ଦରଦ ନୁହେଁ, ଫଟୋଉଠା ନିଶା

ଭୁବନେଶ୍ୱ(ଦ କୁଇଭର): ଅଧା ଓଡ଼ିଶାରେ ବନ୍ୟା ବିଭୀଷିକା । ବନ୍ୟାକୁ ୧୨ ଦିନ ବିତିଲେ ବି ଅଣ୍ଟା ସଳଖି ପାରୁନାହାନ୍ତି ତଳି ଅଞ୍ଚଳବାସୀ । କାହାର ଜୀବିକା ଉଜୁଡ଼ିଯାଇଛି, ତ ଆଉ କିଏ ସର୍ବହରା ହୋଇଛି । ଚାଳଛପର ଘର କଥା ନକହିବା ଭଲ । ସବୁଠି ବନ୍ୟାପାଣିରେ ବୁଡି ରହିଛି ଲୋକଙ୍କ ଅସୁମାରୀ ସ୍ୱପ୍ନ ଆଉ ସମ୍ଭାବନା । ଓଡ଼ିଶାରେ ଏଭଳି ଏକ ଦୁର୍ଦ୍ଦିନ ସମୟରେ ଆମ ରାଜନୈତିକ ଦଳମାନଙ୍କର ରାଜନୀତି ମଧ୍ୟ କମ୍ ନୁହେଁ । ସରକାର ବି କମ୍ ରାଜନୀତି କରୁନାହାନ୍ତି । ଯେ ଲୋକଙ୍କ ଅସୁବିଧା ସମୟରେ ଲୋକଙ୍କ ପାଖରେ ଛିଡ଼ା ହେବା କଥା, ସେମାନେ ଏବେ ବେଶ୍ ଚଞ୍ଚକତା କରୁଥିବା ବନ୍ୟାଞ୍ଚଳବାସୀ କହୁଛନ୍ତି । ସେ ଖବର କାଗଜ ହେଉ ବା ଡିଜିଟାଲ ମିଡିଆ । ଟେଲିଭିଜନ ହେଉ ସୋସିଆଲ ମିଡିଆ । ସବୁଠି ଦେଖିବାକୁ ମିଳୁଛି, ସରକାର ବନ୍ୟାଞ୍ଚଳ ଲୋକଙ୍କୁ ସାହଯ୍ୟ କରୁଛନ୍ତି । ରିଲିଫ୍ ବାଣ୍ଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରନ୍ଧାଖାଦ୍ୟ ଦେଉଛନ୍ତି ।

ଅନ୍ୟପଟରେ ଠିକ୍ ବିପରୀତ ଅଭିଯୋଗ ଆସୁଛି, ବନ୍ୟାଞ୍ଚଳ ଲୋକଙ୍କ ପାଖରୁ । ରିଲିଫ୍ ପହଞ୍ଚୁନି, ରନ୍ଧା ଖାଦ୍ୟ ତ ଦୂରର କଥା । ଯାହା ମିଳୁଛି ଉପଯୁକ୍ତ ପରିମାଣରେ ନୁହେଁ । ଗୋଖାଦ୍ୟ ନାହିଁ । ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ମଧ୍ୟ ପହଞ୍ଚି ପାରୁନାହିଁ । ଯଦି ସରକାର କହୁଛନ୍ତି, ଆମେ ସବୁ ଦେଉଛୁ । ଲୋକେ କହୁଛନ୍ତି, ଆମ ପାଖରେ କିଛି ପହଞ୍ଚିନି । ତେବେ ଏଠାରେ କେଉଁଟା ଠିକ୍ । କିଏ କହୁଛି ସତ । ଯଦି ଲୋକେ ମିଛ କହୁଛନ୍ତି, ତେବେ ସରକାର ପ୍ରମାଣ ଦଉନାହାନ୍ତି କାହିଁକି? ଯଦି ସରକାର ମିଛ କହୁଛନ୍ତି, ତେବେ ଏ ରାଜ୍ୟକୁ ଭଗବାନ ହିଁ ଭରଷା । ଯେଉଁଠି ସରକାର ମିଛ କହନ୍ତି, ସେହି ରାଜ୍ୟରେ ବିକାଶ ବଦଳରେ ବିନାଶ ଆଡ଼କୁ ଯାଇଥାଏ । ଏବେ ଦେଖିବା ଏହି ବନ୍ୟା ସ୍ଥିତିକୁ ନେଇ ରାଜନୀତି କରୁଥିବା ଏହି ରାଜନୈତିକ ଦଳମାନଙ୍କୁ ।

