ଦିଲ୍ଲୀ ବିମାନ ବନ୍ଦରରେ ବିଜେଡି ନେତା ମଦ ପିଇ ମାତାଲ: ଏହା କ’ଣ ସମ୍ଭବ?

ନୂଆଦିଳ୍ଲୀ (ଦ କୁଇଭର): ଛି ଛି, ବିଧାୟକ ଗୁଡ଼ାକ ଶେଷରେ ମାତାଲ ହୋଇଗଲେ । ତାହା ପୁଣି ଶାସକ ବିଜେଡି ଦଳର ନେତାମାନେ । ଏହା କ’ଣ ସମ୍ଭବ? ଏମିତି କ’ଣ ସତରେ ହୋଇଥିବ? ଦେଶରେ ଗୋଟିଏ ଶୃଙ୍ଖଳିତ ଦଳ ଭାବେ ବେଶ୍ ପରିଚିତ ବିଜେଡି । ଯାହାର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ଯାହାଙ୍କୁ ଭାରତର ଅଦ୍ୱୀତିୟ ମୁଖ୍ୟମନ୍ତ୍ରୀ ବୋଲି କୁହାଗଲାଣି । ତାଙ୍କରି ଦଳର ନେତାଙ୍କ ଏଭଳି ନିଚ୍ଚ କାମ । ଶେଷରେ ମଦ ପିଇ ମାତାଲ ହୋଇ ବିମାନରେ ଆସିପାରିଲେନି । ଏମାନେ ଏତେ ମାତାଲ ଯେ, ତାଙ୍କ ବ୍ୟାଗ୍ ଦିଲ୍ଲୀରୁ ଭୁବେନଶ୍ୱର ପଳାଇ ଆସିଲା, କିନ୍ତୁ ସେମାନେ ଆସିପାରିଲେ ନାହିଁ । ଏକଥା ଆମେ କହୁନୁ, ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି କିଛି ଖବର ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ ଥିଲା?

ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଶାରୁ କିଛି ବିଜେଡିର ନେତା ଓ ବିଧାୟକ ସେହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ହେଲେ ଠିକ୍ ସମୟରେ ଫେରିପାରିନଥିଲେ । ମଦ ପିଇ ଏତେ ମାତାଲ ହୋଇଯାଇଥିଲେ ଯେ, ପୁରସ୍କାର ସମାରୋହରେ ସାମିଲ ହୋଇ ରାତିରେ ଭୁବନେଶ୍ୱର ଫେରିବା ସମୟରେ ନୂଆଦିଲ୍ଲୀସ୍ଥିତି ବିମାନବନ୍ଦରରେ ହାଇଡ୍ରାମା କରିଥିଲେ । ଯୁବ ବିଜେଡିର ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ୧୨ରୁ ଅଧିକ ବିଜେଡି ନେତାମାନେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ସେମାନେ ଏକପ୍ରକାର ନିୟନ୍ତ୍ରଣରେ ନଥିଲେ । ଯେଉଁଥିପାଇଁ ସେହି ବିମାନରେ ବୋର୍ଡିଂ ନେଇ ପାରିନଥିଲେ । ତେବେ ଏହି ନେତାମାନଙ୍କୁ ବିମାନରେ ଆଣିବା ନିମନ୍ତେ ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ଅନ୍ୟ କିଛି ଯୁବ ନେତା ଜିଦ୍ ଧରି ସେହି ଇଣ୍ଡିଗୋ ବିମାନର ପାଇଲଟଙ୍କ ସହ ଯୁକ୍ତିତର୍କ କରିଥିଲେ । ଶେଷରେ ଏମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ଯେ, ବିମାନ ଟି ଅଧାଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ଏହି ମଦୁଆ ନେତାମାନେ ଅତ୍ୟଧିକ ମଦ ପିଇଥିବାରୁ ବୋର୍ଡିଂ ନେଇ ପାରିନଥିଲେ, ସେମାନଙ୍କ ଲଗେଜ ହିଁ କେବଳ ଭୁବନେଶ୍ୱର ଆସିଥିଲା । ହଁ ତାଙ୍କ ସମର୍ଥକମାନେ କହୁଛନ୍ତି ଯେ, ନବୀନ ପୁରସ୍କାର ପାଇଲେ, ସେ ଖୁସିରେ ଟିକେ ମଦ୍ୟପାନ କରିଦେଇଥିଲେ, ହେଲେ ତାହାକୁ ନେଇ ଏଭଳି ରାଜନୀତି କରିବା ଆଦୌ ଠିକ୍ ନୁହେଁ । ଅବଶ୍ୟ ମଦ୍ୟପାନ ଟିକେ କରିଥିବାରୁ ବିମାନରେ ଆସିବା ଟିକେ ବିଳମ୍ବ ହୋଇଥିଲା । ହେଲେ ତାକୁ ନେଇ ଏମିତି ରାଜନୀତି ନ କରିବାକୁ ତାଙ୍କ ସମର୍ଥକମାନେ କହୁଛନ୍ତି ।

ପ୍ରଶ୍ନ ଉଠୁଛି, ଗୋଟିଏ ଶୃଙ୍ଖଳିତ ଦଳର ବିଧାୟକ ଓ ନେତାମାନଙ୍କର ଆଚରଣ କ’ଣ ଏମିତି? ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଜୀବନବ୍ୟାପୀ ସାଧନା ପୁରସ୍କାର ପାଉଥିବା ବେଳେ ଅନ୍ୟପଟେ ନେତାମାନେ ମାତାଲି ହୋଇ ଏଭଳି କାଣ୍ଡ କରିବା କ’ଣ ଦର୍ଶାଉଛି? ମଦ ପିଇବା, ବୋର୍ଡିଂ ନ କରିପାରିବା, ପାଇଲଟଙ୍କ ସହ ଯୁକ୍ତିତର୍କ କରିବା ନବୀନଙ୍କ ସ୍ୱଚ୍ଛ ଭାବରମୂର୍ତ୍ତି ଉପରେ କଳଙ୍କ ବୋଳୁନାହିଁ କି? ବିଜେଡିର ବିଧାୟକ ଓ ନେତାମାନେ ଏମିତି ମଦ ପିଇ ମାତାଲ ହେବା, ତାହା ପୁଣି ଦିଲ୍ଲୀରେ, ଏହା ଓଡ଼ିଶାରେ ନାଁକୁ ତଳିତଳାନ୍ତ କରୁନି କି? ବିଜେଡିରେ ଦଳ ବିରୋଧୀ, ଉତଶୃଙ୍ଖଳ କାମ କଲେ, ଯେଉଁ ସୁପ୍ରିମୋ ଦଳରୁ ବିଦା କରିଦିଅନ୍ତି । ସେଠାରେ ଯଦି ଏହି ଘଟଣା ସତ ହୋଇଥାଏ, ତେବେ ଏ କ୍ଷେତ୍ରରେ ଏମାନଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାର ବିଷୟ ।

Leave a Reply

Your email address will not be published. Required fields are marked *