୍କୁ ୧୦ଦିନ ସମୟ ଦେଇଛି ।

କେବଳ ଏତିକି ନୁହେଁ ଅନେକ ଥାନାରେ ତାଙ୍କ ବିରୋଧରେ ଅନେକ ଲୋକ ଏତଲା ଦେଇଥିଲେ। ଉଲ୍ଲେଖନୀୟ ଟି ରାଜା ନିକଟରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏଥିରେ ସେ ପ୍ରଫେଟ ମହମ୍ମଦଙ୍କୁ ନେଇ ଟିପ୍ପଣୀ କରିଥିଲେ। ସୂଚନା ଅନୁଯାୟୀ, ସୋମବାର ରାତିରେ ପୋଲିସ କମିଶନର ସିଭି ଆନନ୍ଦଙ୍କ କାର୍ୟ୍ୟାଳୟ ସାମ୍ନାରେ ଏବଂ ସହରର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀ ତାଙ୍କ ଗିରଫଦାରୀ ଦାବିରେ ଅଡି ରହିଥିଲେ। ଏପରିକି ବିଜେପି ବିଧାୟକ ଟି ରାଜା କମେଡିୟନା ମୁନବର ଫାରୁକି ଏବଂ ତାଙ୍କ ମାଆଙ୍କୁ ନେଇ ଟିପ୍ପଣୀ କରିଥିଲେ।

Leave a Reply

Your email address will not be published. Required fields are marked *