ପ୍ରଥମେ ଆସିବା ବିଜେଡିରୁ । ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି ବିଜେଡିର ରିଲିଫ୍ ବାଣ୍ଟିବାର ଫଟୋ । ସବୁଜ ଶଙ୍ଖ ପତକା, ସାଙ୍ଗରେ ଖାଦ୍ୟ ପୁଡିଆ ଧରି ହାତକୁ ବଢେଇ ଦେବାର ଫଟୋ ବେଶ୍ ଭାଇରାଲ ହେଉଛି । ଦେବାରେ ଆଗ୍ରହ କମ୍ ଫଟୋ ଉଠାଇବାରେ ନିଶା ଅଧିକ । ଏବେ ଟିକେ ଆଗକୁ ଯିବା । ବିଜେପି କି କଂଗ୍ରେସ, କେହି ପଛରେ ନାହାନ୍ତି । ସେମାନେ ବି ଫଟୋ ଉଠାଇବା ନିଶାରେ ବ୍ୟସ୍ତ । ବିଜେପି, କଂଗ୍ରେସ ତ ଖାଦ୍ୟ ପୁଡିଆ ବାଣ୍ଟି ଫଟୋ ଉଠାଇବାରେ ବ୍ୟସ୍ତ । କିନ୍ତୁ ବିଜେଡି ଆଉ ଦୁଇ ପାଦ ଆଗକୁ ବଢିଯାଇଛି । ବନ୍ୟା ବେଳେ ଲୋକଙ୍କ ସାହଯ୍ୟ କରି ଫଟୋ ଉଠାଉଥିବା ବେଳେ ଦଳର କର୍ମୀ ସମ୍ମିଳନୀ ଚାଲିଛି । ଦଳକୁ ସଙ୍ଗଠିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରୁଛି ।

ଯେଉଁଠି ଲୋକମାନେ ବନ୍ୟାରେ ଭାସୁଛନ୍ତି, ସେଠାରେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଲୋକଙ୍କ ପାଖରେ ପହଞ୍ଚି ଆଶ୍ୱାସନା ବା ସହାୟତା ଯୋଗାଇ ଦେଲେ କ’ଣ ବିଜେଡିର କ୍ଷତି ହୋଇଯାଆନ୍ତା । ସେଠି ଲୋକମାନେ ଦୁର୍ଦ୍ଦଶାରେ ଥିବା ବେଳେ ଏଠି କର୍ମୀ ସମ୍ମିଳନୀ କରି ଶହ ଶହ କର୍ମୀଙ୍କୁ ବସାଇ ଦଳୀୟ ପ୍ରଚାର କରିବା କେତେଦୂର ଠିକ୍ । ଅବଶ୍ୟ ଦଳର ସଙ୍ଗଠନକୁ ସୁଦୃଢ ରଖିବା ଦଳର ଜଣେ ସଙ୍ଗଠକଙ୍କ ପ୍ରଥମ ବର୍ତ୍ତବ୍ୟ । ତାହା ଭିତରେ ବି ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ପହଞ୍ଚିବା ସବୁ ରାଜନୈତିକ ଦଳମାନଙ୍କର ପ୍ରଧାନ କର୍ତ୍ତବ୍ୟ । ତେଣୁ ଏଭଳି ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ବାହାନାରେ ରାଜନେତା ଓ ରାଜନୈତିକ ଦଳମାନେ ଫଟୋ ଉଠାଇବାରେ ବ୍ୟସ୍ତ । ଯାହା ବର୍ତ୍ତମାନ ବନ୍ୟାଞ୍ଚଳରେ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *