Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଗୁଆ ହେବ ଓଡ଼ିଶା ଭୋଟ

ଭୁବନେଶ୍ୱର (ଦ କୁଇଭର ବ୍ୟୁରୋ): ରାଜ୍ୟ ରାଜନୀତିର ପାଣିପାଗ ଦୃତ ଗତିରେ ବଦଳୁଛି । ଏବେ ଠାରୁ ରାଜନୈତିକ ଦଳ ଗୁଡ଼ିକର କ୍ଷେତ୍ର ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ଯେମିତି ନିର୍ବାଚନ ପାଖେଇ ଆସିଲାଣି । ଏମିତି ଚର୍ଚ୍ଚା ଭିତରେ ଖବର ମିଳିଲାଣି, କାଳେ ଏଥର ବିଜେଡି ସରକାର ଆଗୁଆ ବିଧାନସଭା ନିର୍ବାଚନ କରିବ । ୨୦୨୪ ନୁହେଁ, ୨୦୨୩ ଶେଷ ବେଳକୁ ଭୋଟ କରିବାକୁ କାଳେ ପ୍ରସ୍ତୁତି ଚାଲିଛି । ବିଜେଡି ଭିତରେ ଭିତରେ ତାର ପ୍ରସ୍ତୁତିକୁ ଜୋର ସୋର ଚଳାଇଲାଣି । ବିଜେଡି ଆଗୁଆ ଭୋଟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜେପି କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଓ ଭୋଟ ମାଗିବ ତାହାକୁ ଖୋଜୁଛି ।

Odisha Legislative Election May Held Earlier ! | ଆଗୁଆ ହେବ ଓଡ଼ିଶା ଭୋଟ୍ | THE Quiver

ନବୀନଙ୍କର ପଞ୍ଚମପାଳି ଚାଲିଛି । ତୃତୀୟ ପାଳି ପରେ ନବୀନ ସରକାର ବିରୋଧରେ ଜନମତ ଧିରେ ଧିରେ ବଢ଼ୁଛି । ଏପରିକି ୨୦୧୯ ନିର୍ବାଚନରେ ବିଜେପି ତାର ଭୋଟ ପ୍ରତିଶତ ବଢ଼ାଇବାକୁ ସମର୍ଥ ହୋଇଥିଲା । ଯଦିଓ ବିଜେପି ବିଜେଡି ସଲାସୂତୁରାରେ ଚାଲିଛି, ତଥାପି ବିଜେଡି ହିଁ ଏଭଳି ସ୍ଥିତିରୁ ଫାଇଦା ନେଉଛି । ବିଜେଡି ସବୁ ଘଟଣାରେ ଲାଭ ଉଠାଇ ଜନସମର୍ଥକୁ ସ୍ଥିର ରଖିବାରେ ଲାଗିଛି । ହେଲେ ଗୋଟିଏ ବର୍ଗ ନବୀନ ସରକାରଙ୍କ ଉପରେ କାଳେ ସନ୍ତୁ୍ଷ୍ଟ ନୁହଁନ୍ତି । ଏବେ ରାଜ୍ୟରେ ଚାଲିଥିବା ଅଫିସରୀଗିରି ଯୋଗୁ ବୁଦ୍ଧିଜୀବୀ ମାନେ ନବୀନ ସରକାରଙ୍କ ଆଡ଼ୁ ମୁହଁ ମୋଡ଼ୁଛନ୍ତି । ଯାହାର ପ୍ରମାଣ ଗତ ନଗର ନିର୍ବାଚନରେ ମିଳି ସାରିଛି । ସହରୀ ଭୋଟ ଏତେ କମ ମାତ୍ରାରେ ହେଲା ଯେ, ତାହା ନବୀନ ସରକାର ବିରୋଧରେ ଜନମତକୁ ଯେତିକି ଦର୍ଶାଇଲା, ବିଜେପି ପ୍ରତି ଭରସା ପାଉନଥିବା ବି ସେତିକି ପ୍ରମାଣିତ କଲା ।

