ଖୋର୍ଦ୍ଧା କ୍ରସର ବନ୍ଦ କାହିଁକି?

ଭୁବନେଶ୍ୱର (ଦ କୁଇଭର): ଦୁଇମାସ ହେଲାଣି ଖୋର୍ଦ୍ଧାର ସମସ୍ତ ପଥର କ୍ରସର ବନ୍ଦ । ଜିଲ୍ଲା ପ୍ରଶାସନ ଏଥିରେ ତାଲା ପକାଇ ଦେଇଛି । କୌଣସି କ୍ରସରରୁ ଚିପ୍ସ ବା ପଥର କିମ୍ବା ଗାଡ଼ି ଉତ୍ପାଦନ ହେଉନାହିଁ । ଶ୍ରମିକ କାମ ପାଉନାହାନ୍ତି । ଗାଡ଼ି ସବୁ ବନ୍ଦ, ବେପାର ବଣିଜ ସବୁ କିଛି ବନ୍ଦ । ଏକପ୍ରକାର ଖୋର୍ଦ୍ଧାର ଅର୍ଥନୀତିକୁ ବାନ୍ଧି ଦିଆଯାଇଛି । ଏହାଦ୍ୱାରା ରାଜଧାନୀ ସମେତ କଟକ, ପୁରୀକୁ ଆବଶ୍ୟକ ହେଉଥିବା ଚିପ୍ସ ଗୋଡ଼ିର ଅଭାବ ବଢ଼ୁଛି । ଏହାର ଫାଇଦା ଯାଉଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲର କ୍ରସର ମାଲିକମାନଙ୍କ ପାଖକୁ ।

ହେଲେ ଏହି ବନ୍ଦ କାହିଁକି? କାହିଁକି ସବୁ କ୍ରସରକୁ ସିଲ୍ କରାଯାଇଛି? କାହିଁକି ଏପରି ପଦକ୍ଷେପ ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । କେଉଁ ଆଇନ ବଳରେ ଏ ପଦକ୍ଷେପ? କାହା ଇଙ୍ଗିତରେ ଏ ପଦକ୍ଷେପ? ଏହାକାଳେ କିଛି ରାଜନେତାଙ୍କ ଚକ୍ରାନ୍ତି । ତେବେ ଏହି ଚକ୍ରାନ୍ତ ଯୋଗୁ ଫାଇଦା କିଏ ପାଇବ? ଫାଇଦା ପାଉଥିବା ଲୋକଙ୍କ ଠାରୁ ନେତାମାନେ କି ଲାଭ ପାଇବେ? ନା ଏହା ନା ଅଫିସରଙ୍କ ନୁକୁନ୍ଦ୍ରାମି । ଯଦି ଅଫିସରୀ ଚାଲ, ତେବେ ମୋଟା ଲାଞ୍ଚ ଆଦାୟ ଲକ୍ଷ୍ୟ କି? ଏହି ପ୍ରଶ୍ନ ଏବେ ସବୁଠି ।

ହେଲେ ପ୍ରଶାସନର ଯୁକ୍ତି, ସାଇଟିଂ କ୍ରାଇଟେରିଆ ମାନୁ ନଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ଏହାବ୍ୟତୀତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦେଖାଯାଉଛି । ପ୍ରଶାସନର ପଦକ୍ଷେପ ଯେ ଆଇନ ସମ୍ମତ ନୁହେଁ ସ୍ୱାର୍ଥ ସମ୍ବଳିତ ତାହା ସ୍ପଷ୍ଟ ବାରି ହେଉଛି ସରକାରୀ ନିର୍ଦ୍ଦେଶରୁ ।

ଆମେ ଏଠି କହୁନାହୁଁ ଖୋର୍ଦ୍ଧାର ସମସ୍ତ କ୍ରସର ଆଇନ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ଆଇନର ଖିଲାପ ଅର୍ଥ ନୁହେଁ, ତକ୍ରାଳ ସିଲ୍ କରାଯିବା । ଯଦି କ୍ରସର ଗୁଡ଼ିକ ବେଆଇନ ଭାବେ ଚାଲିଛନ୍ତି, ତେବେ ପ୍ରଶାସନ ବି ବେଆଇନ କରିଛି । ଏକଥାକୁ ଅଫିସର ମାନେ ମାନନ୍ତୁ କି ନମାନନ୍ତୁ ଭୂଲ ପ୍ରଶାସନ କରିଛି । ଆଉ ଏହି ଭୂଲର ଫାଇଦା ଯାଉଛି ଯାଜପୁର ଜିଲ୍ଲାର କିଛି କ୍ରସର ମାଫିଆଙ୍କ ପାଖକୁ ।

