ସୁରେଶ ଶ୍ରେଷ୍ଠ ଅନୁଗତ, ପ୍ରଦୀପ ଜେନାଙ୍କ ଆଶା ମଉଳିଲା

ଭୁବନେଶ୍ୱର(ଦ କୁଇଭର): ଯାହା ହେଉ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ତାଙ୍କ ଆନୁଗତ୍ୟକୁ ପ୍ରମାଣିତ କରିଛନ୍ତି । ଅନ୍ୟ ଅଫିସରଙ୍କ ତୁଳନାରେ ସେ ହିଁ ରାଜ୍ୟ ସରାକାରଙ୍କର ଅଧିକ ଅନୁଗତ । ତାଙ୍କ ଭଳି ଅନୁଗତ ଅନ୍ୟ କୌଣସି ମୁଖ୍ୟ ଶାସନ ସଚିବ ଅଶାୟୀଙ୍କ ପାଖରେ ନାହିଁ । ଏକଥା ପ୍ରମାଣ ହୋଇଯାଇଛି । ତେଣୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ୨ୟ ଥର ପାଇଁ ବୃଦ୍ଧି କରିଛନ୍ତି । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ କାର୍ଯ୍ୟକାଳକୁ ବଢାଇଥିଲେ ରାଜ୍ୟ ସରକାର । ଏବେ ପୁଣି ଥରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । କାରଣ ତାଙ୍କ ଭଳି ଜଣେ ଅନୁଗତ ଆଇଏଏସ ଅଫିସର ସରକାରଙ୍କୁ ମିଳିଲା ନାହିଁ । ଯଦିଓ ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଅନେକ ବରିଷ୍ଠ ଆଇଏଏସ ଅଫିସର ଲବି କରୁଥିଲେ, କିନ୍ତୁ ରାଜ୍ୟ ସରକାର କାହା ଉପରେ ଭରଷା କରିପାରିଲେ ନାହିଁ । ଶେଷରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ବଢାଇଛନ୍ତି ସରକାର ।

ଗତ ଅଗଷ୍ଟ ୯ ତାରିଖରେ ପ୍ରଥମ ଥର ପାଇଁ ଦ କୁଇଭର ହିଁ କହିଥିଲା ଯେ, ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢିବ । ନୂଆ କୌଣସି ଆଶାୟୀଙ୍କ ଉପରେ ସରକାରଙ୍କ ଭରଷା ନାହିଁ । ଏହାସହ ମୁଖ୍ୟ ଶାସନ ସଚିବ ପାଇଁ ଲବି ଜୋରଦାର ହେଉଥିବା ମଧ୍ୟ ଆମେ ଦେଖାଇଥିଲୁ । କେଉଁମାନେ ଏଥିପାଇଁ ଦାବି କରୁଛନ୍ତି ତାହା ମଧ୍ୟ ଉପସ୍ଥାପନା କରିଥିଲୁ । ଏହି ଲବି ଲିଷ୍ଟ ମଧ୍ୟରେ ପ୍ରଥମେ ଥିଲେ ବର୍ତ୍ତମାନର ସ୍ୱତନ୍ତ୍ର ରିଲିଫ୍ କମିଶନର ପଦୀପ ଜେନା । ତାଙ୍କର ମୁଖ୍ୟ ଶାସନ ସଚିବ ପଦବୀରେ ବସିବା ପାଇଁ ବହୁତ ଆଶା ଥିଲା ବୋଲି ଯାହା ଆଇଏଏସ ମହଲରେ ଚର୍ଚ୍ଚା ହେଉଥିଲା । ଏପରିକି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୋଲି ତାଙ୍କ ସମର୍ଥକମାନେ କହିବୁଲିଲେ । କିନ୍ତୁ ଏବେ ସେ ଆଶା ତାଙ୍କର ମଉଳି ଯାଇଛି । ସେ ୨୦୨୩ ଶେଷ ବେଳକୁ ଅବସର ନେବାକୁ ଯାଉଛନ୍ତି । ରାଜ୍ୟ ସରକାର ଚାହିଁଲେ ତାଙ୍କ କାର୍ଯ୍ୟକାଳକୁ ଆଉ ବର୍ଷେ ବଢାଇପାରନ୍ତି । ଯଦି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କ ଆନୁଗତ୍ୟ ପ୍ରମାଣିତ ହୁଏ, ତେବେ ସେ ମଧ୍ୟ ଆଗାମୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି । ଯଦି ତାଙ୍କ ଠାରୁ ଅଧିକ ଆନୁଗତ୍ୟ ଦେଖାଉଥିବା ଅଫିସର ମିଳିଗଲେ, ତାହେଲେ ସେ ମଧ୍ୟ ମୁଖ୍ୟ ଶାସନ ସଚିବ ଆଶାୟୀ ତାଲିକାରୁ କଟିଯିବେ । ଆଉ ନୂଆ ଶାସନ ସଚିବ ନିଯୁକ୍ତ ହେବେ ।

ପୁଣି ଆହୁରି ୬ ମାସ ମୁଖ୍ୟ ଶାସନ ସଚିବ ପଦବୀରେ ବସିବେ ସୁରେଶ ମହାପାତ୍ର । ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ ତାରିଖରେ ଶେଷ ହେବାର ଥିଲା । ହେଲେ ସେ ଆସନ୍ତା ବର୍ଷ ଫେବୃଆରୀ ୨୮ ଯାଏ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ଏହାପୂର୍ବରୁ ତାଙ୍କର କାର୍ଯ୍ୟକାଳ ଫେବୃଆରୀ ୨୮ରେ ସରିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଭଳି ଆଉ ଜଣେ ଆନୁଗତ୍ୟ ନ ପାଇବାରୁ ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢାଇଛନ୍ତି । ତେଣୁ ଲବି ଲିଷ୍ଟରେ ଥିବା ଅନେକ ଆଶାୟୀଙ୍କ ଆଶା ମଉଳି ଯାଇଛି ।

Leave a Reply

Your email address will not be published. Required fields are marked *