ଏକଥା କେହି ଲକ୍ଷ୍ୟ କରନ୍ତୁ କି ନକରନ୍ତୁ ବିଜେଡି ପରାମର୍ଶଦାତା ଅଫିସରୀ ଟିମ ଠଉରେଇନେଲେ । ସେବେଠାରୁ ଚାଲିଲା ବିଧାନସଭା ନିର୍ବାଚନ ପ୍ରସ୍ତୁତି । ଯେମିତି ହେଲେ ପୁଣି ଥରେ ଆସିବେ ନବୀନ । ୨୦୧୯ ନିର୍ବାଚନରେ କାଳିଆ ଯୋଜନା କରି ଭୋଟ ତ ନେଲେ, ମାତ୍ର ମାତ୍ରା କମିଲା । ତେଣୁ ଏଥର ନୂଆ ଫଣ୍ଡା ଆଣିଛନ୍ତି । ସେ ହେଉଛି ମହିଳା ଗୋଷ୍ଠୀ । ଏଥର ମହିଳା ଗୋଷ୍ଠୀଙ୍କୁ ସହାୟତା ନାମରେ ୪୦ହଜାର କୋଟି ବାଣ୍ଟିବେ । ଏହି ସହାୟତା ପ୍ରଦାନ କାର୍ଯ୍ୟ ଆରମ୍ଭ ହେଲାଣି । ପ୍ରାୟ ୧ବର୍ଷ ଲାଗିବ । ବାସ ରାଜ୍ୟସାରା ମହିଳା ଗୋଷ୍ଠୀରେ ନବୀନ ନବୀନ ଭଜନ ଚାଲିବ । ଆଉ ସେହି ସମୟରେ ନିର୍ବାଚନ କରାଇ ନେବାକୁ ଚାଲିଛି ଯୋଜନା । ସେଥିପାଇଁ ଦଳୀୟ କର୍ମୀ ସମ୍ମିଳନୀ ଠାରୁ ମହିଳା ସମାବେଶ କରାଯାଉଛି । ଏହା ଏତେ ସଂଯୋଜିତ ଭାବେ କରାଯାଉଛି ଯେ, ଏହା ନିର୍ବାଚନ ପୂର୍ବର ପ୍ରସ୍ତୁତି ବୋଲି ନଜରକୁ ଆସୁନାହିଁ । ୨୦୨୩ରେ ଦେଶର ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାର ରହିଛି । ସେଗୁଡ଼ିକ ମଧ୍ୟରେ ଫେବୃୟାରୀ ମାସ ତ୍ରିପୁରା, ନାଗାଲ୍ୟାଣ୍ଡ, ମେଘାଳୟର ନିର୍ବାଚନ ହେବାକୁ ଥିବା ବେଳେ ମେ ମାସରେ କର୍ଣ୍ଣାଟକ, ନଭେମ୍ବର ମାସରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମର ନିର୍ବାଚନ ହେବ । ଡିସେମ୍ବର ମାସରେ ରାଜସ୍ଥାନ ଓ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ହେବାର ରହିଛି । ଏହି ସମୟରେ ଓଡ଼ିଶା ବି ନିର୍ବାଚନ କରାଇ ନେବାକୁ ଯୋଜନା କରୁଥିବା ବିଜେଡିର ଭିତିରି ମହଲରେ ଚର୍ଚ୍ଚା ହେଉଛି ।

ବିଳମ୍ବରେ ହେଲେ ବି ରାଜ୍ୟ ବିଜେପି ଆଗୁଆ ନିର୍ବାଚନ ନେଇ କିଛିଟା ବୁଝିଲାଣି । ଦଳ କାଳେ ପ୍ରସ୍ତୁତ ହେଲାଣି । ବିରୋଧୀ ଦଳ ନେତା ପରିବର୍ତ୍ତନ ସହ ଏବେ ସଂଗଠନକୁ ଚଳଚଞ୍ଚଳ କଲାଣି । ତେବେ ୨୦୧୯ ପରେ ବିଜେଡି ସହ ସାମିଲ ହୋଇଯାଇଥିବା ବିଜେପି ଅନେକ ପ୍ରସଙ୍ଗରେ ବିଜେଡିକୁ ସମର୍ଥନ କରିଛି । ଚିଟଫଣ୍ଡ, ଖଣି, ଜମି, ପାଣି ସବୁ କିଛି ପୁରୁଣା ହୋଇଗଲାଣି । ବିଜେପି ଏବେ କେଉଁ ପ୍ରସଙ୍ଗକୁ ଧରି ଯିବ ତାହା ଖୋଜା ଚାଲିଛି ।

Exit mobile version