Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବିଲୁପ୍ତ ହୋଇଗଲା ଚୀନର ଏହି ସ୍ତନ୍ୟପାୟୀ ପ୍ରାଣୀ

ନୂଆଦିଲ୍ଲୀ (ଦ କୁଇଭର): ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ‘ଡୁଙ୍ଗୋଗ୍ (Dugong)’ ଏବେ ଚୀନରେ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଛି। ନିକଟରେ ଏକ ନୂଆ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଡୁଙ୍ଗୋଗ୍ ସାଧାରଣତଃ ‘ସମୁଦ୍ର ଗାଈ’ ରୂପେ ଜଣାଯାଇଥାଏ। ଶହ ଶହ ବର୍ଷରୁ ଏହି ଜୀବ ଚୀନର ସମୁଦ୍ରରେ ଘାସ ଚରୁଥିଲା, ହେଲେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଏମାନଙ୍କୁ ଆଉ ସେଠି ଦେଖିବାକୁ ମିଳିନାହିଁ। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍ ନିକଟରେ ଏହାର ଯାଞ୍ଚ କରିଥିଲା। ଚୀନର ୪ ପ୍ରାନ୍ତରେ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦାୟଙ୍କର ସର୍ଭେ କରାଯାଇ ଡୁଙ୍ଗୋଗ୍ ନ ଥିବାର ପ୍ରମାଣ ଖୋଜା ଯାଇଥିଲା।

ବର୍ତ୍ତମାନ ରୟାଲ ସୋସାଇଟି ଓପନ୍ ସାଇନ୍ସ ଜର୍ନାଲରେ ପ୍ରକାଶିତ ତଥ୍ୟ ମୁତାବକ, ୧୯୬୦ ଆଖପାଖରେ ଡୁଙ୍ଗୋଗ୍ ବୃହତ୍ ସଂଖ୍ୟାରେ ଥିଲେ। କିନ୍ତୁ ୧୯୭୫ ପରେ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା। ୨୦୦୮ ପରଠାରୁ ମତ୍ସ୍ୟଜୀବୀମାନେ ଡୁଙ୍ଗୋଗ୍‌କୁ ଦେଖିବାର କୌଣସି ବି ପ୍ରମାଣ ପାଇ ନ ଥିଲେ। ଏଥିସହ ଚୀନର ବିଶେଷଜ୍ଞମାନେ ବି ୨୦୦୦ ପରଠୁ ଡୁଙ୍ଗୋଗ୍‌କୁ ଦେଖିବାକୁ ପାଇଲେ ନାହିଁ। ବିଶେଷଜ୍ଞଙ୍କ କହିବା ହେଲା, ଏହି ଜୀବ ବର୍ତ୍ତମାନ ଚୀନରେ ବିଲୁପ୍ତ ହୋଇଯାଇଛି।

କହି ରଖୁଛୁ, ଡୁଙ୍ଗୋଗ୍‌ର ଶରୀର ମୋଟା ଓ ଚଉଡ଼ା। ମୁହଁ ଲଟକି ରହିଥିବା ବେଳେ ଲାଞ୍ଜ ଡଲଫିନ୍ ଭଳି। ଏକ ବୟସ୍କ ଡୁଙ୍ଗୋଗ୍‌ର ଲମ୍ବା ପାଖାପାଖି ୧୩ ଫୁଟ୍ ଏବଂ ଓଜନ ୪୦୦ କିଲୋରୁ ଅଧିକ। ମିଶିଗନ ୟୁନିଭର୍ସିଟିର Animal Diversity Web (ADW) ମୁତାବକ, ଭୂମିରେ ଗାଈମାନେ ଯେପରି ଘାସ ଚରନ୍ତି, ସେହିପରି ଡୁଙ୍ଗୋଗ୍ ମଧ୍ୟ ସାମୁଦ୍ରିକ ଘାସ ଚରିଥାଏ। ସମୁଦ୍ରରେ ଏହା ଏକମାତ୍ର ସ୍ତନ୍ୟପାୟୀ ପ୍ରାଣୀ, ଯିଏକି ସମ୍ପୂର୍ଣ୍ଣ ଶାକାହାରୀ। ଇଊଡର କହିବା ହେଲା, ଡୁଙ୍ଗୋଗ୍ ସମୁଦ୍ର ତଟ ନିକଟରେ ଘାସ ଚରିଥାଏ। ଏଥିପାଇଁ ପ୍ରାୟତଃ ମତ୍ସ୍ୟଜୀବୀଙ୍କ ଡଙ୍ଗା ସହିତ ଏମାନେ ଧକ୍କା ହୋଇ ଥାଆନ୍ତି।

Exit mobile version