ଧନୀ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର

କେନ୍ଦୁଝର(ଦ କୁଇଭର): ବିକାଶର ପଥେ ଆମ ସରକାର, କିନ୍ତୁ ବିକାଶର ସଂଜ୍ଞା ଏଠି ସମ୍ପୂର୍ଣ୍ଣ ଓଲଟା । ନବୀନ ସରକାର ସହରାଞ୍ଚଳ ଉପରେ ଅଧିକ ଧ୍ୟାନ ଦେବା ସହ ବିଶ୍ୱସ୍ତରୀୟ ବିକାଶର ସ୍ୱପ୍ନ ଦେଖାନ୍ତି । କିନ୍ତୁ ଯିଏ ଯେତେ ଉପରକୁ ଉଡିଲେ ବି ସେ ଦିନେ ତଳେ ହିଁ ପଡିବ, ସେ କଥା ଆମ ସରକାର ବୋଧହୁଏ ହୃଦବୋଧ କରିପାରୁନାହାନ୍ତି । ଯେଉଁଥିପାଇଁ ସହର ଆଉ ଗାଁ ଭିତରେ ପାର୍ଥକ୍ୟ ଜାଣି ପାରୁନାହାନ୍ତି । ଗମନା ଗମନ ଓ ଶିକ୍ଷା ବିକାଶର ପ୍ରଥମ ପାହାଚକୁ ଆମ ସରକାର ଟପି ପାରୁନାହାନ୍ତି ବୋଲି ବୋଧେ ଏମିତି ଅଘଟଣ ବାରମ୍ବାର ଘଟୁଛି । ତାହା ପୁଣି ଦୀର୍ଘ ୨୨ ବର୍ଷ ଧରି ଶାସନ କରୁଥିବା ନବୀନ ସରକାରଙ୍କ ଶାସନ ସମୟରେ ।

ଆଜି ବି ଅନେକ ସ୍ଥାନରେ ଗମନା ଗମନର ସୁବିଧା ନାହିଁ । ଲୋକମାନେ ଜୀବନକୁ ବାଜି ଲଗାଇ ଗମନା ଗମନ କରୁଛନ୍ତି । କେଉଁଠି ରାସ୍ତା ନାହିଁ ଆଉ କେଉଁଠି ଲୋକେ ପାଣିରେ ପଶି ନଦୀ ପାର ହେଉଛନ୍ତି । ତ ଆଉ କେଉଁଠିକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଅକାଳରେ ଜୀବନ ମଧ୍ୟ ଚାଲିଯାଉଛି । ଏପରି ସମାନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ । ରାସ୍ତା ନଥିବା ଯୋଗୁଁ ଯାଇପାରିଲାନି ଆମ୍ବୁଲାନ୍ସ । ଶେଷରେ ୨ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ରୋଗୀ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ତଥା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ପାଣ୍ଡିଆ ଗ୍ରାମରେ । ଏହି ଗ୍ରାମର ଗର୍ଭବତୀ ମହିଳା ଜିଦ୍ଦି ଓରାମଙ୍କ ଗର୍ଭ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ କଲ୍ କରିଥିଲେ । କିନ୍ତୁ ଗାଁକୁ କୌଣସି ରାସ୍ତା ଘାଟ ନ ଥିବାରୁ ଆମ୍ବୁଲାନ୍ସ ପ୍ରାୟ ୨ କିମି ଦୂରରେ ଅଟକି ଯାଇଥିଲା । ଫଳରେ ଗର୍ଭବତୀ ମହିଳା ଜଣକ ଘରୁ ବାହାରି ଅଳ୍ପ ଦୂର ବାଟରେ ହିଁ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆମ୍ବୁଲାନ୍ସ ସ୍ବାସ୍ଥ୍ୟ କର୍ମୀ ପ୍ରସୂତୀ ମା ଓ ଜନ୍ମିତ ଶିଶୁ କନ୍ୟାକୁ ଷ୍ଟ୍ରେଚର ସାହାଯ୍ୟରେ ପ୍ରାୟ ଦୁଇ କି.ମି. ପର୍ୟ୍ୟନ୍ତ ବୋହି ଆମ୍ବୁଲାନ୍ସ ପର୍ୟ୍ୟନ୍ତ ପହଞ୍ଚାଇ ଥିଲେ ଏବଂ ଉଭୟ ମା ଓ ନବ ଜାତକକୁ ଯୋଡ଼ା ମେଡିକାଲ୍ ସ୍ଥାନାନ୍ତରିତ କରା ଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି, କୁଆଡେ ଗଲା ସରକାରଙ୍କ ବିକାଶ ? କାହା ପାଇଁ ଏହି ସରକାରୀ ଯୋଜନା ? ଏମାନେ କ’ଣ ଭୋଟ୍ ଦେଇ ସରକାର ଗଢିନାହାନ୍ତି? ଏମାନଙ୍କୁ ଏତେ ହତାଦର କାହିଁକି ? ଯେଉଁ ଜିଲ୍ଲାର ଖଣିଜ ସମ୍ପଦକୁ ବିନିଯୋଗ ସରକାର କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି। ଏହା ବ୍ୟତୀତ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମଏଫ ପାଣ୍ଠିରୁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରା ଯାଉଛି। ସେହି ଅଞ୍ଚଳର ବିକାଶ କ’ଣ ଏମିତି? କ’ଣ କରୁଛନ୍ତି ସେଠାକାର ଜନ ପ୍ରତିନିଧି? ଏହି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହେଲଣି ।

Leave a Reply

Your email address will not be published. Required fields are marked *