ଶିକ୍ଷାର ବିକାଶ କରିପାରିବନି ମଡେଲ ସ୍କୁଲ

FILE PHOTO

ନୂଆଦିଲ୍ଲୀ (ଦ କୁଇଭର): ଦେଶରେ ବଦଳିଯିବ ସ୍କୁଲର ରୂପରେଖ । ‘ପିଏମ-ଶ୍ରୀ’ ଯୋଜନା ମାଧ୍ୟମରେ ସ୍କୁଲ ଗୁଡ଼ିକୁ ନୂଆ ରୂପ ଦିଆଯିବ । ଦେଶର ମୋଟ୍ ୧୪ ହଜାର ୫୯୭ ସ୍କୁଲ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ପରେ ବେଶ୍ କିଛି ଉତ୍ସାହିତ ହୋଇପଡ଼ିଛନ୍ତି ଯେ, ଶିକ୍ଷାର ମାନଦଣ୍ଡ ବଢିଯିବ । ବିଶେଷକରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ବିଜେପି ସମର୍ଥକମାନେ କହିବୁଲିଲେଣି ଯେ, ଏଥର ଶିକ୍ଷା ବ୍ୟବସ୍ଥା ବଦଳିଯିବ । ଆଉ ଏପଟେ ରାଜ୍ୟ ବିଜେଡି କହିଲାଣି, ନବୀନଙ୍କ ମଡେଲକୁ ମୋଦୀ ଅନୁସରଣ କରୁଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ନେଇ ବେଶ୍ ପାଳ ପକାଇ ଉଚ୍ଚା ହେବାରେ ବ୍ୟସ୍ତ ଉଭୟ ବିଜେଡି ଓ ବିଜେପି । ଦେଶରେ ଶିକ୍ଷା ବ୍ୟବସ୍ଥା ଯେ ଭୁଷୁଡ଼ିଗଲାଣି, ସେଟା କ୍ଷମତାରେ ଅନ୍ଧ ଥିବା ବିଜେଡି ଓ ବିଜେପିକୁ ଦେଖାଯାଉନାହିଁ । ଆସନ୍ତୁ ଜାଣିବା ଆମ ଶିକ୍ଷା ବ୍ୟବସ୍ଥାରେ କେମିତି ରହିଛି ବ୍ୟବସ୍ଥା ।

ବର୍ତ୍ତମାନ ଦେଶର ଶିକ୍ଷା ବ୍ୟବସ୍ଥାକୁ ଯଦି ପରାଖାଯାଏ, ତେବେ ଉତ୍ତମ ମାନର ଶିକ୍ଷକ ନାହାନ୍ତି । ଶିକ୍ଷକମାନଙ୍କୁ ଶିକ୍ଷାଦାନ ଛାଡ଼ି ଅନେକ ଅନ୍ୟ କାମ ଦିଆଯାଉଛି । ଯେଉଁଥିପାଇଁ ଶିକ୍ଷାଦାନ କରିବା ପାଇଁ ଶିକ୍ଷକମାନେ ମାନସିକ ସ୍ତରରେ ପ୍ରସ୍ତୁତି ସଠିକ୍ ଭାବେ କରିପାରୁନାହାନ୍ତି । ଆରମ୍ଭରୁ କପି କରି ପାସ୍ କରିବା ଏକ ଧାରା ପାଲଟିଗଲାଣି । କୌଣସି ଉପାୟରେ ସାର୍ଟିଫିକେଟ୍ ହାତେଇ ନେଇ ଚାକିରି କରିଦେବା ବର୍ତ୍ତମାନ ଏକ ପରମ୍ପରା ପାଲଟିଯାଇଛି । ସେ ଆନ୍ଧ୍ର ସିଟି ହେଉ ବା ଓଡ଼ିଶାର କୌଣସି ସିଟି କଲେଜ ହେଉ, ଅନେକ ଶିକ୍ଷକଙ୍କର ଯୋଗ୍ୟତା ନାହିଁ, ଶିକ୍ଷାଦାନ କରିବା ପାଇଁ । କେବଳ ଦରମା ଲୋଭରେ ଚାକିରି କରୁଛନ୍ତି । ଫଳରେ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ିଯାଇଛି । ଆଜି ବି କୌଣସି ଗୋଟିଏ ସ୍କୁଲର ପଞ୍ଚମ ଶ୍ରେଣୀ ପିଲାକୁ ପଚାରିଲେ, ସେ ଓଡ଼ିଆରେ ଅକ୍ଷର କେତେ, ସେ କହିପାରିବ ନାହିଁ । ଏମିତି ବି ପିଲା ଅଛନ୍ତି, ଇଂରାଜୀର ଅକ୍ଷର ବି ଜାଣନ୍ତି ନାହିଁ । ଗଣିତ ଆଉ ବିଜ୍ଞାନ ପାଠ ସେମାନଙ୍କ ପାଇଁ ବହୁତ ଦୂର । ଇଂରାଜୀ ମାଧ୍ୟମରେ ଯେଉଁ ଶିକ୍ଷା ଦିଆଯାଉଛି, ତାହାକୁ ପିଲାମାନେ ବହି ପଢି ଘୋଷି ଦେଉଛନ୍ତି । ଏବେ ଆଉ ବାସ୍ତବ ଶିକ୍ଷା ନାହିଁ । ଖାଲି ସାର୍ଟିଫିକେଟ ଧରି ବୁଲୁଛନ୍ତି । ବାସ୍ତବ ଶିକ୍ଷା ନାହିଁ ବୋଲି ଅନୁସନ୍ଧାନ ନାହିଁ, ଗବେଷଣା ବି ନାହିଁ । ସମସ୍ତେ କେବଳ ଚାକିରି ପଛରେ ଧାଉଁଛନ୍ତି ।

କେବଳ ଏତିକି ନୁହେଁ, ଶିକ୍ଷକ ନିଯୁକ୍ତିରେ ମଧ୍ୟ ମହାଘୋଟାଲା ହେଉଛି । ବଦଳି କେବଳ ସେଇମାନଙ୍କର କରାଯାଉଛି, ଯେଉଁମାନେ କେବଳ ଲବି କରିପାରୁଛନ୍ତି । ଟାଉନରେ କେବଳ ସେଇ ଶିକ୍ଷକମାନେ ରହୁଛନ୍ତି, ଯେଉଁମାନଙ୍କ ସମ୍ପର୍କୀୟ ସରକାରଙ୍କ ବଡ଼ ବଡ଼ ଅଫସିର ହୋଇଥିବେ । ଗାଁ ଗହଳିରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ସହର କୁ ଆସିପାରୁନାହାନ୍ତି । ଆଉ ସହରରେ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଗାଁକୁ ଯାଇ ପାଠ ପଢାଇପାରୁନାହାନ୍ତି । ଯେଉଁଥିପାଇଁ ଗାଁ ଶିକ୍ଷା ବ୍ୟବସ୍ଥା ଓ ସହରୀ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ଦୂରତା ସୃଷ୍ଟି ହୋଇଛି । ସରକାର ଯେତେ ଆଇନ କଲେ ମଧ୍ୟ ତାକୁ ଗଳାବାଟ ଦେଇ ଅଫିସର ଓ ନେତାଙ୍କ ପରିବାର ଲୋକ ଭାଙ୍ଗି ଶିକ୍ଷା ବ୍ୟବସ୍ଥାକୁ ଧୂଳିସାତ କରିବାରେ ଲାଗିଛନ୍ତି ।

ଶିକ୍ଷା ବ୍ୟବସ୍ଥାର ଏଭଳି ଦୁର୍ଗତି ଆମର ସବୁ ବ୍ୟବସ୍ଥାକୁ ଧୂଳିସାତ କରିଦେବାକୁ ଯାଉଛି । ସେ ନୀବନ ହୁଅନ୍ତୁ ବି ମୋଦୀ ଶିକ୍ଷା ବ୍ୟବସ୍ଥାକୁ ମୂଳରୁ ସଂସ୍କାର ଆଣିବା ପାଇଁ ବ୍ୟବସ୍ଥା କରିନାହାନ୍ତି । ଶିକ୍ଷା ବ୍ୟବସ୍ଥରେ ଥିବା ଭୁଲ ପାଠ୍ୟକ୍ରମକୁ ବଦଳାଇବାକୁ ଏମାନଙ୍କର ଇଚ୍ଛା ନାହିଁ । ପାଠ୍ୟକ୍ରମ କେଉଁଆଡ଼େ ଯାଉଛି, ସେମାନଙ୍କୁ ଜଣାନାହିଁ । ଶିକ୍ଷାର ମୂଳ ପିଣ୍ଡଭାବେ ଏବେ ଖାଲି କୋଠାବାଡି ତିଆରି ଚାଲିଛି । ରଙ୍ଗ ବୋଳି, ଚକ୍ ଚକ୍ କରିଦେଇ, ଟେବୁଲ ଚେୟାର ଓ କମ୍ପ୍ୟୁଟର ଲଗାଇ ଦେଲେ ଶିକ୍ଷାର ବିକାଶ ହୋଇଯାଏନି । ଶିକ୍ଷା ପ୍ରଦାନ ବ୍ୟବସ୍ଥାର ଉନ୍ନତି ଯେବେ, ଆସିବ ସେଦିନ ଯାଇ ଶିକ୍ଷାର ବିକାଶ ହୋଇଛି ବୋଲି କୁହାଯାଇପାରିବ ।

Leave a Reply

Your email address will not be published. Required fields are marked *