Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କଂଗ୍ରେସର ଅଭିଯାନ: ଭାରତ ଯୋଡ଼ୋ ନା ଭାରତ ତୋଡ଼ୋ ଯାତ୍ରା ?

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଆଜିଠୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ କଂଗ୍ରେସ ନେତା ଓ କର୍ମୀ । ୧୨ ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଏହି ଯାତ୍ରା କରିବ କଂଗ୍ରେସ । କିନ୍ତୁ ପ୍ରଶ୍ନ, କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା କାହିଁକି ? ଭାରତ କ’ଣ ବିଭାଜିତ କି ? ଯଦି ବିଭାଜିତ ନୁହେଁ, ତେବେ କାହାକୁ ଯୋଡିବ କଂଗ୍ରେସ ? ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି ଯେ, ଏହା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନା ଭାରତ ତୋଡ଼ୋ ଯାତ୍ରା ? କଂଗ୍ରେସର ସୋସିଆଲ ମିଡିଆ ଭାରତ ଯୋଡ଼ୋର ଯେଉଁ ରୁଟ୍ ମ୍ୟାପ୍ ଦେଇଛି, ସେ ରୁଟ୍ ମ୍ୟାପ୍ କୁ ଟିକେ ନିରଖେଇ ଦେଖିଲେ, ସ୍ପଷ୍ଟ ଜଣାପଡ଼ୁଛି, ଏହା କଂଗ୍ରେସର ଭାରତ ଯୋଡ଼ୋ ନୁହେଁ ଭାରତକୁ ବିଭାଜିତ କରିବାର ଯାତ୍ରା ଭଳି ଲାଗୁଛି ।

ଭଲ କରି ଦେଖନ୍ତୁ କଂଗ୍ରେସ ଏହି ଫଟୋକୁ । ଏହି ଫଟୋରେ କଂଗ୍ରେସ ତାର ଭାରତ ଯୋଡ଼ୋ ଯାତ୍ରାର ରୁଟ୍ ମ୍ୟାପକୁ ଦର୍ଶାଇଛି । ଏହି ରୁଟ୍ ମ୍ୟାପରେ ଦର୍ଶାଯାଇଛି ଯେ, ଏହି ଯାତ୍ରା ତାମିଲନାଡ଼ୁର କନ୍ୟାକୁମାରୀ ଠାରୁ ଆରମ୍ଭ କରି ଜମ୍ମୁକାଶ୍ମୀର ଶ୍ରୀନଗରରେ ଶେଷ ହେବ । ଏହାମଧ୍ୟରେ ପଡ଼ୁଛି ୧୨ଟି ରାଜ୍ୟ ଓ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳ । ଅର୍ଥାତ୍ ଭାରତର ମଝିରେ ଗୋଟିଏ ସରଳ ରେଖାଭଳି ଗାରଟିଏ ଟାଣି ଦେଉଛି କଂଗ୍ରେସ । ଭାରତକୁ ଦୁଇଭାଗ କରୁଛି । ପୂର୍ବ ଭାରତ ଓ ପଶ୍ଚିମ ଭାରତ । ଏହା କଂଗ୍ରେସର ଭାରତ ବିଭାଜନ ଲକ୍ଷ୍ୟ ନୁହେଁ ତ ?
ଯଦି ଆମେ ଭାରତ ଇତିହାସରେ କଂଗ୍ରେସର ଯାତ୍ରାକୁ ଦେଖିବା, ତେବେ ୧୯୪୭ ଭାରତ ସ୍ୱାଧୀନତା ବେଳେ କଂଗ୍ରେସର ପ୍ରତିଷ୍ଠାତା ମହାତ୍ମା ଗାନ୍ଧୀଙ୍କ ଉପସ୍ଥିତିରେ ଭାରତ ବିଭାଜିତ ହୋଇଥିଲା ।

ଭାରତରୁ ପାକିସ୍ତାନ ଅଲଗା ହୋଇଥିଲା । ତା ପରେ ଯାହା ବର୍ତ୍ତମାନ ବିବାଦୀୟ ପ୍ରସଙ୍ଗ ଉଠୁଛି, ପାକିସ୍ତାନରୁ ବାଂଲାଦେଶ ପର୍ଯ୍ୟନ୍ତ ଭାରତକୁ ବିଭାଜନ କରି ଏକ ବିରାଟ ରାସ୍ତା ନିର୍ମାଣ କରିବା ପାଇଁ ଯୋଜନା ଚାଲିଥିଲା ଏହି କଂଗ୍ରେସ ଶାସନ ସମୟରେ । ଏହା କେତେଦୂର ବାସ୍ତବ, ତାର ପ୍ରମାଣିକ ତଥ୍ୟ ଅନୁସାରେ ତର୍ଜମାର ଆବଶ୍ୟକତା ରହିଛି । କଂଗ୍ରେସ ଶାସନ ସମୟରେ ପାକିସ୍ତାନ ଭାରତର କାଶ୍ମୀରର କିଛି ଅଂଶ ଜୋର ଜବରଦସ୍ତ ନେଇଯାଇଛି । ଯାହା ଆଜି ବି ବିବାଦୀୟ ହୋଇ ରହିଛି । ଏହି କଂଗ୍ରେସ ସମସୟରେ ହିଁ ପଞ୍ଜାବରେ ଖଲିସ୍ତାନୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯଦି ଏହି ଇତିହାସକୁ ପରଖାଯାଏ, ତେବେ ଭାରତ ବିଭାଜନ ପାଇଁ କଂଗ୍ରେସକୁ ଅଧିକାଂଶ ସମୟରେ ଦାୟୀ କରାଯାଏ । ଏବେ କଂଗ୍ରେସ ଏକପ୍ରକାର ସଙ୍କୁଚିତ ହେବାକୁ ଯାଉଛି, କଂଗ୍ରେସ କେବଳ ସଙ୍କୁଚିତ ହେଉନାହିଁ, କଂଗ୍ରେସରୁ ନେତା ମାନେ ଧୀରେ ଧୀରେ ଦୂରେଇ ଯାଉଛନ୍ତି । କଂଗ୍ରେସରୁ ଲୋକମାନେ ଏକପ୍ରକାର ବିତସ୍ଫୃହ ହୋଇଯାଇଛନ୍ତି । ଏଭଳି ସ୍ଥିିତରେ କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା ଓ ତାରେ ରୂପରେଖରୁ ଜଣାପଡ଼ିଯାଉଛି, ଏହା ଭାରତ ଯୋଡ଼ୋ ନା ଭାରତ ତୋଡ଼ୋ ଯାତ୍ରା ।

ଅନ୍ୟପଟେ ବିଜେପି କହିଛି, ରାହୁଲ ଗାନ୍ଧୀ ଯଦି ଭାରତ ଯୋଡୋ ଅଭିଯାନ କରିବାକୁ ଚାହୁଁଛନ୍ତି, ତେବେ ଏହି ଅଭିଯାନ ସେ ପାକିସ୍ତାନରୁ ଆରମ୍ଭ କରନ୍ତୁ । କାରଣ ଭାରତ ଏବେ ପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ । ତେଣୁ ଭାରତକୁ ଜୋଡିବାର ପ୍ରଶ୍ନ ଉଠୁଛି କେଉଁଠୁ ? ଯଦି କଂଗ୍ରେସ ଚାହୁଁଛି ଯୋଡିବାକୁ, ତେବେ ସେ ଏହା ପାକିସ୍ତାନରେ ଯାଇ ଆରମ୍ଭ କରୁ । କଂଗ୍ରେସ ସାରା ଦେଶରୁ ତଳିତଳାନ୍ତ ହେଉଥିବା ବେଳେ ଏହି ସମୟରେ କଂଗ୍ରେସର ଏହି ଅଭିଯାନକୁ ଦେସବାସୀ କେତେ ମାତ୍ରାରେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Bharat Jodo Yatra by Congress Party in India | ଭାରତ ଯୋଡ଼ୋ ନା ଭାରତ ତୋଡ଼ୋ ଯାତ୍ରା ? | THE Quiver

Exit mobile version