Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଅମ୍ବାନୀକୁ ଟପିଯିବେ ଆଦାନୀ

ନୂଆଦିଲ୍ଲୀ (ଦ କୁଇଭର): ଅମ୍ବାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ଟପିଯିବ ଆଦାନୀଙ୍କ ବ୍ୟବସାୟ । ଏମିତି ଆକଳନ ଏବେ ଠାରୁ କରାଗଲାଣି । ଆକଳନ ଅନୁଯାୟୀ ଆଦାନୀ ବି ବଢ଼ିବାରେ ଲାଗିଛନ୍ତି । ହେଲେ କିପରି? ଇିରୋଧୀଙ୍କ ଅଭିଯୋଗ, ମୋଦି ସରକାରଙ୍କ ବ୍ୟାପକ ପ୍ରୋତ୍ସାହନ ଯୋଗୁ ଆଦାନୀ ଇଣ୍ଡଷ୍ଟ୍ରି ବଢ଼ିବାରେ ଲାଗିଛି । ଏବେ ଯାହାକୁ ପାରିଲେ ଆଦାନୀ କିଣୁଛନ୍ତି । ଏପରିକି ତାଙ୍କ ଅଗ୍ରଗତି ଏତେ ତୀବ୍ର ଯେ, ବିଶ୍ୱର ଚତୁର୍ଥ ଧନୀ ଭାବେ ସେ ଗଣାଗଲେଣି । ଏପ୍ରିଲ ମାସ ସୁଦ୍ଧା ମାତ୍ର ୬ମାସରେ ଗୌତମ ଆଦାନୀ ଗ୍ରୁପ ୮୮.୧% ଅଭିବୃଦ୍ଧି କରିଥିବା ବେଳେ ମୁକେଶ ଅମ୍ବାନୀ ଗ୍ରୁପ ୧୩.୪% ଅଭିବୃଦ୍ଧି କରିପାରିଛି । ଅମ୍ବାନୀର ଅଭିବୃଦ୍ଧି ମନ୍ଥର ହେଉଥିବା ବେଳେ ଆଦାନୀଙ୍କର ତୀବ୍ର ହେଉଛି । ପୂର୍ବରୁ ଅମ୍ବାନୀ ଗ୍ରୁପ ମିଡିଆ ମାଲିକ ଥିଲେ, ଏବେ ଆଦାନୀ ବି ମିଡିଆକୁ କିଣିଲେଣି । କେବଳ ସେତିକି ନୁହେଁ, ଆଦାନୀ ବି ଟେଲିକମ ଆଡ଼କୁ ପ୍ରବେଶ କରିପାରନ୍ତି ବୋଲି ଆକଳନ କରାଯାଉଛି । ବନ୍ଦର, ଶିଳ୍ପ ସଂସ୍ଥା ପରେ ଆଦାନୀ ଗ୍ରୁପ ଆହୁରି ଅଧିକ ଦିଗକୁ ପରିବ୍ୟାପ୍ତ ହେଉଛି ।

ଅମ୍ବାନୀକୁ ଟପିଯିବେ ଆଦାନୀ | Adani Business will Topple Ambani Business Empire | THE Quiver

ଏବେ ପ୍ରଶ୍ନ ହେଉଛି ଏତେ ତୀବ୍ର ଅଗ୍ରଗତି କିପରି? ବିରୋଧୀଙ୍କ କହିବା କଥା କାଳେ ମୋଦି ସରକାରଙ୍କ ମାତ୍ରାଧିକ ପ୍ରୋତ୍ସାହନ ଯୋଗୁ ଏହା ହେଉଛି । ଯାହା ରେକର୍ଡ କହୁଛି, ୨୦୧୪-୨୦୧୭ ମଧ୍ୟରେ ଆଦାନୀ ଗ୍ରୁପର ୭୨ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିଲେ ମୋଦି ସରକାର । ଗତ ୫ବର୍ଷରେ ୭.୨୭ଲକ୍ଷ କୋଟିର ଋଣ ଛାଡ଼ କରିଛନ୍ତି ସରକାର । ସେଥିରେ ଆଦାନୀ ଗ୍ରୁପର ଅନେକ ଋଣ ରହିଛି । ନିକଟରେ ଷ୍ଟେଟବ୍ୟାଙ୍କ ୧୨ହଜାର ୭୦୦କୋଟିର ଋଣ ଛାଡ଼ ଆଦାନୀଙ୍କର କରିଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗ ଯୋଗୁ ଆଦାନୀ ଦେଶର ଗୋଟିଏ ପରେ ଗୋଟିଏ ପୋର୍ଟକୁ ହାତେଇବାରେ ସଫଳ ହେଉଛନ୍ତି । କେନ୍ଦ୍ରର ଦବଦବା ଏବେ ସବୁ ରାଜ୍ୟରେ ରହିଛି । ତାକୁ ନେଇ କାଳେ ଆଦାନୀ ଗ୍ରୁପ ତାର ବ୍ୟବସାୟିକ ଜାଲ ବିଛାଇ ଚାଲିଛି । ନିକଟରେ ଓଡ଼ିଶାର କାଶୀପୁରରେ ଆଦାନୀ ଆଲୁମିନା ପ୍ରକଳ୍ପ କରିବାକୁ ଧାର୍ଯ୍ୟ କରିଛି । କେନ୍ଦ୍ର ସରକାରଙ୍କର ଏପରି ସହାୟତା ରହିଲେ, ଆଦାନୀ ଗ୍ରୁପର ଅଭିବୃଦ୍ଧି ଦେଖିଲେ, ଖୁବଶୀଘ୍ର ଅମ୍ବାନୀକୁ ପଛରେ ପକାଇ ଆଗକୁ ଆଦାନୀ ଗ୍ରୁପ ଚାଲିଯିବ ବୋଲି ଆକଳନ କରାଯାଉଛି ।

Exit mobile version