Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତାରେ ଦାଗ ଲଗାଉଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଦ କୁଇଭର): ନବୀନଙ୍କ ସ୍ୱଚ୍ଛତାକୁ କଳଙ୍କିତ କରିବାକୁ ଚାଲିଛି ଯୋଜନା । ତାହା ପୁଣି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଉଛି । ଆଉ ଏହି ଯୋଜନା ଦ୍ୱାରା କଳଙ୍କିତ କରୁଛନ୍ତି ଖୋଦ୍ ରାଜ୍ୟର ମୁଖ୍ୟ ଶାସନ ସଚିବ ବା ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ । ମୁଖ୍ୟ ଶାସନ ସଚିବଙ୍କ ଅଧିନରେ ଥିବା ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ଉପରେ କଳଙ୍କ ବୋଳିଲା ଭଳି କାମ କରୁଛି । ରାଜ୍ୟ ପ୍ରଦୂଷଣ ବୋର୍ଡର କର୍ମଚାରୀ ନିଯୁକ୍ତିରେ ଘଟିଛି ଏଭଳି ଏକ ଘଟଣା, ଯାହା ସରକାରଙ୍କ ସ୍ୱଚ୍ଛତାକୁ ଦଳିମକଚି ଦେଇଛି । ବୋର୍ଡ ପକ୍ଷରୁ ୨୨ ଜଣ ସହକାରୀ ପରିବେଶ ବୈଜ୍ଞାନିକ ଓ ୧୩ ଜଣ ପରିବେଶ ସହକାରୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତିରେ ହୋଇଛି ବଡ ଧରଣର ଦୁର୍ନିତି । ମୋଟି ମୋଟି ଭାବେ କହିବାକୁ ଗଲେ, ବେଆଇନ ଭାବେ ନିଯୁକ୍ତି ଦିଆଯାଇଛି । ନିଯୁକ୍ତିର ନିୟମ ଆନୁଯାୟୀ, ନିଯୁକ୍ତି ବୋର୍ଡରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ରହିବାକୁ ବାଧ୍ୟ । ଏହା ବ୍ୟତୀତ ବୋର୍ଡର ସଦସ୍ୟ ସଚିବ ଏବଂ ନିଯୁକ୍ତି ହେଉଥିବା ପଦବୀ ସଂକ୍ରାନ୍ତୀୟ ବିଶେଷଜ୍ଞମାନେ ଉପସ୍ଥିତ ରହିବେ । କିନ୍ତୁ ଏବେ ପିସିବିରେ ଯେଉଁ ନିଯୁକ୍ତି ଦିଆଯାଇଛି, ସେଥିରେ ସେମିତି କିଛି କରାଯାଇ ନାହିଁ । ବୋର୍ଡର ଅଧ୍ୟକ୍ଷ ସେଥିରେ ଅନୁପସ୍ଥିତ ଥିଲେ । ତାଙ୍କର ମୌଖିକ ନିର୍ଦ୍ଦେଶରେ ରାଜ୍ୟ ପରିବେଶ ନିର୍ଦ୍ଦେଶକ ତାଙ୍କ ଦାୟିତ୍ୱ ତୁଲାଇଥିଲେ । ଯାହା ବୋର୍ଡର ନିଯୁକ୍ତି ପ୍ରକ୍ରିୟାର ସବୁଠୁ ବଡ ବ୍ୟତିକ୍ରମ ।

ବୋର୍ଡର ଅଧକ୍ଷ ତାଙ୍କ କ୍ଷମତା ହସ୍ତାନ୍ତର କରିବାର ନିୟମ ନାହିଁ । ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି ଖୋଦ୍ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ମହାପାତ୍ର । ନିଯୁକ୍ତିରେ ଆହୁରି ଗୋଟିଏ ନିୟମ ଉଲଙ୍ଘନ କରାଯାଇଛି । ନିଯୁକ୍ତି ପ୍ରକ୍ରିୟାରେ ବିଭାଗୀୟ ବିଶେଷଜ୍ଞ କେହି ନଥିଲେ । ଅର୍ଥାତ୍ ପରିବେଶ ବୈଜ୍ଞାନିକ ଓ ପରିବେଶ ଯନ୍ତ୍ରୀ ନିଯୁକ୍ତି କମିଟିର ସଦସ୍ୟ ନଥିଲେ । ତେବେ ଏହି ଯେଉଁ ନିଯୁକ୍ତି କରାଯାଇଛି ତାହା ବୈଧ ବୋଲି କୁହାଯାଇ ପାରିବ ନାହିଁ । କାରଣ ଏଥିରେ ସବୁ ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇଛି । ଆଉ ଏହିଭଳି ଅବୈଧ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ଖୋଦ୍ ମୁଖ୍ୟମନ୍ତ୍ରୀ । ଆଉ ସଚିବାଳୟ କନଫେରେନ୍ସ ହଲରେ ଏହି କାର୍ଯ୍ୟକ୍ରମ କରାଯିବାକୁ ଧାର୍ଯ୍ୟ କରାଯାଇଛି ।

ନବୀନ ପଟ୍ଟନାୟକ ଓଡିଶା ରାଜନୀତିରେ ଏକ ବଡ ନାଁ । ତାଙ୍କ ପରିଚୟ ହେଲା ସ୍ୱଚ୍ଛ । ତାଙ୍କର ସବୁ କାମରେ ସ୍ୱଚ୍ଛତା ଅଛି ବୋଲି । ସେ ଆଉ ତାଙ୍କ ସରକାର ଓ ତାଙ୍କ ଦଳ ବିଜେଡି ଦାବି କରନ୍ତି । ହେଲେ ଏ ଅସ୍ୱଚ୍ଛ ଏବଂ ଅବୈଧ ନିଯୁକ୍ତିକୁ କିଭଳି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ ତାହା ଏବେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

Exit mobile version