Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଋଷ ବିରୋଧରେ ଭୋଟ୍ ଦେଲା ଭାରତ

ନୂଆଦିଲ୍ଲୀ (ଦ କୁଇଭର): ଗତ ୬ ମାସରୁ ଅଧିକ ସମୟ ଧରି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ପରେ ହିଁ ସଂଯୁକ୍ତ ରାଷ୍ଟ୍ରରେ ଅନେକ ଥର ରୁଷ୍ ବିରୋଧରେ ହୋଇଥିବା ମତଦାନ ସମୟରେ ଭାରତ ନିଜକୁ ଦୂରେଇ ରଖିଥିଲା । ହେଲେ ପ୍ରଥମ ଥର ଭାରତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଋଷ ବିରୋଧରେ ଏବଂ ୟୁକ୍ରେନ୍ ସପକ୍ଷରେ ଭୋଟ୍ ଦେଇଛି । ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ରେ ୟୁକ୍ରେନ ଉପରେ ଏକ ପ୍ରକ୍ରିୟାତ୍ମକ ମତଦାନ ବେଳେ , ବୁଧବାର ରୁଷ୍ ବିପକ୍ଷରେ ପ୍ରଥମ ଥର ମତଦାନ କରିଛି। ଜାତିସଂଘ ସୁରକ୍ଷା ପରିଷଦକୁ ଟେଲି କନଫରେନ୍ସ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ସମ୍ବୋଧନ କରିବା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯାଇଥିଲା ।

ଉଲ୍ଲେଖନୀୟ ଯେ, ରୁଷ୍ ସେନା ଫେବ୍ରୁଆରୀରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଏହାପରେ ୟୁକ୍ରେନ୍ର ମାମଲା ଉପରେ ଭାରତ ପ୍ରଥମ ଥର ରୁଷ୍ ବିରୋଧରେ ମତଦାନ କରିଛି । ଏବେସୁଦ୍ଧା ନୂଆ ଦିଲ୍ଲୀ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୟୁକ୍ରେନ ମାମଲାରୁ ଦୂରେଇ ରହିଛି, ଯେଉଁଥିରେ ଆମେରିକା ସମେତ ପଶ୍ଚିମ ଦେଶ ଖୁସି ନାହାନ୍ତି। ୟୁକ୍ରେନ୍ ଉପରେ ଆକ୍ରମଣ ପରେ ପଶ୍ଚିମୀ ଦେଶ ଗୁଡ଼ିକ ରୁଷ୍ ଉପରେ କଡ଼ା ଆର୍ଥିକ ଏବଂ ଅନ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତ କଟକଣା ଲଗାଇନାହିଁ କି ରୁଷକୁ ସମାଲୋଚନା କରିନାହିଁ। କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ହି ସମସ୍ୟାର ସମାଧାନ ପାଇଁ ଭାରତ ଦାବି କରିଆସିଛି। ଏଥିରେ ଭାରତ ସମେତ ୧୩ଟି ରାଷ୍ଟ୍ର ୟୁକ୍ରେନକୁ ମମର୍ଥନ କରିଥିବା ବେଳେ ଚୀନ ଭୋଟଦାନରୁ ଦୂରେଇ ରହିଥିଲା । ଭାରତ ୨ବର୍ଷ ପାଇଁ ୟୁଏନଏସସିର ଅସ୍ଥାୟୀ ସଦସ୍ୟ ରହିଛି। ଏହାର କାର୍ୟ୍ୟକାଳ ଡିସେମ୍ୱରରେ ସମାପ୍ତ ହେବ।

Exit mobile version