ବିଏମସିକୁ ଅଡୁଆ ଅଳିଆ

ଭୁବନେଶ୍ୱର(ଦ କୁଇଭର): ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ନେଇ ସ୍ଥାନୀୟ ଲୋକ ଏବଂ ବିଏମସି ମେୟର, କମିଶନର ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ସଫଳ ହୋଇପାରିନି। ଦୀର୍ଘ ଦିନ ଧରି ଅଳିଆ ଫିଙ୍ଗିବାକୁ ନେଇ ଜାରି ରହିଥିବା ବିବାଦ ଏବେ ଜୋର ଧରିଛି। ତେଣୁ ବିବାଦର ସମାଧାନ କରିବାକୁ ବୈଠକ ବସିଥିଲା। ହେଲେ କୌଣସି ନିର୍ଯାସ ବାହାରିପାରିନି । ବରଂ ଏହା ଲମ୍ବିଛି।

ବୈଠକ ପରେ ମେୟର ସୁଲୋଚାନା ଦାସ କହିଛନ୍ତି ଯେ ଦୁଇ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଆଶା କରାଯାଉଛି। ବୈଠକରେ ସ୍ଥାନୀୟ ଲୋକଙ୍କ ସହ ହୋଇଥିବା ଆଲୋଚନା ସକାରାତ୍ମକ ରହିଛି ବୋଲି ମେୟର କହିଛନ୍ତି। ଖୁବ୍ ଶୀଘ୍ର ବିବାଦର ପୂର୍ଣ୍ଣଛେଦ ପଡ଼ିବ ବୋଲି ସେ କହିଛନ୍ତି। ବୈଠକରେ ଉପସ୍ଥିତ ଥିବା ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ କହିଛନ୍ତି, ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଦୁଇ ଦିନ ପରେ ଏକ ଗ୍ରାମ ସଭା ଅନୁଷ୍ଠିତ ହେବ। ଏ ନେଇ ଲୋକଙ୍କ ସହ ବିସ୍ତୃତ ଭାବରେ ଆଲୋଚନା ହେବ। କିନ୍ତୁ  ସେପର୍ଯ୍ୟନ୍ତ ଅଳିଆ ପଡିପାରିବ ନାହିଁ ।

ଦିନ ବିତୁଛି, ହେଲେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଉଠିପାରୁନି ଅଳିଆ। ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାସ କରି ଡମ୍ପିଂୟାର୍ଡ ଅଳିଆରେ ଅସ୍ତବ୍ୟସ୍ତ ଅଛନ୍ତି ଦାରୁଠେଙ୍ଗ ଗ୍ରାମପଂଚୟତର ବାସିନ୍ଦା । ଦୀର୍ଘ ବର୍ଷର ବିବାଦ ତୁଟିବାକୁ ଆଉ କେତେ ଦିନ ଲାଗିବ ? ବିଏମସି କରିଥିବା ଯୋଜନା କେତେ ସଫଳ ହେବ ? ଗ୍ରାମବାସୀ ବିଏମସିର ପ୍ରସ୍ତାବକୁ କେତେ ଗ୍ରହଣ କରିବେ? । ଏଭଳି ନାନା ପ୍ରଶ୍ନ ଉଙ୍କିମାରୁଛି।

Leave a Reply

Your email address will not be published. Required fields are marked *