ଖୋର୍ଦ୍ଧା କ୍ରସର ସମ୍ପର୍କରେ ସରକାରୀ ତଥ୍ୟ ଯାହା କହୁଛି ତାହା ଏପରି, ୨୦୧୦ ବେଳକୁ ଖୋର୍ଦ୍ଧାର କ୍ରସର ବ୍ୟାପକ ପ୍ରଦୂଷଣ କରୁଥିବା ଅଭିଯୋଗ ହେଲା । ମାମଲା ହାଇକୋର୍ଟକୁ ଯାଇଥିଲା । ହାଇକୋଟ ସର୍ତ୍ତମୂଳକ ଅନୁମତି ଦେଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବିଜ୍ଞପ୍ତି ପ୍ରକାଶ କଲା । ସେଥିରେ ଦର୍ଶାଗଲା ଯେ, ବିଜ୍ଞପ୍ତି ପ୍ରକାଶର ୩ମାସ ମଧ୍ୟରେ ଜିଲ୍ଲାପାଳ ମାନେ କ୍ରସର ଗୁଡ଼ିକର ସାଇଟିଂ କ୍ରାଇଟେରିଆ ଯାଞ୍ଚ କରିବେ । ଯେଉଁଠି ତ୍ରୁଟି ଥିବ, ତାହାକୁ ସିଲ୍ କରିବେ ।ହେଲେ ତାହା ହେଲାନାହିଁ । ୨୦୧୫ରୁ ୨୦୧୭ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଦକ୍ଷେପ ନେଲା । ୩ମାସ ମଧ୍ୟରେ ଜିଲ୍ଲାପାଳ ରିପୋର୍ଟ ନଦେବାରୁ ବୋର୍ଡ ପକ୍ଷରୁ ସାଇଟିଂ କ୍ରାଇଟେରିଆ ନେଇ ଚଢ଼ାଉ ହେଲା । ବେଆଇନ କ୍ରସର ଗୁଡ଼ିକୁ ସିଲ କରାଗଲା । ଏହାପରେ ସବୁ ନିୟମ ଅନୁଯାୟୀ ଚାଲିଲା । ହେଲେ ପ୍ରଶାସନ କି ବୋର୍ଡ ଆଉ ନଜର ଦେଲେ ନାହିଁ । ଫଳରେ ଅନେକେ ନିୟମ ଉଲ୍ଲଙ୍ଘନ କରୁଥିବା ଜିଲ୍ଲା ପ୍ରଶାସନ ପାଖକୁ ଅଭିଯୋଗ ଆସିଲା । ନିୟମ ଅନୁଯାୟୀ ପ୍ରଶାସନ ପ୍ରଦୂଷଣ ବୋର୍ଡକୁ ଯାଞ୍ଚ ଓ ପଦକ୍ଷେପ ପାଇଁ ସୁପାରିଶ କରିବା କଥା ।

କାରଣ ଏୟାର ଆକ୍ଟ ଅନୁଯାୟୀ ପରିଚାଳିତ ହେଉଥିବା କ୍ରସରକୁ ବନ୍ଦ କରିବାର କ୍ଷମତା ବୋର୍ଡର ରହିଛି । ନା କୌଣସି ନୋଟିସ ନା ଯାଞ୍ଚ, ଜିଲ୍ଲା ପ୍ରଶାସନ ବୋର୍ଡକୁ ନଜଣାଇ ସିଧା ସଳଖ ସିଲ୍ ଆରମ୍ଭ କଲା । କେଉଁ ଆଇନରେ ତାହା ବନ୍ଦ ହେଲା ତାହାର କୈଫିୟତ ବି ପ୍ରଶାସନ ଦେଉନାହିଁ । ତେଣେ ଖୋର୍ଦ୍ଧାର ବେପାର ବନ୍ଦ ହେବା ପରେ ଏହାର ଲାଭ ଚଣ୍ଡିଖୋଲ କ୍ରସର ମାଲିକଙ୍କୁ ମିଳୁଛି । ପୁରୀ, ଭୁବନଶ୍ୱର ଓ କଟକର ଉନ୍ନୟନ କାମ ପାଇଁ ସେଠାରୁ ସାମଗ୍ରୀ ଅଣାଯାଉଛି, ତାହା ପୁଣି ଚଢ଼ା ଦରରେ । ଏହାଦ୍ୱାରା ମାଫିଆ ମାଲାମାଲ ହେଉଥିବା ବେଳେ ପ୍ରକଳ୍ପ ମୂଲ୍ୟ ବଢ଼ୁଛି । ଏହା ପଛରେ କାଳେ କିଛି ନେତାଙ୍କ ସୁଚିନ୍ତିତ ଯୋଜନା ଥିବା ଚର୍ଚ୍ଚା ହେଉଛି । ନେତାଙ୍କ ଚକ୍ରାନ୍ତରେ ସରକାରୀ ଅଫିସରମାନେ ଖୋର୍ଦ୍ଧାର ଅର୍ଥନୀତିକୁ ଦଳିମକଚି ଦେଉଛନ୍ତି । ଖୋର୍ଦ୍ଧାର ନେତାମାନେ କେବେ ବୁଝିବେ ଓ କେବେ ଏହାର ପ୍ରତିକାର ହେବ ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *