Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଏସିଆ କପରୁ ବାଦ ପଡିଲେ ଜାଡ଼େଜା

ନୂଆଦିଲ୍ଲୀ(ଦ କୁଇଭର): ଏସିଆ କପରେ ଭାରତ ଦେଖାଇଛି ତାର ଚମତ୍କାର ପ୍ରଦର୍ଶନ । ଭାରତ ପ୍ରଥମ ଦୁଇଟି ମୁକାବିଲା ଜିତି ‘ସୁପର-୪’ରେ ପ୍ରବେଶ କରିଛି । ହଂକଂ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ଦଳ ପରବର୍ତ୍ତୀ ପର୍ଯ୍ୟାୟରେ ଭେଟିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଦଳରୁ ବାଦ୍ ପଡ଼ିଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ଆହତ କାରଣରୁ ଏସିଆ କପରୁ ବାଦ ପଡ଼ିଛନ୍ତି ରବୀନ୍ଦ୍ର ଜାଡ଼େଜା । ତେବେ ଜାଡେଜାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ୍ କରାଯାଇଛି । ଏନେଇ ବିସିସିଆଇ ସୂଚନା ଦେଇଛି ।

ବିସିସିଆଇ ନିଜ ପ୍ରେସ୍ ବର୍ତ୍ତା ମାଧ୍ୟମରେ କହିଛି ଯେ, ଜାତୀୟ ଚୟନକର୍ତ୍ତା ଏସିଆ କବରେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଚୟନ କରାଯାଇଛି । ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ବିସିସିଆଇ ଡାକ୍ତରୀ ଦଳଙ୍କ ତତ୍ତ୍ଵାବଧାନରେ ଜାଡେଜାଙ୍କୁ ରଖାଯାଇଛି। ତାଙ୍କର ବଦଳରେ ଅକ୍ଷର ପଟେଲ୍‌ଙ୍କୁ ପୂର୍ବରୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଥିଲା। ସେ ଶୀଘ୍ର ଦୁବାଇରେ ଦଳ ସହ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଟୁର୍ଣ୍ଣାମେଣ୍ଟ ମଝିରେ ଜାଡେଜା ଆହତ ହେବା ଭାରତୀୟ ଦଳ ପାଇଁ ଏକ ଚିନ୍ତାର ବିଷୟ। ଜାଡେଜା ବର୍ତ୍ତମାନ ଦମଦାର ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ୍ରେ ସେ ୩୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହଂକଂ ବିପକ୍ଷ ମ୍ୟାଚ୍ରେ ୪ ଓଭରରେ ମାତ୍ର ୧୫ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ସେପଟେ ପୁଣି ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବାର ଅଛି। ଏହି ସମୟରେ ଜାଡେଜା ଆହତ ହେବା ଦଳ ପାଇଁ ଏକ ବଡ ଝଟକା ହୋଇପାରେ।

Exit mobile version